ପେଟ୍ରୋଲ-ଡିଜେଲ ଦରକୁ ନେଇ ଆଶ୍ୱସ୍ତ କଲେ କେନ୍ଦ୍ର ସରକାର, ଗ୍ରାହକଙ୍କ ଉପରେ ପଡିବନି ମୂଲ୍ୟବୃଦ୍ଧିର ପ୍ରଭାବ

Published By : Prameya-News7 Bureau | April 07, 2025 IST

ନୂଆଦିଲ୍ଲୀ ୭।୪: କେନ୍ଦ୍ର ସରକାର ସୋମବାର ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁଥିବା ଏକ୍ସାଇଜ ଡ୍ୟୁଟି ବଢାଇ ଦେଇଛନ୍ତି। ଏହା ପରେ କୁହାଯାଉଥିଲା ପେଟ୍ରୋଲ ଓ ଡିଜେଲ ଦାମ ବଢିଯିବ। ତେବେ ସରକାର ଏକ୍ସାଇଜ ଟ୍ୟାକ୍ସ ବଢାଇବା ସହିତ ସ୍ପଷ୍ଟ କରିଦେଇଛନ୍ତି ଯେ ଏହି ବୃଦ୍ଧିର ପ୍ରଭାବ ସାଧାରଣ ଖାଉଟିଙ୍କ ଉପରେ ପଡିବ ନାହିଁ। ଅର୍ଥାତ ବଜାରରେ ପେଟ୍ରୋଲ ଓ ଡିଜେଲ ମହଙ୍ଗା ହେବ ନାହିଁ। ସରକାର ପେଟ୍ରୋଲ ଉପରେ ଏକ୍ସାଇଜ ଡ୍ୟୁଟି ୨ଟଙ୍କା ବଢାଇଥିବା ବେଳେ ଡିଜେଲ ଉପରେ ମଧ୍ୟ ୨ ଟଙ୍କା ବଢାଇଛନ୍ତି। 

ଅନ୍ତର୍ଜାତୀୟ ବଜାରରେ ତୈଳ ମୂଲ୍ୟ ହ୍ରାସ ହୋଇଛି। ଏହା ସତ୍ତ୍ୱେ ଘରୋଇ ବଜାରରେ ମୂଲ୍ୟ ଅପରିବର୍ତ୍ତିତ ରହିଛି। ଏଣୁ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଏବେବି ୯୪.୭୨ଟଙ୍କାରେ ବିକ୍ରି ହେଉଥିବା ବେଳେ ଡିଜେଲ ୮୭.୬୨ ଟଙ୍କାରେ ବିକ୍ରି ହେଉଛି। ଦେଶରେ ତୈଳ ବିପଣନ କରୁଥିବା ମୁଖ୍ୟ କମ୍ପାନୀ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ(ଏଚପିସିଏଲ) ୱେବସାଇଟରେ ଜାରି ଦର ଅନୁସାରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇ ନାହିଁ। 


ବୈଶ୍ୱିକ ସ୍ତରରେ ସପ୍ତାହନ୍ତରେ ଆମେରିକା କ୍ରୁଡ ଦର ୧.୭୬ ପ୍ରତିଶତ ହ୍ରାସ ହୋଇ ବ୍ୟାରଲ ପିଛା ୬୦.୯ ଡଲାରକୁ ପହଞ୍ଚି ଯାଇଛି। ସେହିପରି ଲଣ୍ଡନ ବ୍ରେଣ୍ଟ କ୍ରୁଡ ୧.୭୭ ପ୍ରତିଶତ ହ୍ରାସ ସହିତ ପ୍ରତି ବ୍ୟାରଲ ୬୪.୪୨ ଡଲାରରେ କାରବାର ହେଉଛି। ଅନ୍ତର୍ଜାତୀୟ ବଜାରରେ ତୈଳ ଦର ହ୍ରାସର ଲାଭ ସରକାର ମୂଲ୍ୟ ବୃଦ୍ଧି କାଳର କ୍ଷତି ଭରଣା ପାଇଁ ଉପଯୋଗ କରିଛନ୍ତି। ଏଣୁ ଏକ୍ସାଇଜ ଡ୍ୟୁଟିର୍ ୨ ଟଙ୍କା ଲେଖାଏଁ ବୃଦ୍ଧି କରିଛନ୍ତି। 


ଅନ୍ୟପକ୍ଷରେ କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ ସୋମବାର ଘରୋଇ ଏଲପିଜି ଦର ବୃଦ୍ଧି କରିଛନ୍ତି। ୧୪.୨ କେଜିର ଘରୋଇ ଏଲପିଜି  ସିଲିଣ୍ଡର ପିଛା ଦର ୫୦ ଟଙ୍କା ବୃଦ୍ଧି ହୋଇଛି। ଏହି ବୃଦ୍ଧି କେବଳ ଘରୋଇ ଏଲପିଜି ନୁହେଁ ଉଜ୍ଜ୍ୱଳାଗ୍ୟାସ୍ ବ୍ୟବହାରକାରୀଙ୍କ ନିମନ୍ତେ ମଧ୍ୟ ହୋଇଛି। ଏହି ବୃଦ୍ଧିର ପ୍ରଭାବ ଗ୍ରାହକଙ୍କ ପକେଟ ଉପରେ ପଡିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.