ଶନିବାର ଶ୍ରୀଜିଉଙ୍କ ଗଜ ଉଦ୍ଧାରଣ ବେଶ, ଚାଲିଛି ଠାକୁରଙ୍କ ବେଶ ପ୍ରସ୍ତୁତି

Published By : Prameya-News7 Bureau | February 23, 2024 IST

ପୁରୀ ୨: ଶନିବାର ପବିତ୍ର ମାଘ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହେବ । ମଧ୍ୟାହ୍ନ ଧୂପ ବଢ଼ିବା ପରେ ଶ୍ରୀମନ୍ଦିର ରତ୍ନସିଂହାସନ ଉପରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଅନୁଷ୍ଠିତ ହେବ । ସନ୍ଧ୍ୟା ଧୂପରେ ଠାକୁରଙ୍କୁ ଖିରି ଓ ଅମାଲୁ ଭୋଗ କରାଯିବ ।

ପୌରାଣିକ କଥାବସ୍ତୁ ଅନୁଯାୟୀ ଏକଦା ବରୁଣ ହ୍ରଦରେ ଗଜରାଜ ସ୍ନାନ କରୁଥିବା ବେଳେ କୁମ୍ଭୀର ତାଙ୍କୁ ଆକ୍ରମଣ କରିଥିଲା । ଗଜରାଜ କ୍ଷତବିକ୍ଷତ ଅବସ୍ଥାରେ ବିକଳ ହୋଇ ଉଦ୍ଧାର ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ । ଭକ୍ତର ଡାକ ଶୁଣି ଠାକୁର କୁମ୍ଭୀର କବଳରୁ ଗଜରାଜକୁ ଉଦ୍ଧାର କରିଥିଲେ । ସେହି ସ୍ମୃତିରେ ଶହ ଶହ ବର୍ଷ ଧରି ଠାକୁରଙ୍କ ଏହି ଗଜ ଉଦ୍ଧାରଣ ବେଶ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇ ଆସୁଥିବା ବେଳେ ଏହି ବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଚତୁର୍ଭୁଜ ହୋଇ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିବେ । ଗରୁଡ଼ ଉପରେ ବସିବା ଭଙ୍ଗିରେ ଲକ୍ଷ୍ମୀ ପ୍ରତିମାଙ୍କୁ କୋଳରେ ଧାରଣ କରିଥିବେ ମହାପ୍ରଭୁ । ଠାକୁରଙ୍କ ସମୀପରେ ଦୁଇଟି ହାତୀ ଶୁଣ୍ଢରେ ପଦ୍ମକଢି ଧରି ମଧ୍ୟ ଦଣ୍ଡାୟମାନ ରହିଥିବେ। ସେହିପରି ବଳଭଦ୍ର ଚତୁଃହସ୍ତରେ ଶଙ୍ଖ, ଚକ୍ର, ହଳ ଓ ମୁଷଳ ଧାରଣ କରି ବାସୁଦେବଙ୍କ ରୂପରେ ଓ ଦେବୀ ସୁଭଦ୍ରା ଶ୍ରୀକୃଷ୍ଣଙ୍କ ସଦୃଶ ପାଦ ଛନ୍ଦି ଏକ ପଦ୍ମ କଢ ଧରି ବିରାଜମାନ କରିବେ। 

ତେବେ ଶ୍ରୀଜିଉଙ୍କ ଏହି ବେଶ ବଡ଼ ମନଲୋଭା ହୋଇଥିବା ବେଳେ ଶ୍ରୀମନ୍ଦିର ନୀଳାଦ୍ରି ମ୍ୟୁଜିୟମରେ ଚାଲିଛି ଠାକୁରଙ୍କ ବେଶ ପ୍ରସ୍ତୁତି । ଦୟଣା ମାଳି ସେବକ ବସନ୍ତ କୁମାର ରଣାଙ୍କ ତତ୍ତ୍ୱାବଧାନରେ ୫ ଜଣ କାରିଗରଙ୍କ ସମେତ ଦର୍ଜୀ ଓ ଚିତ୍ରକର ସେବକ ଠାକୁରଙ୍କ କାର୍ଯ୍ୟରେ ଲାଗିଛନ୍ତି । ସୋଲ, ଜରି, ଜମ୍ୱୁରା, କନା, କଇଁଥ ଅଠାରେ ମହାପ୍ରଭୁଙ୍କ ଏହି ବେଶ ପ୍ରସ୍ତୁତ କରାଯାଉଛି । ଚୂଳ, କିରୀଟ, କୁଣ୍ଡଳ, ସୂର୍ଯ୍ୟ, ଚନ୍ଦ୍ର, ହତା, ବାଜୁବନ୍ଧ, ହାତଫେର, ଆୟୁଧ, ଶଙ୍ଖ, ଚକ୍ର, ଗଦା, ପଦ୍ମ, ହଳ, ମୂଷଳ, ବାଙ୍କି, ପାହୁଡ଼, ଗୋଡଖଡ଼ୁ, ହାତମାଳ, ନାକଚଣା, ପଦ୍ମକଢ଼ି ଆଦି ଅଳଙ୍କାର ଶନିବାର ଗଜ ଉଦ୍ଧାରଣ ବେଶରେ ଶ୍ରୀଜିଉଙ୍କୁ ଲାଗି ହେବ ବୋଲି କହିଛନ୍ତି ମୁଖ୍ୟ ବେଶ କାରିଗର ।

ତେବେ ପୂର୍ବରୁ ମହାରାଣୀ ଓ ପରେ ଜଜମାନମାନେ ଠାକୁରଙ୍କ ଏହି ବେଶର ଦାୟିତ୍ୱ ନେଉଥିଲେ । ୧୯୭୯ ମସିହାରୁ ଶ୍ରୀମନ୍ଦିର ପ୍ରଶାସନ ତତ୍ୱାବଧାନରେ ମହାପ୍ରଭୁଙ୍କ ବେଶ ଅନୁଷ୍ଠିତ ହେଉଥିବା ବେଳେ ଏହି ଦୁର୍ଲଭ ବେଶକୁ ଦର୍ଶନ କରିବା ପାଇଁ ଭକ୍ତମାନଙ୍କ ମଧ୍ୟରେ ବେଶ୍ ଉତ୍କଣ୍ଠା ରହିଛି । 

You Can Read :

wp:embed {"url":"https://www.prameyanews7.com/jajpurs-surendra-panda-joins-bjd/","type":"wp-embed","providerNameSlug":"prameya-news-7"}
https://www.prameyanews7.com/jajpurs-surendra-panda-joins-bjd/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.