ଭୁବନେଶ୍ଵର: ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରି ସେହି ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର । ହେଲେ ସବୁଥର ଭଳି ଏଥର ବି ନିରାଶ ହୋଇଛନ୍ତି ଭାଗଚାଷୀ । ଜମି ମାଲିକଙ୍କୁ ମିଳୁଥିବା କ୍ଷତିପୂରଣରୁ ସେମାନେ ଭାଗଚାଷୀଙ୍କୁ ଯାହା ଦେବା କଥା ଦେବେ । କିନ୍ତୁ ସରକାରଙ୍କ ଠାରୁ ଭାଗଚାଷୀ ସିଧାସଳଖ କୌଣସି କ୍ଷତିପୂରଣ ପାଇବାର ସୁଯୋଗ ନାହିଁ । ଯାହାକୁ ନେଇ ରାଜନୀତି ଆରମ୍ଭ ହୋଇଥିବା ବେଳେ ତୁରନ୍ତ ଭାଗଚାଷୀ ଆଇନ୍ ଆଣିବାକୁ ଦାବି ହୋଇଛି ।
ଅଦିନିଆ ବର୍ଷା ଚାଷୀଙ୍କ ଅଣ୍ଟା ଭାଙ୍ଗିଲା ।ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେଲେ ଭାଗ ଚାଷୀ । ପ୍ରତିଦିନ କେହି କେହି ଭାଗ ଚାଷୀ ଚାଷ ଜନିତ କ୍ଷୟକ୍ଷତି ପାଇଁ ଜୀବନ ହାରୁଥିବାର ଖବର ସାମ୍ନାକୁ ଆସୁଛି । ହେଲେ ସରକାରୀ ଯୋଜନାରେ ସେମାନଙ୍କ କ୍ଷତି ଭରଣା ପାଇଁ କୌଣସି ସୁଯୋଗ ନାହିଁ । ରାଜ୍ୟରେ ପ୍ରାୟ ୧୯ ଲକ୍ଷ ଭାଗ ଚାଷୀ ଥିବା ବେଳେ ଏବେ ସୁଦ୍ଧା ସେମାନେ ସରକାରୀ ଯୋଜନା ଠାରୁ ବହୁ ଦୂରରେ । କାରଣ ଭାଗ ଚାଷୀଙ୍କ ପାଇଁ ଆଇନ ନଥିବାରୁ ସେମାନେ ଅଦିନିଆ ବର୍ଷା ଜନିତ କ୍ଷୟକ୍ଷତି ପାଇଁ ସରକାରୀ ସହାୟତା ପାଇପାରିବେ ନାହିଁ। ଯାହାକୁ ନେଇ ତେଜିଛି ରାଜନୀତି । ବିରୋଧୀ ସରକାରଙ୍କୁ ଘେରିଥିବା ବେଳେ ତୁରନ୍ତ ଭାଗ ଚାଷୀ ଆଇନ ଆଣି ସେମାନଙ୍କୁ ସହାୟତା ଦିଆଯାଉ ବୋଲି ଦାବି କରିଛନ୍ତି ।
Also read: ଭତ୍ତାକୁ ନେଇ ତେଜିଲା ରାଜନୀତି, କ୍ୟାବିନେଟ ନିଷ୍ପତ୍ତି ପରେ ଘେରିଲେ ବିରୋଧୀ
ଭାଗ ଚାଷୀଙ୍କୁ ସହାୟତା ଦେବା କଥା ଉଠିଲେ ସରକାର ଆଇନ କଥା କହୁଛନ୍ତି । ହେଲେ ବିଭିନ୍ନ ଜିଲ୍ଲାରେ ଯେଉଁ ଭଳି ଭାବେ ଅଦିନିଆ ବର୍ଷା ଯୋଗୁଁ ଚାଷ କ୍ଷୟକ୍ଷତି ହୋଇଛି ସେଥିରେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଭାଗ ଚାଷୀ । ବିଜେପି ସାଂସଦ ବଳଭଦ୍ର ମାଝୀ କହିଛନ୍ତି ଭାଗ ଚାଷୀଙ୍କୁ ସହାୟତା ଦେବାକୁ କୌଣସି ଆଇନ ନାହିଁ । କେନ୍ଦ୍ର ସରକାର ୩ଟି କୃଷି ବିଲ ଆଣିଥିଲେ । ଯେଉଁଥିରେ ଭାଗଚାଷୀଙ୍କ ପାଇଁ ଆଇନ ଥିଲା। ହେଲେ ବିରୋଧୀ ଏହାକୁ ବିରୋଧ କରିବାରୁ ବିଲ୍ ଫେରିଗଲା । ତାହା ଲାଗୁ ହୋଇଥିଲେ ଏବେ ଭାଗ ଚାଷୀ ଉପକୃତ ହୋଇଥାନ୍ତେ ବୋଲି କହିଛନ୍ତି ବିଜେପି ସାଂସଦ ବଳଭଦ୍ର ମାଝୀ ।
ପୂର୍ବରୁ ଭାଗ ଚାଷୀଙ୍କ ପାଇଁ କୌଣସି ଆଇନ୍ ପ୍ରଣୟନ ହୋଇନଥିବାରୁ ବର୍ତ୍ତମାନ ସେମାନେ କ୍ଷୟକ୍ଷତି ଜନିତ ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି । ଆଗାମୀ ଦିନରେ ଭାଗ ଚାଷୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଆଇନ୍ ଆସିବା ଜରୁରୀ ହୋଇପଡ଼ିଛି।