ଜେଲ୍‌ରୁ ମୁକୁଳି ଶୋଭାଯାତ୍ରା କରିବା ପଡିଲା ମହଙ୍ଗା,ପୁଣି ଜେଲ୍ ଗଲେ ଗ୍ୟାଙ୍ଗଷ୍ଟର

Published By : Prameya-News7 Bureau | July 26, 2024 IST

ନୂଆଦିଲ୍ଲୀ୨୬/୭: ଜେଲ୍‌ରୁ ମୁକୁଳିବା ଖୁସିରେ ଶୋଭାଯାତ୍ରା କରିବା ଓ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ମହଙ୍ଗା ପଡିଛି । ପୋଲିସ ପୁଣି ଥରେ ଜଣେ ଗ୍ୟାଙ୍ଗଷ୍ଟରକୁ ଗିରଫ କରି ଜେଲ୍‌ରେ ପୁରାଇ ଦେଇଛି । ଗିରଫ ଗ୍ୟାଙ୍ଗଷ୍ଟର ମହାରାଷ୍ଟ୍ର ନାସିକର ହର୍ଷଦ ପାଟଣକର । ୩ ଦିନ ତଳେ ଅର୍ଥାତ ଜୁଲାଇ ୨୩ରେ ଜେଲ୍‌ରୁ ମୁକୁଳିଥିଲେ ହର୍ଷଦ । ଆଉ ସେହି ଖୁସିରେ ବିରାଟ ରାଲି କରିଥିଲେ । ଏଥିରେ କିଛି କାର ସହ ୨୦ରୁ ଅଧିକ ବାଇକ ଧରି ସମର୍ଥକମାନେ ସାମିଲ ହୋଇଥିଲେ । ଶୋଭାଯାତ୍ରା ବେଠେଲ ନଗରରୁ ଆମ୍ବେଦକର ଛକ ପର୍ଯ୍ୟନ୍ତ ଯାଇଥିଲା ।

ରାଲିର ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ସହ କ୍ୟାପସନରେ ‘କମ୍‌ ବ୍ୟାକ’ ଲେଖିଥିଲେ । ଭିଡିଓରେ ହର୍ଷଦ କାର୍‌ରୁ ବାହାରି ସମର୍ଥକଙ୍କୁ ହାତ ହଲାଉଥିବାର ଦେଖିବାକୁ ମିଳିଥିଲା । ସୋସିଆଲ ମିଡିଆର ପୋଷ୍ଟ ପୋଲିସ ନଜରକୁ ଆସିବା ପରେ ପୋଲିସ ଆକ୍ସନ ନେଇଥିଲା । ପୁଣି ଥରେ ହର୍ଷଦଙ୍କ ସହ ୭ ସହଯୋଗୀକୁ ଗିରଫ କରାଯାଇଛି । ଅନମୁତି ନ ନେଇ ରାଲି କରିବା ଓ ଅରାଜକତା ସୃଷ୍ଟି କରିବା ଅଭିଯୋଗରେ ପୋଲିସ ଗିରଫ କରିଥିବା କହିଛି । ହର୍ଷଦଙ୍କ ନାଁରେ ହତ୍ୟା ଉଦ୍ୟମ,ଚୋରି ଓ ହିଂସାକାଣ୍ଡ ଭଳି ମାମଲା ରହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.