ନୂଆଦିଲ୍ଲୀ: ଦୁନିଆର ପ୍ରାୟ ସବୁ ପ୍ରମୁଖ ସେୟାର ମାର୍କେଟ୍ ତୁଳନାରେ ଭାରତୀୟ ପୁଞ୍ଜି ବଜାରରେ ଗତ ଏକ ମାସରେ ସବୁଠୁ ଅଧିକ ହ୍ରାସ ଘଟିଛି । ଭାରତୀୟ ସେୟାର ବଜାରରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମୋଟ ମାର୍କେଟ୍ କ୍ୟାପ୍ ଗତ ଏକ ମାସରେ ପ୍ରାୟ ୪୬୩ ବିଲିୟନ ଡଲାର ହ୍ରାସ ପାଇଛି ଏବଂ ଏବେ ଏହା ୪.୭ ଟ୍ରିଲିୟନ ଡଲାର ହୋଇଛି । ମୋଟ ଉପରେ ଏହା ପ୍ରାୟ ୯ ପ୍ରତିଶତ ହ୍ରାସ ପାଇଛି, ଯାହା ଦୁନିଆର ଅନ୍ୟ ସମସ୍ତ ପ୍ରମୁଖ ସେୟାର ବଜାରଠାରୁ ବହୁ ଅଧିକ । ବ୍ଲୁମବର୍ଗର ଡାଟାରୁ ଏହି ତଥ୍ୟ ସାମନାକୁ ଆସିଛି ।
ଆମେରିକା ସେୟାର ମାର୍କେଟରେ କେବଳ ୧.୮ ପ୍ରତିଶତ ହ୍ରାସ ପାଇ ଏବେ ୬୩ ଟ୍ରିଲିୟନ ଡଲାରରେ ରହିଛି । ଅନ୍ୟପଟେ ଚୀନରେ ୬.୨ ପ୍ରତିଶତ, ୟୁକେ ମାର୍କେଟରେ ୪.୧ ପ୍ରତିଶତ, କାନାଡାରେ ୩.୨ ପ୍ରତିଶତ ହ୍ରାସ ରେକର୍ଡ ହୋଇଛି । ଜାପାନ ଏବଂ ହଂକଂ ମାର୍କେଟରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମୋଟ ବାଜର ପୁଞ୍ଜିରେ ପ୍ରାୟ ୨.୩ ପ୍ରତିଶତ ହ୍ରାସ ଘଟିଛି । ତେବେ ସାଉଦି ଆରବର ପ୍ରଦର୍ଶନ ଭଲ ରହିଛି । ରୁଷ ଏବଂ ଇରାନ ଉପରେ କଟକଣା ଯୋଗୁଁ ଅଶୋଧିକ ତୈଳର ମୂଲ୍ୟରେ ବୃଦ୍ଧି, ଏଠାକାର ବଜାରକୁ ଲାଭ ପହଞ୍ଚାଇଛି । ୨.୭ ଟ୍ରିଲିୟନ ଡଲାର ସହ ସାଉଦି ଷ୍ଟକ୍ ମାର୍କେଟ୍ ଦୁନିଆର ୯ମ ସ୍ଥାନରେ ରହିଛି ।
ଭାରତୀୟ ସେୟାର ମାର୍କେଟ୍ ଉପରେ ଚାପର କାରଣ
- ଗତ ଏକ ମାସକେ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୨ ପ୍ରତିଶତ ଦୁର୍ବଳ ହୋଇ ପ୍ରତି ଡଲାର ୮୬ ଟଙ୍କା ଉପରେ କାରବାର କରୁଛି ।
- ଭାରତୀୟ ମୁଦ୍ରା ଦୁର୍ବଳ ହେବା ଯୋଗୁଁ ବିଦେଶୀ ନିବେଶକଙ୍କ ପାଇଁ ଘରୋଇ ପୁଞ୍ଜି ବଜାର କମ୍ ଆକର୍ଷଣୀୟ ହୋଇଛି ।
- ବିଦେଶୀ ସଂସ୍ଥାଗତ ନିବେଶକ (ଏଫପିଆଇ) ଚଳତ ମାସରେ ଏବେ ସୁଦ୍ଧା ୬.୭ ବିଲିୟନ ଡଲାରର ସେୟାର ବିକ୍ରି କରିସାରିଛନ୍ତି । ଚଳିତ ମାସରେ ଜାନୁଆରୀ ୨କୁ ଛାଡ଼ି ସବୁ ଦିନ ଭାରତୀୟ ସେୟାର ବଜାରରୁ ପୁଞ୍ଜି ପ୍ରତ୍ୟାହର କରିଛନ୍ତି ।
- ଭାରତ ଅଶୋଧିକ ତୈଳ ପାଇଁ ଆମଦାନୀ ଉପରେ ନିର୍ଭର କଲେ । ତେଲର ମୂଲ୍ୟ ବୃଦ୍ଧି ଯୋଗୁ ଆମଦାନୀ ଖର୍ଚ୍ଚ ବଢିଥିବାରୁ ଚାପ ଅଧିକ ବଢିଛି ।