ନୂଆଦିଲ୍ଲୀ: ବର୍ତ୍ତମାନ ପାଇଁ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବ ନାହିଁ ବରଂ ସ୍ଥିର ରହିବ। ଏକଥା କହିଛନ୍ତି ଇଣ୍ଡିଆନ ଅଏଲ କର୍ପୋରେସନ (ଆଇଓସି) ଅଧ୍ୟକ୍ଷ ଅରବିନ୍ଦର ସିଂହ ସାହାନି। ଅଶୋଧିତ ତୈଳ ଦରରେ ପରିବର୍ତ୍ତନ ସତ୍ତ୍ୱେ ସ୍ଥିର ଇନ୍ଧନ ମୂଲ୍ୟ ବଜାୟ ରଖିବା ପାଇଁ କମ୍ପାନୀର ପ୍ରତିବଦ୍ଧତାକୁ ସେ ପୁଣିଥରେ ଦୋହରାଇଛନ୍ତି।
ବିଶ୍ୱ ଅର୍ଥୀକ ମଞ୍ଚ ୨୦୨୫ ବୈଠକ ଅବସରରେ ଏକ ସ୍ୱତନ୍ତ୍ର ଆଲୋଚନାରେ, ସେ ବଜାର ଅସ୍ଥିରତା ସମୟରେ ଗ୍ରାହକମାନଙ୍କ ପାଇଁ ଇନ୍ଧନର ଉପଲବ୍ଧତା ଓ ସୁଲଭତା ଉପରେ ଗୁରୁତ୍ୱ ଦେଇଥିଲେ। ବର୍ତ୍ତମାନ ଏହି ଦୁଇଟି ସୁନିଶ୍ଚିତ କରିବା ଆବଶ୍ୟକ ବୋଲି ସହାନୀ କହିଥିଲେ।
ସେ କହିଛନ୍ତି “ଆମେ (ୟୁଏସଡି) ଆଶୋଧିତ ତୈଳର ଦର ବୃଦ୍ଧି ୧୧୦-୧୨୦ ଓ ୮୦-୬୦ ପର୍ଯ୍ୟନ୍ତ ଦେଖିଛୁ। ତେଣୁ ଗତ ତିନି ବର୍ଷ କିମ୍ବା ତା'ଠାରୁ ଅଧିକ ସମୟ ମଧ୍ୟରେ, ପମ୍ପ ମୂଲ୍ୟ କମ୍ ବା ଅଧିକ ହୋଇ ସ୍ଥିର ରହିଛି। ଏଭଳି ସ୍ଥିତିରେ ଆମେ ଆମର ଜନତା, ଆମର ଗ୍ରାହକମାନଙ୍କୁ ଏହି ପରିବର୍ତ୍ତନର ଅନିୟମିତତାରୁ ସୁରକ୍ଷା ଦେଇଛୁ।"
ପଢ଼ନ୍ତୁ- ଫେବ୍ରୁଆରୀ ପହିଲାରୁ ୩୨,୫୦୦ ଟଙ୍କା ପର୍ଯ୍ୟନ୍ତ ବଢ଼ିବ ମାରୁତୀ ସୁଜୁକି କାର୍ ଦାମ୍: ଜାନୁଆରୀରେ ବି ବଢ଼ିଥିଲା
ସେହିପରି ଏଲ୍ପିଜି ମୂଲ୍ୟ ବୃଦ୍ଧି ଓ ସବ୍ସିଡିକୁ ନେଇ ପ୍ରଶ୍ନ କରିବାରୁ ଶ୍ରୀ ଯୁକ୍ତ ସାହାନୀ କହିଛନ୍ତି ଜନସାଧାରଣଙ୍କୁ ଅତ୍ୟାବଶ୍ୟକ ଇନ୍ଧନ ଯୋଗାଇବା ସହିତ ବାଲାନ୍ସ ସିଟ୍ ପରିଚାଳନା କରିବା ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ଏକ ପବ୍ଲିକ ସେକ୍ଟର କମ୍ପାନୀ ଭାବରେ, ଦେଶର କଲ୍ୟାଣ ଆମର ଲକ୍ଷ୍ୟ, ତା ସହିତ ଆମର ଅଂଶୀଦାରମାନଙ୍କୁ ମଧ୍ୟ ଲାଭ ଦେବା ମଧ୍ୟ କର୍ତ୍ତବ୍ୟ। ଏହା ଏକ ସମ୍ବେଦନଶୀଳ କାର୍ଯ୍ୟ ହୋଇଥିଲେ ବି ଆମକୁ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।
ଆଇଓସି ମୁଖ୍ୟଙ୍କର ଏହି ବୟାନରୁ ଏହା ସୁନିଶ୍ଚିତ ଯେ ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ପରିବର୍ତ୍ତନ ସତ୍ତ୍ୱେ ବି ଭାରତରେ ଇନ୍ଧନ ମୂଲ୍ୟ ସ୍ଥିର ରହିବ।