ଭୁବନେଶ୍ବର ୨୬।୧: ସ୍କୁଲରୁ ପିଲାଙ୍କୁ ନେଇ ସରଣ୍ଡା ପରେଡ ଗ୍ରାଉଣ୍ଡକୁ ଯିବାବେଳେ ପିକଅପ୍ ଭ୍ୟାନ୍ ଓଲଟି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏହାସହ ଦୁର୍ଘଟଣାରେ ମୃତ ଛାତ୍ରଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୩ ଲକ୍ଷ ଟଙ୍କା ଏବଂ ଶିକ୍ଷା ବିଭାଗ ପକ୍ଷରୁ ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇଛି । ଏଥିସହ ଦୁର୍ଘଟଣାରେ ସମସ୍ତ ଆହତଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ଏକ ପିକଅପ୍ ଭ୍ୟାନ୍ରେ ସରଣ୍ଡା ବିଦ୍ୟାପୀଠକୁ ପରେଡ ପାଇଁ ଯାଉଥିବା ବେଳେ ନଟିଆବର ନିକଟରେ ଭ୍ୟାନଟି ଓଲଟି ପଡିଥିଲା । ପିକ୍ଅପ୍ ଭ୍ୟାନ୍ରେ ଥିବା ପିଲା ମାନଙ୍କ ମଧ୍ୟରୁ ୨୩ ଜଣ ଆହତ ହୋଇଥିଲେ । ଆହତ ମାନଙ୍କୁ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । କଟକ ଯାଉଥିବା ବେଳେ ମାଧପୁର ନିକଟରେ ସୌମ୍ୟରଞ୍ଜନ ବେହେରା ନାମକ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ପୋଷ୍ଟମର୍ଟମ ପାଇଁ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ମୃତଦେହ ଅଣାଯାଇଛି ।
ପିକ୍ଅପ୍ ଓଲଟି ଛାତ୍ରଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ, ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ ପାଇଁ ପ୍ରକ୍ରିୟା
ଆଠଗଡ଼ ଡ଼ାକ୍ତରଖାନାରେ ଆଠଗଡ଼ ଉପ ଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରବୀନ୍ଦ୍ର ମଲ୍ଲିକ, ତହସିଲଦାର କ୍ଷେତ୍ର ମୋହନ ସ୍ବାଇଁ ପହଞ୍ଚି ଘଟଣା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ମଧ୍ୟ ଡାକ୍ତରଖାନାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ସେପଟେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ସାଲିନୀ ପଣ୍ଡିତ ଆହତ ମାନଙ୍କୁ ଏସ୍ସିବି ମେଡିକାଲରେ ଭେଟିଛନ୍ତି । ଶିକ୍ଷା ବିଭାଗ ପକ୍ଷରୁ ମୃତକଙ୍କ ପରିବାର ଲୋକଙ୍କ ପାଇଁ ୨ ଲକ୍ଷ ଟଙ୍କା ସହାୟତା ଘୋଷଣା କରାଯାଇଛି । ଗୁରୁତର ଛାତ୍ରଛାତ୍ରୀଙ୍କ ଚିକିତ୍ସା ପାଇଁ ୩୦ ହଜାର ସହାୟତା ଘୋଷଣା କରାଯାଇଛି । ଏଥିସହ ସମ୍ପୃକ୍ତ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି । ଜିଲ୍ଲାପାଳ ଘଟଣାର ତଦନ୍ତ କରିବେ ।
You Can Read:
ବର୍ତ୍ତମାନ ଟ୍ରିପଲ ଇଞ୍ଜିନ ସରକାର ଅଛି, ଆମେ ଆଶା ରଖିଛୁ ଶୀଘ୍ର ମହାନଦୀ ବିବାଦର ସମାଧାନ ହେବ : ଦେବୀ ମିଶ୍ର