ବରଗଡ଼: ରାତି ପାହିଲେ ବରଗଡ଼ ଧନୁଯାତ୍ରା । ବରଗଡ଼ ପାଲଟିଯିବ ମଥୁରାନଗରୀ । ଆଉ ଶାସନ ଭାର ଚାଲିଯିବ ମହାରାଜ କଂସଙ୍କ ହାତକୁ । ୧୧ ଦିନ ଧରି ମଥୁରା ନଗରୀରେ କଂସର ଅତ୍ୟାଚାରରେ ହେବ ଥରହର । ଆସନ୍ତାକାଲି ଉଦଘାଟନ ହେବ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ବରଗଡ ହାଟପଦାରେ ବସିବ ମହାରାଜ କଂସଙ୍କ ରାଜଦରବାର । ଲୋକମଣ୍ଡପ ପଡ଼ିଆରେ ଚାଲିବ ରଂଗ ମହଲ । ଆସନ୍ତାକାଲିଠାରୁ ବରଗଡ଼ ଧନୁଯାତ୍ରା ଆରମ୍ଭ ହେବାକୁ ଯାଉଥିବା ବେଳେ ଏହାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବରଗଡ଼ ସହରରେ ଏଥିପାଇଁ ନିର୍ମାଣ ହୋଇଛି ବଡ଼ବଡ଼ ତୋରଣ । ଭଗବାନ ଶ୍ରୀକୃଷ୍ଣଙ୍କୁ ସ୍ବାଗତ କରିବା ପାଇଁ ସଜେଇ ହୋଇଛି ଗୋପପୁର ଅମ୍ବାପାଲି । ଆସନ୍ତାକାଲି ଅପରାହ୍ନରେ ପ୍ରଚାର ପ୍ରସାର କମିଟି ତରଫରୁ ଭବ୍ୟ ସାଂସ୍କୃତିକ ଶୋଭାଯାତ୍ରା ସହ ଆରମ୍ଭ ହେବ ୭୭ ତମ ବରଗଡ ଧନୁଯାତ୍ରା । ୧୧ ଦିନ ଧରି ପାଳିତ ହେଉଥିବା ଏହି ଧନୁଯାତ୍ରା ପାଇଁ ବରଗଡ ସହର ଚଳଚଞ୍ଚଳ ହୋଇପଡିଛି । ସାରା ସହର ଉଜ୍ଜଳ ଆଲୋକମାଳାରେ ସଜ୍ଜିତ କରାଯାଇଛି ।
Also read: ଓଡ଼ିଶାରେ ବି ଆଗାମୀ ୩ ମାସ ଅଧିକ ବର୍ଷା ହୋଇପାରେ, କମିପାରେ ଶୀତ
ଅପରାହ୍ନରେ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରି ବରଗଡର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କଠାରେ ପହଞ୍ଚିବ । ସେଠାରେ ଯାତ୍ରାର ସଫଳତା ନେଇ ପୂଜାର୍ଚ୍ଚନା କରାଯିବା ପରେ ସେହି ଶୋଭାଯାତ୍ରା ହାଟପଦାସ୍ଥିତ ରାଜ ଦରବାରରେ ପହଞ୍ଚିବ । ଧନୁଯାତ୍ରାକୁ ସରସ ସୁନ୍ଦର କରିବାର ଆଶା ରହିଛି ବୋଲି ବରଗଡ଼ ବିଧାୟକ ଓ ନାଟ୍ୟ ନିର୍ଦ୍ଦେଶକ ଅଶୋକ ବେହେରା କହିଛନ୍ତି ।
ଶୋଭାଯାତ୍ରା ରାଜଦରବାରରେ ପହଞ୍ଚିବା ପରେ ଆନୁଷ୍ଠାନିକ ଭାବରେ ଉଦଘାଟିତ ହେବ ୭୭ ତମ ବରଗଡ ଧନୁଯାତ୍ରା । ସେପଟେ କଳାକାରମାନଙ୍କ ମଞ୍ଚରେ ରିହର୍ସାଲ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ହାଟପଦାଠାରେ ରାଜଦରବାର ଏବଂ ଲୋକମଣ୍ଡପ ପଡିଆଠାରେ ରଙ୍ଗମହଲ କାର୍ଯ୍ୟ ଶେଷ ପର୍ଯ୍ୟାୟରେ। ଆଜି ବରଗଡ ବିଧାୟକ ଏବଂ ଜିଲ୍ଳାପାଳ ତଥା ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ଲୋକମଣ୍ଡପ ପଡିଆରେ ପହଞ୍ଚି ଯାତ୍ରା ପ୍ରସ୍ତୁତିର ସମୀକ୍ଷା କରି ମଞ୍ଚ ନିର୍ମାଣର ତଦାରଖ କରିଛନ୍ତି ।
ଚଳିତ ବର୍ଷ ଭୁବନେଶ୍ବର ପ୍ରଧାନ ବରଗଡ଼ ଧନୁଯାତ୍ରାର ମହାନାୟକ କଂସ ଭୂମିକାରେ ଅଭିନୟ କରୁଛନ୍ତି । ସେହିଭଳି ସ୍ବପ୍ନିଲ ମହାପାତ୍ର ଭଗବାନ ଶ୍ରୀକୃଷ୍ଣ ଏବଂ ଦିବ୍ୟାଂଶୁ ବିର୍ତ୍ତିଆ ବଲରାମ ଭୂମିକାରେ ଅଭିନୟ କରୁଛନ୍ତି । ବରଗଡ଼ ଧନୁଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଆୟୋଜକ କମିଟି ଲାଗି ପଡିଥିବା ବେଳେ ମଥୁରାବାସୀ ଅପେକ୍ଷା କରି ରହିଛନ୍ତି ସେହି ଶୁଭ ମୁହୁର୍ତ୍ତକୁ।