୧୧ ଦିନ ଚାଲିବ କଂସର ରାଜୁତି, ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ପରିବେଷଣ ହେବ ଯାତ୍ରା

Published By : Prameya-News7 Bureau | January 03, 2025 IST

ବରଗଡ ୦୩/୦୧: ଆଜିଠୁ ବରଗଡର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । କଂସଙ୍କ ରାଜ ଦରବାର ସମେତ ରଂଗମହଲ ଓ ବିଭିନ୍ନ ତୋରଣ ଗୁଡ଼ିକ ଏଥର ଯେମିତି ଅଧିକ ଆକର୍ଷଣୀୟ ହୋଇପାରିବ ସେନେଇ ଧନୁଯାତ୍ରା କମିଟି ଅଧିକ ଗୁରୁତ୍ୱ ଦେଉଥିବା ବେଳେ ଏହାର ନିର୍ମାଣ ପାଇଁ କାରିଗର ମାନେ ଦିନରାତି କାମ ଜାରି ରଖିଛନ୍ତି ।  

ଯାତ୍ରା ସମୟରେ ସହରକୁ ସ୍ୱଚ୍ଛ ସୁନ୍ଦର କରିବା ପ୍ରୟାସ ଜାରି ରଖିଛି ଜିଲ୍ଲା ପ୍ରଶାସନ । ବରଗଡ଼ ଧନୁଯାତ୍ରା ଚଳିତଥର ୭୭ ବର୍ଷରେ ପଦାର୍ପଣ କରିଛି । ଶନିବାରଠୁ ଜାନୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ଚାଲିବ ଯାତ୍ରା । ଯାହାକୁ ନେଇ ସାରା ବରଗଡ଼ ସହର ଚଳଚଞ୍ଚଳ ହୋଇଉଠିଛି । ବରଗଡ଼ ହାଟପଦା ଠାରେ ମହାରଜ କଂସଙ୍କ ପ୍ରାୟ ୬୦ ଫୁଟ ଉଚ୍ଚତା ଏବଂ ୧୨୦ ଫୁଟ  ପ୍ରସ୍ଥର ରାଜଦରବାର ନିର୍ମାଣ ସରିଛି । 

ସହର ସାରା ଉଜ୍ଜଳ ଆଲୋକମାଳାରେ ସଜ୍ଜିତ କରାଯାଇଛି ଧନୁଯାତ୍ରା ପାଇଁ । ଅପରାହ୍ନରେ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରି ବରଗଡର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କଠାରେ ପହଂଚିବ । ସେଠାରେ ଯାତ୍ରାର ସଫଳତା ନେଇ ପୁଜାର୍ଚ୍ଚନା କରାଯିବା ପରେ ସେହି ଶୋଭାଯାତ୍ରା ହାଟପଦାସ୍ଥିତ ରାଜଦରବାରକୁ ପହଂଚିବାର କାର୍ଯ୍ୟକ୍ରମ ରହିଛି । 

ଶୋଭାଯାତ୍ରା ରାଜଦରବାରରେ ପହଚିଂବା ପରେ ଆନୁଷ୍ଠାନିକ ଭାବରେ ଉଦଘାଟିତ ହେବ ୭୭ ତମ ବରଗଡ ଧନୁଯାତ୍ରା  I ସେହିପରି ଚଳିତ ବର୍ଷ ବରଗଡ଼ ଧନୁଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଆୟୋଜକ କମିଟି ଲାଗି ପଡିଥିବା ବେଳେ ମଥୁରାବାସୀ ଅପେକ୍ଷା କରି ରହିଛନ୍ତି ସେହି ଶୁଭମୁହୁର୍ତ୍ତକୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.