ଭୁବନେଶ୍ୱର ୦୩/୦୧: ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶୁକ୍ରବାର ଶପଥ ନେଲେ ଡ. ହରିବାବୁ କମ୍ଭମପତି । ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ । ଭୁବନେଶ୍ୱରର ରାଜଭବନର ଅଭିଷେକ ହଲ୍ରେ ହୋଇଥିଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଅନେକ ନେତୃବୃନ୍ଦ ସାମିଲ ହୋଇଥିଲେ । ଶପଥ ପାଠ ପରେ ତାଙ୍କ ରାଜଭବନ ପରିସର ପରିଦର୍ଶନ କରାଯାଇଥିଲା ।
ସୂଚନା ଥାଉକି, ଓଡ଼ିଶାର ରାଜ୍ୟପାଳ ପଦରୁ ରଘୁବର ଦାସ ଇସ୍ତଫା ଦେବା ପରେ କେନ୍ଦ୍ର ସରକାର ଡ. କମ୍ଭମପତିଙ୍କୁ ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଥିଲେ । ୭୧ ବର୍ଷିୟ ଡ. କମ୍ଭମପତି ପୂର୍ବରୁ ମିଜୋରାମ୍ ରାଜ୍ୟପାଳ ଥିଲେ । ଜଣେ ଇଞ୍ଜିନିୟର ଓ ଶିକ୍ଷକ ଭାବେ ସେ ବେଶ୍ ପରିଚିତ । ଆନ୍ଧ୍ର ବିଶ୍ୱବିଦ୍ୟାଳୟର ଆସୋସିଏଟ୍ ପ୍ରଫେସର ଭାବେ ଦୀର୍ଘ ୨୪ ବର୍ଷର ଅନୁଭୂତି ତାଙ୍କ ପାଖରେ ରହିଛି ।
ଏହାଛଡ଼ା ଆନ୍ଧ୍ରରେ ୧୯୯୯ରେ ବିଧାୟକ, ୨୦୧୪ରେ ରାଜ୍ୟ ବିଜେପି ସଭାପତି ଦାୟିତ୍ୱ ସହ ସାଂସଦ ଭାବେ ନିର୍ବାଚିତ ହୋଇ କାମ କରିଛନ୍ତି । ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ଦଳର ଜାତୀୟ କାର୍ଯ୍ୟକାରିଣୀରେ କାମ କରିଛନ୍ତି । ଛାତ୍ର ରାଜନୀତିରୁ କ୍ୟାରିୟର ଆରମ୍ଭ କରିଥିବା ଡଃ କମ୍ଭମପତି ୧୯୭୪-୭୫ ମସିହାରେ ଜୟପ୍ରକାଶ ନାରାୟଣ ଆନ୍ଦୋଳନବେଳେ ଗିରଫ ହୋଇ ୬ମାସ ଜେଲ୍ ଯାଇଥିଲେ।