ଭୁବନେଶ୍ଵର: ଏବେ ଗଣମାଧ୍ୟମ ଜଗତରେ ଡିଜିଟାଲ ମିଡିଆ ଅଧିକ କ୍ଷୀପ୍ର ଭାବରେ ତାର ସ୍ଥିତି ଜାହିର କରିଚାଲିଛି। ଖବରକାଗଜ ଓ ଟେଲିଭିଜନ ଗଣମାଧ୍ୟମ ଭଳି ଏହା ଅଧିକରୁ ଅଧିକ ଆଦୃତ ହେଉଛି। ତେବେ ଟେକ୍ନୋଲୋଜୀର ଯୁଗରେ ତଥା ପାଠକ ଓ ଦର୍ଶକଙ୍କ ରୁଚିକୁ ଗଣମାଧ୍ୟମ ଅଧିକ ଗୁରୁତ୍ବ ଦେଉଥିବା ବେଳେ ମୌଳିକ ଖବର ସହ ସୃଜନଶୀଳତା, ଉପସ୍ଥାପନର ଗ୍ରହଣୀୟତା, ଟେକ୍ନୋଲୋଜୀ ସହ ଶୀଘ୍ର, ସଠିକ ଏବଂ ସରଳ ଉପସ୍ଥାପନା ଡିଜିଟାଲ ଗଣମାଧ୍ୟମର ଆଦୃତିର ଅସ୍ତ୍ର। ଏଥିଲାଗି ନିଜସ୍ବ ଢ଼ଙ୍ଗରେ ଖବର ପରିବେଷଣ ବେଳେ ପାଠକଙ୍କ ଚହିଦା, ଆବଶ୍ୟକତା ଏବଂ ଗ୍ରହଣୀୟତାକୁ ସର୍ବାଧିକ ଗୁରୁତ୍ବ ଦିଆଯିବା ଉଚିତ। ଶୀଘ୍ର ଓ ସଠିକ ଖବର ଦେବାରେ ଡିଜିଟାଲ ମିଡିଆ ଗୁରୁତ୍ବପୂର୍ଣ୍ଣ ଭୁମିକା ନିଭାଉଥିବାରୁ ଏଥିପ୍ରତି ଅଧିକ ଧ୍ୟାନ ଦିଆଯିବା ଉଚିତ। ଦୈନିକ ଖବରକାଗଜ ପ୍ରମେୟ ଏବଂ ଟେଲିଭିଜନ ଚ୍ୟାନେଲ ନ୍ୟୁଜ୍ ସେଭେନର ତିନୋଟି ଡିଜିଟାଲ ଓ୍ବିଙ୍ଗ୍ର ସ୍ବନକ୍ଷତ୍ର ଦିବସରେ ଏପରି ମତ ରଖିଛନ୍ତି ବରିଷ୍ଠମାନେ।
ନ୍ୟୁଜ୍ ସେଭେନ କାର୍ଯ୍ୟାଳୟରେ ଓଡ଼ିଆ ପୋର୍ଟାଲ ପ୍ରମେୟ ଡଟ୍ କମ୍ ଏବଂ ପ୍ରମେୟ ନ୍ୟୁଜ୍ ସେଭେନ୍ ଡଟ୍ କମ୍ ତଥା ଇଂରାଜୀ ପୋର୍ଟାଲ ପ୍ରମେୟ ନ୍ୟୁଜ୍ ଡଟ୍ କମ୍ର ଷଷ୍ଠ ସ୍ବନକ୍ଷତ୍ର ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରମେୟ ନ୍ୟୁଜ୍ ସେଭେନ୍ ତଥା ସୁମା ରିୟଲ୍ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁନିଲ କୁମାର ଦାସ, ପ୍ରମେୟ ନ୍ୟୁଜ୍ ସେଭେନ୍ ଗ୍ରୁପ୍ ଏଡିଟର ଗୋପାଳ କୃଷ୍ଣ ମହାପାତ୍ର, ଡାଇରେକ୍ଟର ସେଲ୍ସ ଆଣ୍ଡ୍ ମାର୍କେଟିଂ ହିମାଂଶୁ ଶେଖର ହୋତା, ନ୍ୟୁଜ୍ ସେଭେନ୍ର କାର୍ଯ୍ୟକାରୀ ସମ୍ପାଦକ ଦେବନାରାୟଣ ସେଠି ଏବଂ ପ୍ରମେୟ ନ୍ୟୁଜ୍ ସେଭେନ୍ ଡିଜିଟାଲ ମୁଖ୍ୟ ଅମରେଶ ଦାସ ସେମାନଙ୍କର ବକ୍ତବ୍ୟ ରଖିବା ଅବସରରେ ତିନି ପୋର୍ଟାଲର ସ୍ଥିତି, ଆବଶ୍ୟକତା, କାର୍ଯ୍ୟଧାରା, ଲକ୍ଷ୍ୟ ସହ ଆଗାମୀ ଯାତ୍ରା ନେଇ ବକ୍ତବ୍ୟ ରଖିଛନ୍ତି।
ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁନିଲ କୁମାର ଦାସ କହିଥିଲେ ଯେ,' ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଭିତ୍ତିଭୂମି ପ୍ରତିଷ୍ଠା କରିବାରେ ଆମେ ଯେଉଁଭଳି ଭାବେ ସୁନାମ ଅର୍ଜନ କରିଛେ, ସେହପରି ଖବରରେ ଆମେ ଆମର ପ୍ରକୃତ ଦାୟିତ୍ବକୁ ସଠିକ୍ ରୁପେ ତୁଲାଇବା ଆବଶ୍ୟକ। ସଠିକ୍ ଏବଂ ତଥ୍ୟଭିତ୍ତିକ ଖବର ପ୍ରସାରଣ କରିବା ଆମର ମୌଳିକ ଲକ୍ଷ୍ୟ ଅଟେ। ଯାହାକି ପାଠକୀୟଙ୍କ ମନରେ ସକାରାତ୍ମକ ବାର୍ତ୍ତା ପହଞ୍ଚାଇବା ସହିତ ଆମର ବିକାଶମୁଳକ କାର୍ଯ୍ୟରେ ମଧ୍ୟ ସହାୟକ ହେବ। ଶସ୍ତା ଲୋକପ୍ରିୟତା ପାଇଁ ଖବରର ପ୍ରକୃତ ତଥ୍ୟକୁ ଏଡ଼ାଇବା ଆମର ଲକ୍ଷ୍ୟ ନୁହେଁ ବରଂ ସଠିକ ସମୟରେ ସଠିକ୍ ଖବର ପାଠକୀୟଙ୍କୁ ଭେଟିବା ଆମର ମୁଖ୍ୟ ଉଦ୍ଦେଶ୍ୟ। ସମାଜ ପାଇଁ ଆବଶ୍ୟକ ଥିବା ଖବରକୁ ଆମେ ପ୍ରାଧାନ୍ୟ ଦେଇଆସିଛୁ। ସୃଜନଶୀଳତା ବଢ଼ାଇବା ସହିତ ଶବ୍ଦରେ ଖେଳି ପାଠକୀୟଙ୍କ ପାଇଁ ଉପଯୋଗୀ ଖବର ପରିବେଷଣ କରିବା ଆବଶ୍ୟକ।'
ଗ୍ରୁପ୍ ଏଡିଟର ଗୋପାଳକୃଷ୍ଣ ମହାପାତ୍ର ତାଙ୍କ ବକ୍ତବ୍ୟରେ, ସାମାଜିକ ଗଣମାଧ୍ୟମର ଗୁରୁତ୍ବ ତତ୍ସହିତ ଛାପା ଓ ବୈଦ୍ୟୂତିକ ଗଣମାଧ୍ୟମ ମଧ୍ୟରେ ଲେଖନୀର ତାରତମ୍ୟକୁ ବୁଝାଇଥିଲେ। ସେ କହିଥିଲେ ଯେ, ବର୍ତ୍ତମାନ ଡିଜିଟାଲ ମିଡିଆରେ ସୂଚନା, ତଥ୍ୟ ଏବଂ ଶବ୍ଦ ମାଧ୍ୟମରେ ଖବର କଲେ ଏହା ହିଁ ପାଠକାଦୃତି ହୋଇପାରିବ। ଖବରର ମୌଳିକତାକୁ ଗୁରୁତ୍ବ ସହିତ ସୃଜନଶୀଳତା ଏବଂ ପ୍ରଯୁକ୍ତିର ସମ୍ମିଶ୍ରଣ ହେଉଛି ଡିଜିଟାଲ ମିଡିଆର ବଡ଼ ଶକ୍ତି। ଅତି ଶୀଘ୍ର ଏବଂ ସତ୍ୟ ସଠିକ୍ ଖବର ପରିବେଷରେ ଗୁରୁତ୍ବ ଡିଜିଟାଲ ମିଡିଆକୁ ଅଧିକ ଲୋକପ୍ରିୟ ଏବଂ ପ୍ରଭାବି କରିଥାଏ। ଗଣମାଧ୍ୟମର ଅନ୍ୟ ଦୁଇ ମାଧ୍ୟମ ଖବରକାଗଜ ଏବଂ ଟେଲିଭିଜନ ଭଳି ଉପସ୍ଥାପନ ବା ପରିବେଷଣ ହିଁ ଖବରକୁ ଆଦୃତ କରିବାରେ ଗୁରୁତ୍ବ ରଖେ। ତାହା ମଧ୍ୟ ଡିଜିଟାଲ ଗଣମାଧ୍ୟମରେ ସମାନ ଗୁରୁତ୍ବ ବହନ କରିଥାଏ।'
ଡାଇରେକ୍ଟର ସେଲ୍ସ ଆଣ୍ଡ୍ ମାର୍କେଟିଂ ହିମାଂଶୁ ଶେଖର ହୋତା ମଧ୍ୟ ସାମାଜିକ ଗଣମାଧ୍ୟମରେ ଲେଖକ ଓ ପାଠକଙ୍କର ଭୁମିକା ଉପରେ ଗୁରୁତ୍ବାରୋପ କରିଥିଲେ। ସେ କହିଥିଲେ ଯେ,' ଆଜିର ସମାଜରେ ଅନେକ ଖବର କପୋଳପଳ୍ପିତ ଅଟେ।' ଶସ୍ତା ଖବର ପରିବେଷଣ କରି ଲୋକପ୍ରିୟତା ହାସଲ କରିବା ଆମର ଲକ୍ଷ୍ୟ ନୁହେଁ, ବରଂ ସଠିକ୍ ଏବଂ ତଥ୍ୟପୂର୍ଣ୍ଣ ଖବର ଯୋଗଇବା ଏକ ସ୍ଥାୟୀ ଗଣମାଧ୍ୟମର ପ୍ରକୃତ ପରିଚୟ, ଯାହାକି ଏହାର ପାଠକୀୟଙ୍କୁ ବାନ୍ଧି ରଖେ। ଡିଜିଟାଲ ଗଣମାଧ୍ୟମ, ଛାପା ଗଣମାଧ୍ୟମ ଏବଂ ବୈଦ୍ୟୁତିକ ଗଣମାଧ୍ୟମ ଭିତରେ ଅନେକ ଫରକ ରହିଛି। ଶୀଘ୍ର, ସହଜ ଓ ସରଳ ହେଉଛି ଡିଜିଟାଲ ଗଣମାଧ୍ୟମର ଲୋକପ୍ରିୟତାର ଅନ୍ୟ ପ୍ରଧାନ ଦିଗ। ଏଥିପାଇଁ ବୈଷୟୀକ ଜ୍ଞାନର ଆବଶ୍ୟକତା ରହିଛି ।
ନ୍ୟୁଜ୍ ସେଭେନ୍ର କାର୍ଯ୍ୟକାରୀ ସମ୍ପାଦନ ଦେବ ନାରାୟଣ ସେଠି ଡିଜିଟାଲ ଗଣମାଧ୍ୟମର ପରିସର ବୃଦ୍ଧି ଉପରେ ଗୁରୁତ୍ବାରୋପ କରିଥିଲେ। ପରିସର ବୃଦ୍ଧି କରିବା ପାଇଁ ଏକ ବ୍ୟବସ୍ଥିତ ବୈଠକ ଏବଂ ମାର୍ଗଦର୍ଶିକାର ଆବଶ୍ୟକତା ରହିଛି। ଦ୍ରୁତ ଆଧୁନିକ ଯୁଗରେ ଡିଜିଟାଲ ଗଣମାଧ୍ୟମକୁ ବଢ଼ାଇବା ପାଇଁ ଭବିଷ୍ୟତକୁ ନଜରରେ ରଖିବା ଆବଶ୍ୟକ। ତେବେ ସେହିପରି ଭାବେ ପ୍ରମେୟ ନ୍ୟୁଜ୍ ସେଭେନ୍ ଡିଜିଟାଲ ହେଡ୍ ଅମରେଶ ଦାସ ଅର୍ଗାନିକ ନ୍ୟୁଜ୍ ସହ ନିଜସ୍ବ ଶୈଳୀ, ମୌଳିକତା ଏବଂ ଟେକ୍ନୋଲୋଜୀର ଗୁରୁତ୍ବ ନେଇ କହିବା ସହ ଆଗକୁ ତିନି ପୋର୍ଟାଲର କିଛି ନୁତନ କାର୍ଯ୍ୟକ୍ରମ ନେଇ ସୂଚନା ଦେଇଥିଲେ। ପ୍ରଶଂସା ନୁହେଁ ସମାଲୋଚନାକୁ ଗୁରତ୍ବ ଦେଇ ଆମେ ଆଗକୁ ବଢ଼ିବା ବୋଲି ସେ ମତ ରଖିଥିଲେ।