ବିଜେଡିରୁ ବହିଷ୍କୃତ ପରେ ବିଜେପି ଶିବିରରେ ସାମିଲ ହେଲେ ସୁଜିତ କୁମାର, ରାଜ୍ୟସଭାରୁ ଦେଇଛନ୍ତି ଇସ୍ତଫା

Published By : Prameya-News7 Bureau | September 06, 2024 IST

ଭୁବନେଶ୍ବର ୬।୯: ବିଜେଡିରୁ ବହିଷ୍କୃତ ହେବା ପରେ ବିଜେପିରେ ସାମିଲ ହେଲେ ସୁଜିତ କୁମାର । ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ସେ ବିଧିବଦ୍ଧ ଭାବେ ବିଜେପି ଦଳରେ ସାମିଲ ହୋଇଛନ୍ତି । ରାଜ୍ୟସଭା ସାଂସଦ ପଦ ସହ ବିଜେଡିରୁ ଇସ୍ତଫା ଦେଇଥିଲେ ସୁଜିତ । ବିଜେଡି ତାଙ୍କୁ ବହିଷ୍କୃତ କରିଥିଲା । ବିଜେଡିରୁ ବହିଷ୍କୃତ ହେବାର କିଛି ସମୟ ପରେ ସେ ବିଜେପିରେ ସାମିଲ ହୋଇଛନ୍ତି ।

ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ଓକିଲାତି କରୁଥିବା ସୁଜିତ କୁମାର ବିଜେଡିରେ ଅନେକ ପଦପଦବୀରେ କାମ ତୁଲାଇଥିଲେ । ସେ ରାଜ୍ୟସଭା ଯିବା ପୂର୍ବରୁ ସ୍ବତନ୍ତ୍ର ଉନ୍ନୟନ ପରିଷଦର ପରାମର୍ଶଦାତା ଓ ରାଜ୍ୟ ଯୋଜନା ବୋର୍ଡର ସ୍ବତନ୍ତ୍ର ସଚିବ ଭାବେ କାମ କରିଥିଲେ । ୨୦୨୦ରେ ବିଜେଡି ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା । ହେଲେ ରାଜ୍ୟସଭା କାର୍ଯ୍ୟକାଳ ଆଉ ୨ ବର୍ଷ ବାକିଥିବା ବେଳେ ସୁଜିତ କୁମାରଙ୍କ ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି । ରାଜ୍ୟସଭାରୁ ଇସ୍ତଫା ଦେବାର ମାତ୍ର କେଇ ମିନିଟ୍ ଭିତରେ ସେ ବିଜେପିରେ ମିଶିଛନ୍ତି । ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଭର୍ତ୍ତୃହରି ମହତାବ, ଓଡିଶା ପ୍ରଭାରୀ ବିଜୟ ପାଲ୍ ସିଂ ତୋମାରଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି । ବିଜେପିରେ ମିଶିବା ପରେ ସୁଜିତ କୁମାର କହିଛନ୍ତି, ପୂର୍ବ ସରକାରରେ ବିଭିନ୍ନ କାର୍ଯ୍ୟରେ ହେଉଥିବା ଦୁର୍ନିତି ଉପରେ ପଦକ୍ଷେପ ନେବାକୁ ସେ ଦଳ ନେତାଙ୍କୁ ବାରମ୍ବାର କହୁଥିଲେ ବି ଦଳ ମୁଖିଆ ପଦକ୍ଷେପ ନନେବାରୁ ସେ ଇସ୍ତଫା ଦେଇଛନ୍ତି ।

You Can Read:

ରାଜ୍ୟସଭାରୁ ଇସ୍ତଫା ଦେଲେ ସାଂସଦ ସୁଜିତ କୁମାର, ଦଳରୁ ବହିଷ୍କୃତ କଲେ ସୁପ୍ରିମୋ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.