ପୃଥିବୀର ତାତିରୁ ଉତ୍ପନ୍ନ ହେବ ବିଦ୍ୟୁତ୍ ଶକ୍ତି; ଜଳବାୟୁ ପରିବର୍ତ୍ତନ ରୋକିବାକୁ ବୈଜ୍ଞାନିକଙ୍କ ପ୍ରୟାସ

Published By : Prameya-News7 Bureau | June 28, 2024 IST

ନୂଆଦିଲ୍ଲୀ,୨୮/୦୬: ସ୍ୱଚ୍ଛ ଉପାୟରେ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ପ୍ରସ୍ତୁତି । ପୃଥିବୀର ତାତିରୁ ଉତ୍ପନ୍ନ ହେବ ବିଦ୍ୟୁତ୍ ଶକ୍ତି । ଏନେଇ ଜୋରଦାର ଚାଲିଛି ପ୍ରସ୍ତୁତି । ଏହି ପ୍ରକ୍ରିୟାକୁ ଆପଣାଉଛନ୍ତି ବିଶ୍ବର ବିଭିନ୍ନ ଦେଶ । ଜଳବାୟୁ ପରିବର୍ତ୍ତନ ରୋକିବାକୁ ଏଭଳି ପ୍ରୟାସ କରୁଛନ୍ତି ବୈଜ୍ଞନିକ ।

ଅନୁସାରେ, କାଲିଫର୍ଣ୍ଣିଆର ଏକ କମ୍ପାନି ଆମେରିକାରେ ସବୁଠାରୁ ବଡ଼ ଜିଓଥର୍ମାଲ ପାୱାର୍‌ ଡେଭଲପ୍‌ମେଣ୍ଟ ଉପରେ କାର୍ଯ୍ୟ କରୁଛି । ଏହାଦ୍ୱାରା   ପୃଥିବୀର ତାତିରୁ ୪୦୦ ମେଗାୱାଟ୍‌ ସ୍ୱଚ୍ଛ ବିଦ୍ୟୁତ୍‌ ଉତ୍ପାଦନ ହେବ, ଯାହା ପ୍ରାୟ ୪ ଲକ୍ଷ ଘରକୁ ବିଜୁଳି ଯୋଗାଇବ । ସଦର୍ଣ୍ଣ କାର୍ଲିଫର୍ଣ୍ଣିଆ ଏଡିସନ୍‌ ନାମକ କମ୍ପାନି ହ୍ୟୁଷ୍ଟନ୍‌ ସ୍ଥିତ ଜିଓଥର୍ମାଲ କମ୍ପାନି  ଫେର୍‌ଭୋ ଏନର୍ଜିଠାରୁ ଏହି ବିଦ୍ୟୁତ୍‌କୁ କିଣିବ । ଫେର୍‌ଭୋ ପକ୍ଷରୁ ଏହି ଘୋଷଣା କରାଯାଇଛି । କମ୍ପାନି ବିଦ୍ୟୁତ୍‌ ଉତ୍ପାଦନ  ଲାଗି ଦକ୍ଷିଣ-ପଶ୍ଚିମ ୟୁଟାରେ ୧୨୫ଟି କୂପ ଖୋଳୁଛି ।  ଏହି ସ୍ୱଚ୍ଛ ଶକ୍ତି ପ୍ରକଳ୍ପ ଦ୍ୱାରା  ପାରମ୍ପରିକ ପାୱାର ପ୍ଲାଣ୍ଟର ଆବଶ୍ୟକତା  କମିବ । 

ପ୍ରକାଶଯୋଗ୍ୟ, ଜଳବାୟୁ  ପରିବର୍ତ୍ତନର ଏକ ବଡ଼ କାରଣ ହେଉଛି ପାରମ୍ପରିକ ପାୱାର ପ୍ଲାଣ୍ଟ । ପ୍ରିନ୍ସଟନ  ବିଶ୍ୱବିଦ୍ୟାଳୟରେ ଏନର୍ଜି ସିଷ୍ଟମ୍ସ  ଗବେଷକ ୱିଲ୍‌ସନ ରିକ୍ସ କୁହନ୍ତି,  ଏହି ପ୍ରକଳ୍ପ ନୂତନ ପିଢ଼ି ଜିଓଥର୍ମାଲ ଏନର୍ଜି ଖର୍ଚ୍ଚକୁ କମ୍‌ କରି ଏକ ଲମ୍ବା  ରାସ୍ତା ନିର୍ଦ୍ଧାରଣ କରିପାରେ । ୱିଲ୍‌ସନ  ରିକ୍ସ ଆହୁରି କହିଛନ୍ତି ଯେ, ଯଦି ଏହି  ବିଦ୍ୟୁତ୍‌ କ୍ରୟ ଏ ଟେକ୍ନୋଲୋଜିକୁ ଭୂଇଁକୁ ଓହ୍ଲାଇବାରେ ସାହାଯ୍ୟ କରେ ତେବେ ଗ୍ଲୋବାଲ ଡିକାର୍ବୋନାଇଜେସନ୍‌  ପାଇଁ ଏହା ବଡ଼ ସ୍ତରରେ ପ୍ରଭାବଶାଳୀ  ହେବ । 

ଆଜି ବି ୨୪ ଘଣ୍ଟା ବିଜୁଳି ପାଇଁ  ସମଗ୍ର ବିଶ୍ୱ ମୁଖ୍ୟତଃ ଜୀବାଶ୍ମ ଇନ୍ଧନ  ଉପରେ ନିର୍ଭର କରୁଛି । ଫେର୍‌ଭୋର  ଉପ-ସଭାପତି(ଷ୍ଟ୍ରାଟେଜି) ସାରା ଜେୱେଟ୍‌  କୁହନ୍ତି, ଏହି ନୂଆ କ୍ରୟ ଚୁକ୍ତିରୁ ସ୍ପଷ୍ଟ   ହେଉଛି ଯେ, ସ୍ୱଚ୍ଛ ଶକ୍ତି ବିଦ୍ୟୁତ୍‌ର ବର୍ଦ୍ଧିତ  ଆବଶ୍ୟକତାକୁ ପୂରଣ କରିପାରେ  ।   ଆମେରିକାର ଏନର୍ଜି ଇନ୍‌ଫର୍ମେଶନ୍‌  ଆଡ୍‌ମିନିଷ୍ଟ୍ରେସନ୍‌ ଅନୁସାରେ, ଆମେରିକା  ପୃଥିବୀର ତାତିକୁ ବ୍ୟବହାର କରି ବିଜୁଳି  ଉତ୍ପାଦନରେ ବିଶ୍ୱର ପ୍ରମୁଖ ଦେଶ ମଧ୍ୟରୁ  ଅନ୍ୟତମ ପାଲଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.