ନୂଆଦିଲ୍ଲୀ: ବଢ଼ିବ ମାରୁତୀ ସୁଜୁକି କାର୍ ଦାମ୍। ମୂଲ୍ୟ ବୃଦ୍ଧି ନେଇ ସୁଜୁକି ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି। ଭିନ୍ନ ଭିନ୍ନ ମୋଡେଲ୍ ପାଇଁ ଭିନ୍ନ ଭିନ୍ନ ମୂଲ୍ୟ ବୃଦ୍ଧି ହେବ। କାର ଦାମରେ ୧,୫୦୦ ଟଙ୍କାରୁ ୩୨,୫୦୦ ଟଙ୍କା ପର୍ଯ୍ୟନ୍ତ ଦାମ ବଢ଼ାଯିବ ବୋଲି କମ୍ପାନୀ ଘୋଷଣା କରିଛି। ଫେବ୍ରୁଆରୀ ୧ ତାରିଖରୁ ନୂଆ ଦର ଲାଗୁ ହେବ।
ଏହା ପୂର୍ବରୁ ଜାନୁଆରୀରେ ମଧ୍ୟ କାର୍ ମୂଲ୍ୟ ବଢ଼ାଇଥିଲା କମ୍ପାନୀ। ସମସ୍ତ ମଡେଲ ଉପରେ କମ୍ପାନୀ ୪% ପର୍ଯ୍ୟନ୍ତ ମୂଲ୍ୟ ବୃଦ୍ଧି କରିଥିଲା। କାର ତିଆରି ଓ ପରିଚାଳନା ଖର୍ଚ୍ଚରେ ବୃଦ୍ଧି ଯୋଗୁ କମ୍ପାନୀ ଗାଡ଼ିଗୁଡ଼ିକର ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଖର୍ଚ୍ଚର ମହଙ୍ଗା ଭାର ଗ୍ରାହକଙ୍କ ଉପରେ ଲଦିବା ଛଡ଼ା ଅନ୍ୟ ବିକଳ୍ପ ନାହିଁ ବୋଲି କମ୍ପାନୀ କହିଛି।
ମଡେଲ ଅନୁଯାୟୀ ମୂଲ୍ୟ ବୃଦ୍ଧି: ଅଧିକ ବଢ଼ିଲା ସେଲେରିଓ କାର୍
କମ୍ପାନୀ ମଡେଲ ଅନୁସାରେ କାର୍ ମୂଲ୍ୟ ବୃଦ୍ଧି କରିଥିବା ବେଳେ ସେଲେରିଓ କାର ମୂଲ୍ୟରେ ସର୍ବାଧିକ ବୃଦ୍ଧି ପାଇଛି। ଏଥିରେ ୩୨,୫୦୦ ଟଙ୍କା ବଢ଼ିଛି। ସିଆଜ୍ ଏବଂ ଜିମ୍ନିର ମୂଲ୍ୟ ୧,୫୦୦ ଟଙ୍କା ବୃଦ୍ଧି ପାଇଛି।
ଡିସେମ୍ବର ୨୦୨୪ ରେ ୧,୭୮,୨୪୮ କାର୍ ବିକ୍ରି କରିଛି ମାରୁତି
ରିପୋର୍ଟ ଅନୁସାରେ, ମାରୁତି ସୁଜୁକି ଗତବର୍ଷ ଡିସେମ୍ବର ମାସରେ ୧,୭୮,୨୪୮ ୟୁନିଟ୍ ବିକ୍ରି କରିଥିଲା। ଯାହା ୨୦୨୩ ତୁଳନାରେ ୩୦% ଅଧିକ। ମୋଟ ବିକ୍ରିରେ ଘରୋଇ ବିକ୍ରି ୧,୩୨,୫୨୩ ୟୁନିଟ୍ ହୋଇଥିବା ବେଳେ ରପ୍ତାନି ହୋଇଥିଲା ୩୭,୪୧୯ ୟୁନିଟ୍। ସେହିପରି ଅନ୍ୟ ଓଇଏମ୍ ଗୁଡିକୁ ବିକ୍ରି ହୋଇଥିଲା ୮,୩୦୬ ୟୁନିଟ୍।
ମାରୁତି ସୁଜୁକି ୨୦୨୪-୨୫ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ (ଜୁଲାଇ-ସେପ୍ଟେମ୍ବର)ରେ ୩,୦୬୯ କୋଟି ଟଙ୍କାର ଲାଭ (ଷ୍ଟାଣ୍ଡାଲୋନ୍ ନେଟ୍ ପ୍ରଫିଟ୍) କରିଛି। ହେଲେ ବାର୍ଷିକ ଆଧାରରେ ଦେଖିଲେ ଏହା ୧୭ % ହ୍ରାସ ପାଇଛି। ଏହା ପୂର୍ବ ଆର୍ଥିକ ବର୍ଷରେ କମ୍ପାନୀ ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ ୩୭୧୭ କୋଟି ଲାଭ କରିଥିଲା।
ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ କମ୍ପାନୀର ଅପରେସନାଲ ରେଭିନ୍ୟୁ ୩୭,୨୦୩ କୋଟି ଟଙ୍କା ଥିଲା। ଜୁଲାଇ-ସେପ୍ଟେମ୍ବର ୨୦୨୩ ରେ, କମ୍ପାନୀ ୩୭,୦୬୨ କୋଟି ଟଙ୍କାର ରାଜସ୍ୱ ଆୟ କରିଥିଲା। ବାର୍ଷିକ ଆଧାରରେ ଦେଖିଲେ ଏଥିରେ ୦.୩୭% ର ସାମାନ୍ୟ ବୃଦ୍ଧି ଘଟିଥିଲା।