ମାନ୍ଦାବସ୍ଥା ଭୟରେ ବଜାରରେ ହାହାକାର, ୨,୨୦୦ ପଏଣ୍ଟ ଖସିଲା ସେନ୍‌ସେକ୍ସ, ନିବେଶକଙ୍କ ୧୩.୪ ଲକ୍ଷ କୋଟି ଟଙ୍କା ସ୍ୱାହା

Published By : Prameya-News7 Bureau | April 07, 2025 IST

ନୂଆଦିଲ୍ଲୀ: ଗ୍ଲୋବାଲ୍ ଟ୍ରେଡ୍ ୱାର୍ ଓ ଆମେରିକାରେ ମାନ୍ଦାବସ୍ଥା ଆଶଂକା ଯୋଗୁ ଭାରତୀୟ ସେୟାର ମାର୍କେଟ୍ କ୍ରାସ ହୋଇଛି । ସେନ୍‌ସେକ୍ସ ୨୨୨୬ ଅଙ୍କ ଖସି ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ହ୍ରାସ ପାଇ ୨୨,୨୦୦ ସ୍ତର ତଳେ ବନ୍ଦ ହୋଇଛି । ଆଜିର ଏହି ହ୍ରାସ ଯୋଗୁ ନିବେଶକଙ୍କ ସମ୍ପତ୍ତି ଗୋଟିଏ ଦିନରେ ପ୍ରାୟ ୧୩.୫ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି । ସ୍ମଲ୍‌କ୍ୟାପ୍ ଓ ମିଡ୍‌କ୍ୟାପ୍ ସେୟାରରେ ମଧ୍ୟ ହାହାକାର ସୃଷ୍ଟି ହୋଇଛି । ବିଏସ୍‌ଇ ମିଡ୍‌କ୍ୟାପ୍ ଇଣ୍ଡେକ୍ସ ୩.୪୬ ପ୍ରତିଶତ ଓ ସ୍ମଲ୍‌କ୍ୟାପ୍ ଇଣ୍ଡେକ୍ସ ୪.୧୬ ପ୍ରତିଶତ ହ୍ରାସ ପାଇଛି । ଆଜିର ଏହି ହ୍ରାସ ଏତେ ବଡ଼ ଥିଲା ଯେ ସମସ୍ତ ସେକ୍ଟୋରାଲ୍ ଇଣ୍ଡେକ୍ସ ଲାଲ୍ ସଂକେତରେ ବନ୍ଦ ହୋଇଛି । ସବୁଠୁ ଅଧିକ ହ୍ରାସ ମେଟାଲ୍, ରିୟଲ୍ଟି, ଆଇଟି ଓ କ୍ୟାପିଟାଲ୍ସ ଗୁଡ୍ସ ସେୟାରରେ ଦେଖିବାକୁ ମିଳିଛି ।

ଆଜିର କାରବାର ଶେଷରେ ବିଏସ୍‌ଇ ସେନ୍‌ସେକ୍ସ ୨୨୨୬.୭୯ ଅଙ୍କ ବା ୨.୯୫ ପ୍ରତିଶତ ହ୍ରାସ ପାଇ ୭୩,୧୩୭.୯୦ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ଏନ୍‌ଏସ୍‌ଇର ୫୦ ସେୟାର ବିଶିଷ୍ଟ ସୂଚକାଙ୍କ ନିଫ୍ଟି ୭୪୨.୮୫ ଅଙ୍କ ବା ୩.୨୪ ପ୍ରତିଶତ ଖସି ୨୨,୧୬୧.୬୦ ସ୍ତରରେ ବନ୍ଦ ହୋଇଛି ।

ବିଏସ୍‌ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମୋଟ୍ ମାକେର୍ଟ କ୍ୟାପ୍ ଆଜି ଏପ୍ରିଲ୍ ୭ରେ ବୃଦ୍ଧି ପାଇ ୩୮୯.୯୨ ଲକ୍ଷ କୋଟି ଟଙ୍କା ହୋଇଛି । ପୂର୍ବ କାରବାର ଦିନ ଅର୍ଥାତ୍ ବୁଧବାର ଏପ୍ରିଲ୍ ୪ରେ ଏହା ୪୦୩.୩୪ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସ୍‌ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମାର୍କେଟ୍ କ୍ୟାପ୍ ଆଜି ପ୍ରାୟ ୧୩.୪୨ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ନିବେଶକଙ୍କୁ ୧୩.୪୨ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି ।

ବିଏସ୍‌ଇ ସେନ୍‌ସେକ୍ସର ସମସ୍ତ ୩୦ ସେୟାର ଆଜି ଲାଲ୍ ସଂକେତରେ ବନ୍ଦ ହୋଇଛି । ଗତ ଅନେକ ବର୍ଷରେ ପ୍ରଥମ ଥର ପାଇଁ ଏପରି ଘଟିଛି । ଆଜି ସବୁଠୁ ଅଧିକ ହ୍ରାସ ଟାଟା ଷ୍ଟିଲର ସେୟାରରେ ଦେଖିବାକୁ ମିଳିଥିଲା । ଟାଟା ଷ୍ଟିଲ୍ ସେୟାର ୭.୭୩ ପ୍ରତିଶତ ହ୍ରାସ ପାଇ ବନ୍ଦ ହୋଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.