ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାର କାଲକାଜୀ ଆସନରେ ଲଢେଇ ଜୋରଦାର ହେବାକୁ ଯାଉଛି । ଆଗାମୀ ନିର୍ବାଚନରେ ଆପର ଶୀର୍ଷ ନେତୃତ୍ୱଙ୍କୁ ଘେରିବା ପାଇଁ କଂଗ୍ରେସ ଜୋରଦାର ଉଦ୍ୟମ କରୁଥିବା ସ୍ପଷ୍ଟ ହୋଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନାଙ୍କ ବିରୋଧରେ ନିଜର ଫାୟାରବ୍ରାଣ୍ଡ ନେତ୍ରୀ ଅଳକା ଲାମ୍ୱାଙ୍କୁ ମୈଦାନକୁ ଓହ୍ଲାଇଛି । ଅଲକା ଲାମ୍ୱା ୨୦୧୫ ବିଧାନସଭା ନିର୍ବାଚନ ଆପରୁ ଲଢିଥିଲେ । କିନ୍ତୁ ଏଥର ଆପ୍କୁ ଚ୍ୟାଲେଞ୍ଜ କରିବେ ।
ଆଜି କେନ୍ଦ୍ରୀୟ ନିର୍ବାଚନ ସମିତି ଦିଲ୍ଲୀ ବିଧାନସଭା ନିର୍ବାଚନରେ କାଲକାଜୀ ନିର୍ବାଚନ କ୍ଷେତ୍ରରୁ କଂଗ୍ରେସ ପ୍ରାର୍ଥୀ ରୂପେ ଅଳକା ଲାମ୍ୱାଙ୍କୁ ପ୍ରାର୍ଥୀତ୍ୱକୁ ମଞ୍ଜୁରି ଦେଇଛି । ଏହି ଆସନରେ ଆମ୍ ଆଦାମୀ ପାର୍ଟିର ନେତ୍ରୀ ଏବଂ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଆତିଶୀ ବିଧାୟକ ଅଛନ୍ତି । ଆଗାମୀ ନିର୍ବାଚନରେ ବି ଆତିଶୀ ଏହି ଆସନରୁ ନିର୍ବାଚନ ଲଢିବେ । ଏଥିପାଇଁ ଏହି ଆସନରେ ଲଢେଇ ଅଧିକ ରୋଚକ ହେବ ।
୨୦୨୦ ବିଧାନସଭା ନିର୍ବାଚନରେ ଅଳକା ଲମ୍ୱା କଂଗ୍ରେସ ଟିକଟରେ ଚାନ୍ଦିନୀ ଚୌକ ଆସନରୁ ନିର୍ବାଚନ ଲଢିଥିଲେ । କିନ୍ତୁ ନିର୍ବାଚନରେ ପରାଜୟ ସାମନା କରିଥିଲେ । ଆପ୍ ନେତା ପ୍ରହ୍ଲାଦ ସିଂହ ବିଜୟୀ ହୋଇଥିଲେ । ଏହା ପୂର୍ବରୁ ୨୦୧୫ ବିଧାନସଭା ନିର୍ବାଚନରେ ସେ ଆମ୍ ଆଦାମୀ ପାର୍ଟି ଟିକଟରେ ନିର୍ବାଚନ ଲଢି ବିଜୟୀ ହୋଇଥିଲେ ।
ସେପଟେ ସୂତ୍ର ଅନୁସାରେ ବିଜେପି ଦକ୍ଷିଣ ଦିଲ୍ଲୀର ପୂର୍ବତନ ସାଂସଦ ରମେଶ ବିଘୁଡ଼ିଙ୍କୁ କାଲକାଜୀ ଆସନରେ ପ୍ରାର୍ଥୀ କରିପାରେ । ଯଦି ଏପରି ହୁଏ ତେବେ ଏହି ଆସନ ଦିଲ୍ଲୀ ବିଧାନସଭା ନିର୍ବାଚନରେ ସବୁଠୁ ଚର୍ଚ୍ଚିତ ଆସନ ମଧ୍ୟରୁ ଗୋଟିଏ ହେବ ।