ନୂଆଦିଲ୍ଲୀ,୩୧/୧୨: ୨୪୦ ଲକ୍ଷ କେଜି, ଅର୍ଥାତ ୨୪ ହଜାର ଟନ୍ ସୁନା ରଖିଛନ୍ତି ଆମ ଦେଶର ମହିଳା । ବିଶ୍ୱରେ ଏବେ ସମୁଦାୟ ଯେତିକି ସୁନା ଅଛି ତା’ର ୧୧ ପ୍ରତିଶତର ମାଲିକ ହେଲେ ଭାରତୀୟ ମହିଳା ।
ୱାର୍ଲଡ ଗୋଲ୍ଡ କାଉନ୍ସିଲ୍(ଡବ୍ଲ୍ୟୁଜିସି) ର ରିପୋର୍ଟ ମୁତାବକ,ଏହାର ମୂଲ୍ୟ ବର୍ତ୍ତମାନ ଦରରେ ହେବ ପ୍ରାୟ ୧୭୩ ଲକ୍ଷ କୋଟି ଟଙ୍କା । ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ)ର ସୁନା ଭଣ୍ଡାର ତୁଳନାରେ ଏହା ୨୭ ଗୁଣା ଅଧିକ । ମହିଳାଙ୍କ ପାଖରେ ଥିବା ସୁନାରେ ଦେଶର ସବୁ ଖର୍ଚ୍ଚ ଚାରି ପାଞ୍ଚ ବର୍ଷ ଚଳିଯିବ ।
ଆମ ମହିଳାଙ୍କ ସୁନା ମୋହ ଏମିତି । ଭାରତରେ ସମ୍ପତ୍ତି ଏବଂ ସମୃଦ୍ଧିର ପ୍ରତୀକ ସୁନା । ସୁନା ପ୍ରତି ଭାରତୀୟ ମହିଳାଙ୍କ ମୋହ କେଉଁ କାଳରୁ ରହିଆସିଛି । ଛୋଟ ଉତ୍ସବଟିଏ ହେଉ ଅବା ବିବାହ କାର୍ଯ୍ୟକ୍ରମ, ସୁନା ବଖାଣିଥାଏ ଆଭିଜାତ୍ୟ ।
ଏହି ପରମ୍ପରା ଓ ଆଭିଜାତ୍ୟ ମଧ୍ୟରେ ଭାରତୀୟ ମହିଳାମାନେ ବନିଯାଇଛନ୍ତି ଶହ ଶହ ଲକ୍ଷ କୋଟିର ମାଲିକାଣୀ । ତଥାପି ଆମେ ଗରିବ। ଘରେ ସାଧାରଣ ଚଳିବା ଜିନିଷ ନ ଥିଲେ ବି ସୁନା ମିଳିଯିବ । ଏ ସୁନା କେବେ ବ୍ୟବହାରରେ ଲାଗେ ନାହିଁ । ଅଳଙ୍କାର ଭାବେ ବ୍ୟବହାର କରାଯାଏ କିମ୍ବା ସିନ୍ଦୁକରେ ରହେ ।
ଯଦି ଏହି ସୁନାକୁ ଟ୍ରକ୍ରେ ବୋହିକରି ନିଆଯାଏ ତା’ହେଲେ ଏଥିପାଇଁ ୨୪୦୦ ଟ୍ରକ୍ ଲୋଡ଼ା ପଡ଼ିବ । ରୋଚକ କଥା ହେଲା, ଭାରତୀୟ ମହିଳାମାନଙ୍କ ପାଖରେ ଥିବା ମୋଟ ସୁନା ବିଶ୍ୱର ଶୀର୍ଷ ୫ ଦେଶର ମିଳିତ ସୁନା ଭଣ୍ଡାରଠାରୁ ଅଧିକ।
ପ୍ରତିବର୍ଷ ଗୁଣାତ୍ମକ ହାରରେ ବଢ଼ୁଛି ମହିଳାଙ୍କ ସୁନା ଭଣ୍ଡାର । ରିପୋର୍ଟ କହୁଛି ୨୦୨୦-୨୧ରେ ଭାରତୀୟ ମହିଳାଙ୍କ ପାଖରେ ଥିଲା ୨୧ ହଜାର ଟନ୍ ସୁନା । ଗତ ୩ ବର୍ଷ ଭିତରେ ୩ ହଜାର ଟନ୍ ସୁନା କିଣିଛନ୍ତି । ଅର୍ଥାତ ବର୍ଷକୁ ହଜାରେ ଟନ୍ ସୁନା ଯୋଡ଼ୁଛନ୍ତି ନିଜ ଅଳଙ୍କାର ପେଡ଼ିରେ ।
ଆମେରିକା ପାଖରେ ୮,୦୦୦ ଟନ୍ ସୁନା ଥିବାବେଳେ ଜର୍ମାନୀ ପାଖରେ ୩,୩୦୦ ଟନ୍, ଇଟାଲୀ ପାଖରେ ୨,୪୫୦ ଟନ ଫ୍ରାନ୍ସ ପାଖରେ ୨୪୦୦ ଟନ୍ ଏବଂ ରୁଷ ପାଖରେ ୧୯୦୦ ଟନ୍ ସୁନା ଅଛି । ଏହାର ଅର୍ଥ ଏସବୁ ଦେଶର ସୁନା ଭଣ୍ଡାରଗୁଡ଼ିକୁ ଯଦି ମିଶାଇ ଦିଆଯାଏ ତେବେ ଭାରତୀୟ ମହିଳାମାନଙ୍କ ପାଖରେ ଥିବା ସୁନାଠାରୁ ଏହା କମ୍ ହେବ ।
ଘରେ ପଡ଼ି ରହିଥିବା ଏହି ସୁନାକୁ ଯଦି ଦେଶର ଆର୍ଥିକ ବ୍ୟବସ୍ଥାକୁ ଅଣାଯାଏ ତା’ହେଲେ ଅର୍ଥନୀତି କ୍ଷୀପ୍ର ବେଗରେ ଦୌଡ଼ିବ । ଏହି ସୁନାକୁ ଘରୁ ଆର୍ଥିକ ବ୍ୟବସ୍ଥାକୁ ଆଣିବା ପାଇଁ ସରକାର ସଭରେନ୍ ଗୋଲ୍ଡ ବଣ୍ଡ୍ ସ୍କିମ୍ ଆଣିଛନ୍ତି । ଏ ସ୍କିମ୍କୁ ନେଇ ମହିଳାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବା ଦରକାର ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।
ଅକ୍ସଫୋର୍ଡ ଗୋଲ୍ଡ ଗ୍ରୁପ୍ର ଏକ ରିପୋର୍ଟ ଅନୁସାରେ, ଆମେରିକା, ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍ଏଫ୍), ସୁଇଜର୍ଲାଣ୍ଡ୍ ଏବଂ ଜର୍ମାନୀର ମିଳିତ ଭଣ୍ଡାରଠାରୁ ବି ଭାରତୀୟ ମହିଳାଙ୍କ ସୁନା ପରିମାଣ ଅଧିକ ।
ସୁନାର ମାଲିକାନା କଥା ଯଦି ବିଚାରକୁ ନେବା ତା’ହେଲେ ଦକ୍ଷିଣ ଭାରତର ମହିଳାମାନେ ସବା ଆଗରେ ରହିଛନ୍ତି । ଦକ୍ଷିଣ ଭାରତରେ ଦେଶର ମୋଟ ସୁନାର ୪୦% ଅଂଶ ରହିଛି । ଏଥିରେ କେବଳ ତାମିଲନାଡୁର ଭାଗ ୨୮% ।
ଭାରତୀୟ ଆଇନ ଅନୁସାରେ, ଜଣେ ବିବାହିତା ମହିଳା ବିନା କୌଣସି ଟିକସ ପୈଠ କରି ପାଖରେ ୫୦୦ ଗ୍ରାମ ସୁନା ରଖିପାରିବେ । ଅବିବାହିତା ମହିଳା ୨୫୦ ଗ୍ରାମ ଏବଂ ପୁରୁଷ କେବଳ ୧୦୦ ଗ୍ରାମ ସୁନା ପାଖରେ ରଖିପାରିବେ । ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ଗତ କିଛି ମାସ ହେବ ଲଗାତର ସୁନା କିଣୁଛି। ଆର୍ବିଆଇର ମୋଟ ବୈଦେଶିକ ମୁଦ୍ରା ଭଣ୍ଡାରରେ ସୁନା ଅଂଶ ବଢ଼ି ୧୦.୨% ପର୍ଯ୍ୟନ୍ତ ପହଞ୍ଚିଯାଇଛି ।
କେନ୍ଦ୍ରୀୟ ବ୍ୟାଙ୍କର ନୂଆ ରିପୋର୍ଟ ଅନୁସାରେ, ନଭେମ୍ବର ଶେଷ ସୁଦ୍ଧା ଦେଶର ସୁନା ଭଣ୍ଡାର ବଢ଼ି ୮୭୬.୧୮ ଟନ୍ ହୋଇଛି । ଏହା ପୂର୍ବ ବର୍ଷ ତୁଳନାରେ ୯% ଅଧିକ । ୨୦୨୩ ଡିସେମ୍ବର ୧ରେ ଦେଶର ସୁନା ଭଣ୍ଡାରର ଆକାର ୮୦୩.୫୮ ଟନ୍ ଥିଲା ।
ବିଶେଷଜ୍ଞଙ୍କ ଅନୁସାରେ, ବର୍ଦ୍ଧିତ ଭୂ-ରାଜନୈତିକ ଅସ୍ଥିରତା ମଧ୍ୟରେ ଭାରତ ଭଳି ବିକାଶଶୀଳ ଦେଶ ନିଜର ସୁନା ଭଣ୍ଡାର ବଢ଼ାଇଚାଲିଛି । ବିତ୍ତୀୟ ସଂକଟ ବେଳେ ଦେଶର ଅର୍ଥବ୍ୟବସ୍ଥାକୁ ସମ୍ଭାଳିବା ପାଇଁ ସୁନା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।
ଉଲ୍ଲେଖଯୋଗ୍ୟ, ବିଗତ କିଛି ବର୍ଷରେ ସୁନା ଦରରେ ବଡ଼ ଆକାରରେ ବୃଦ୍ଧି ଘଟିଛି । ତଗ୍ଡା ରିଟର୍ଣ୍ଣ ଦେଇଛି ହଳଦିଆ ଧାତୁ । ୧୦ ବର୍ଷ ତଳେ ଅର୍ଥାତ୍ ୨୦୧୪ରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ଦର ଥିଲା ୨୮,୦୦୦ ଟଙ୍କା । ବର୍ତ୍ତମାନ ଏହା ୭୮,୦୦୦ ଟଙ୍କାରେ ପହଞ୍ଚିଛି । ଅର୍ଥାତ୍ ୧୦ ବର୍ଷରେ ପ୍ରାୟ ୩ ଗୁଣା ମହଙ୍ଗା ହୋଇଛି ସୁନା ।