ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଲଟା ଶୁଳ୍କ ସାରା ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଛି। ଅନେକ ଦେଶ ଟ୍ରମ୍ପଙ୍କ ଏହି ନୀତିକୁ ନେଇ ଚିନ୍ତାରେ ରହିଥିବାବେଳେ, ବିଶେଷଜ୍ଞ ଅନୁମାନ କରିଛନ୍ତି ପାଲଟା ଶୁଳ୍କ କାରଣରୁ ଆମେରିକାର ଅର୍ଥବ୍ୟବସ୍ଥାରେ ହିଁ ଗୁରୁତର ପ୍ରଭାବ ପଡ଼ିବ।
ଏହାରି ମଧ୍ୟରେ ଆର୍ଥିକ ପରାମର୍ଶଦାତା ତଥା ଇନଭେଷ୍ଟମେଣ୍ଟ ବ୍ୟାଙ୍କିଂ କମ୍ପାନି ଗୋଲ୍ଡମ୍ୟାନ୍ ସାକ୍ସ ଆମେରିକାରେ ମାନ୍ଦାବସ୍ଥା ସମ୍ଭାବନାକୁ ୩୫%ରୁ ବଢ଼ାଇ ୪୫% କରିଛି। ବଡ଼ କଥା ହେଲା ଏହା ଦ୍ବିତୀୟ ଥର କମ୍ପାନି ମାନ୍ଦାବସ୍ଥା ଅନୁମାନକୁ ଗୋଟିଏ ସପ୍ତାହରେ ଦୁଇ ଦୁଇ ଥର ବଢ଼ାଇଛି। କମ୍ପାନି କହିଥିଲା ଟ୍ରମ୍ପ୍ଙ୍କ ଟାରିଫ୍ ନୀତି ବିଶ୍ବ ଅର୍ଥବ୍ୟବସ୍ଥାକୁ ଦୋହଲାଇଦେଇପାରେ।
ପୂର୍ବରୁ ୭ ଟପ୍ ବ୍ୟାଙ୍କ ମଧ୍ୟ ଆମେରିକାର ମାନ୍ଦାବସ୍ଥା ପୂର୍ବାନୁମାନ ବଢ଼ାଇଛନ୍ତି। ଜେପି ମୋର୍ଗାନ ଆମେରିକା ଏବଂ ବିଶ୍ବ ମାନ୍ଦାବସ୍ଥାର ସମ୍ଭାବନା ୬୦% ରହିବା ନେଇ ଅନୁମାନ କରିଛି। କମ୍ପାନି କହିଛି ଏହି ଅନୁମାନ ଟାରିଫ୍ ଯୋଗୁ ଆମେରିକା ମୁଦ୍ରାସ୍ଫୀତି ବଢ଼ିବା ଏବଂ ଟାରିଫ୍ କାରଣରୁ ଅନ୍ୟ ଦେଶ ପାଲଟା ଶୁଳ୍କ ଲଗାଇବା ଘଟଣାକୁ ନଜରରେ ରଖି କରାଯାଇଛି।
ସେହିଭଳି ଗୋଲ୍ଡମ୍ୟାନ ସାକ୍ସ, ୨୦୨୫ରେ ଆମେରିକା ଆର୍ଥିକ ବିକାଶ କିଭଳି ତାହର ମଧ୍ୟ ଅନୁମାନ କରିଛି। କମ୍ପାନି ୨୦୨୫ରେ ଆମେରିକାର ଆର୍ଥିକ ବିକାଶ ଅନୁମାନ ୧.୫%ରୁ ଖସାଇ ୧.୩ ପ୍ରତିଶତ କରିଛି। ଅବଶ୍ୟ ଏହା ଓ୍ବେଲ୍ସ ଫାର୍ଗୋ ଇନଭେଷ୍ଟମେଣ୍ଟ ଇନଷ୍ଟିଚ୍ୟୁଟ୍ (WFII)ର ୧% ବିକାଶ ପୂର୍ବାନୁମାନ ଠାରୁ ଅଧିକ। କାରଣ WFII ୨୦୨୫ରେ ଆମେରିକାର ଆର୍ଥିକ ବିକାଶ ହାର ୧% ରହିବା ନେଇ ଅନୁମାନ କରିଛି। ସେହିଭଳି ଜେପି ମର୍ଗାନ ତ୍ରୈମାସିକ ଆଧାରରେ ୦.୩% ହ୍ରାସ ଅନୁମାନ କରିଛି।
ଶ୍ରୀଘ୍ର କମିବ ଦର
ସେପଟେ ଗୋଲ୍ଡମ୍ୟାନ ସାକ୍ସ ଆହୁରି ଅନୁମାନ କରିଛି, ଏଭଳି ସ୍ଥିତି କାରଣରୁ ଆମେରିକାର ଫେଡେରାଲ ରିଜର୍ଭ ଲଗାତାର ତିନି ବୈଠକରେ ସୁଧ ହାର ୨୫ ବେସିସ୍ ପଏଣ୍ଟ କମାଇପାରେ। ଯାହାଦ୍ବାରା ଲୋକଙ୍କୁ ମୁଦ୍ରାସ୍ଫୀତିରୁ ଆଶ୍ବସ୍ତି ମିଳିବ।