ଗୌତମ ଆଦାନୀ ଦେବେ ୭୧,୧୦୦ ଲୋକଙ୍କୁ ଚାକିରୀ, ତିଆରି କରିଛନ୍ତି ୪ଲକ୍ଷ କୋଟି ଟଙ୍କାର ମାଷ୍ଟର ପ୍ଲାନ୍

Published By : Prameya-News7 Bureau | September 16, 2024 IST

ମୁମ୍ବାଇ ୧୬।୯: ଏସିୟାର ଦ୍ୱିତୀୟ ଧନୀ ବ୍ୟବସାୟୀ ଗୌତମ ଆଦାନୀ ଆଗାମୀ ଦିନମାନଙ୍କରେ ଦେଶର ୭୧,୧୦୦ ଲୋକଙ୍କୁ ନିଯୁକ୍ତି ଦେବାର ଯୋଜନା କରିଛନ୍ତି। ଏଥିଲାଗି ସେ ୪ ଲକ୍ଷ କୋଟି ଟଙ୍କାର ମାଷ୍ଟର ପ୍ଲାନ ଘୋଷଣା କରିଛନ୍ତି। ରି-ଇନଭେଷ୍ଟ ୨୦୨୪ କାର୍ଯ୍ୟକ୍ରମ ଅବସରରେ ସେ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ୨୦୩୦ସୁଧା ଦେଶରେ ୪ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ କରିବେ। ଫଳରେ ଦେଶରେ ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। 

ଆଦାନୀ ଗ୍ରୁପ ସୋମବାର କହିଛି ଯେ ଚତୁର୍ଥ ଗ୍ଲୋବାଲ ରିନ୍ୱେବଲ ଏନର୍ଜୀ ଇନଭେଷ୍ଟର୍ସ କନଫରେନ୍ସ ଆଣ୍ଡ ଏଗଜିବିସନ ‘ରି-ଇନଭେଷ୍ଟ ୨୦୨୪’ରେ ସୋଲାର ୱିଣ୍ଡ ଓ ଗ୍ରିନ ହାଇଡ୍ରୋଜନ ଭଳି ଅକ୍ଷୟଶକ୍ତି ପ୍ରକଳ୍ପରେ ୪,୦୫,୮୦୦ କୋଟି ଟଙ୍କା ନିବେଶ କରିବ। ଅକ୍ଷୟ ଶକ୍ତି ମନ୍ତ୍ରାଳୟକୁ ପ୍ରଦାନ କରାଯାଇଥିବା ଶପଥ ପତ୍ର ଅନୁସାରେ ଗ୍ରୁପର କମ୍ପାନୀ ଆଦାନୀ ଗ୍ରୀନ ଏନର୍ଜୀ ଲିମିଟେଡ(ଏଜିଇଏଲ) ଓ ଆଦାନୀ ନ୍ୟୁ ଇଣ୍ଡଷ୍ଟ୍ରିଜ ଲିମିଟେଡ (ଏଏନଆଇଏଲ) ୨୦୩୦ ସୁଧା ଅକ୍ଷୟଶକ୍ତି ପ୍ରକଳ୍ପରେ ନିବେଶ କରିବାକୁ ସଂକଳ୍ପ କରିଛି। 

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ତାଙ୍କ ସରକାର ଗ୍ରିନ ଏନର୍ଜୀ କ୍ଷେତ୍ରରେ ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି ଭାରତ ୫୦୦ ଗିଗାୱାଟ ନବିକରଣୀୟ ଶକ୍ତି ଲକ୍ଷକୁ ହାସଲ କରିବା ପାଇଁ ଅନେକ ସ୍ତରରେ କାମ କରାଯାଉଛି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଲୋକଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେଉଛନ୍ତି। ଏଥି ସବୁ ଘରର ଛାତ ସୋଲାର ରୁଫ ଟପରେ ପରିଣତ ହେବାକୁ ଥିବା ବେଳେ ଏହି ଯୋଜନାରେ ପ୍ରତ୍ୟେକ ଘର ବିଦ୍ୟୁତ ଉତ୍ପାଦକ ହେବାକୁ ଯାଉଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.