ପୁଣି ଫେରିଲା ମାସ୍କ ସମୟ: ଚୀନରୁ ୬ଟି ଦେଶକୁ ବ୍ୟାପିଲାଣି ଏଚଏମ୍‌ପିଭି ଭାଇରସ, ଏବେଠୁ ରୁହନ୍ତୁ ସତର୍କ

Published By : Prameya-News7 Bureau | January 05, 2025 IST

internet

ନୂଆଦିଲ୍ଲୀ: ଚାଇନାରେ ଏଚଏମ୍‌ପିଭି ଭୂତାଣୁ ଅତି ଦ୍ରୁତ ଗତିରେ ବ୍ୟାପୁଛି। ଏହି ଭାଇରସ ବ୍ୟାପୁଥିବାରୁ ଚୀନ୍‌ର ଅନେକ ରାଜ୍ୟରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଏଚଏମ୍‌ପିଭି ଭୂତାଣୁ କରୋନା ଟାରୁ ଅଧିକ ବିପଜ୍ଜନକ ବୋଲି କୁହାଯାଉଛି। ଚୀନ୍‌ର ଅନେକ କ୍ଷେତ୍ରରେ ପରିସ୍ଥିତି ବିଗିଡି ଯାଇଛି। ପୁଣି ଥରେ ମାସ୍କର ଯୁଗ ଫେରି ଆସିଛି। ହଜାର ହଜାର ଲୋକ ଏହି ଭୂତାଣୁଙ୍କ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ବୃଦ୍ଧ ଓ ଶିଶୁମାନଙ୍କ ମଧ୍ୟରେ ଏହି ସଂକ୍ରମଣ ଶୀଘ୍ର ବ୍ୟାପିବାରେ ଲାଗିଛି। ଡାକ୍ତରଖାନାଗୁଡ଼ିକରେ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଶିଶୁ ୱାର୍ଡରେ ସର୍ବାଧିକ ସଂଖ୍ୟକ ରୋଗୀ ଅଛନ୍ତି।

ଉତ୍ତର ଚାଇନାରେ ଏହି ଭୂତାଣୁ ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ ବିମାନବନ୍ଦରରେ ବିରାଟ ଭିଡ଼ ଦେଖିବାକୁ ମିଳୁଛି। ଭାଇରୋଲୋଜି ବିଶେଷଜ୍ଞ ଡକ୍ଟର ଲିନ ଜିଆଜୁ କହିଛନ୍ତି ଯେ HMPV ଭାଇରସ ଦିନେ ସାମାନ୍ୟ ଶ୍ୱାସଜନିତ ରୋଗ ଥିଲା, ଆଜି ଏହା ଘାତକ ହେଉଛି। ଲୋକଙ୍କୁ ମୃତ୍ୟ ମୁଖକୁ ଟାଣି ଆଣୁଛି। ଭାଇରସର ମ୍ୟୁଟେସନ ପାଇଁ ଏପରି ହେଉଛି ବୋଲି ସେ କହିଛନ୍ତି। ବର୍ତ୍ତମାନ ଏହି ଭାଇରସ ଚୀନ ଠାରୁ ଅନ୍ୟ ଦେଶକୁ ବି ବ୍ୟାପିଲାଣି। 

ଇଂଲଣ୍ଡରେ ବ୍ୟାପିଲା ଭୂତାଣୁ HMPV ଭାଇରସ

ଇଂଲଣ୍ଡରେ ଏହି ଭାଇରସ ଦ୍ରୁତ ଗତିରେ ବ୍ୟାପୁଛି। ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ସବୁ ରୋଗୀଙ୍କ ଠାରେ ଶ୍ୱାସଜନିତ ସମସ୍ୟା ଦେଖା ଦେଉଛି। ମାସକରେ ରୋଗୀଙ୍କ ସଂଖ୍ୟା ୪ ଗୁଣ ବୃଦ୍ଧି ପାଇଛି। ଏହି ଭୂତାଣୁକୁ ନେଇ ବ୍ରିଟେନ୍‌ର NHS ପକ୍ଷରୁ  ଚେତାବନୀ ଜାରି କରାଯାଇଛି। ଖ୍ରୀଷ୍ଟମାସ ଦିନ ୪୧୦୨ ଫ୍ଲୁ ରୋଗୀଙ୍କୁ ଭର୍ତ୍ତି କରାଯାଇଥିଲା। ୪ ଦିନ ପରେ, ଡିସେମ୍ବର ୨୯ ରେ, ୫୦୭୪ ରୋଗୀ ଥିଲେ। ଡାକ୍ତରଖାନାଗୁଡ଼ିକରେ ହାରାହାରି ରୋଗୀଙ୍କ ସଂଖ୍ୟା ହେଉଛି ୪୪୬୯ ରହିଛି। 

ହଂକଂକୁ ମାଡ଼ୁଛି HMPV ଭାଇରସ

ବ୍ରିଟେନ୍ ଭଳି ହଂକଂରେ ମଧ୍ୟ ଲୋକେ HMPV ଭୂତାଣୁରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ହଂକଂ ଡାକ୍ତରଖାନାରେ ମଧ୍ୟ ରୋଗୀଙ୍କ ଲମ୍ବା ଲାଇନ ଲାଗିଛି। ସେଠାରେ ମଧ୍ୟ ଶ୍ୱାସରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଥିବାର ଦେଖାଯାଇଛି। ଏହି ଜୀବାଣୁ ଦ୍ୱାରା ଶିଶୁ ଏବଂ ବୃଦ୍ଧମାନେ ଅଧିକ ପ୍ରଭାବିତ ହୁଅନ୍ତି।

କ’ଣ ଏହି HMPV ଭାଇରସ ?

ନୂଆ ଜୀବାଣୁର ନାଁ ହ୍ୟୁମାନ୍ ମେଟା ନ୍ୟୁମୋ ଭାଇରସ୍ (HMPV)। ଏହା ଏକ RNA ଭୂତାଣୁ। ଯଥା ଫ୍ଲୁ ପରି ବ୍ୟାପିଥାଏ। ଏଚଏମପିଭିର ଲକ୍ଷଣ ମଧ୍ୟ କରୋନା ମହାମାରୀ ପରି।ଏହାର ଲକ୍ଷଣ ହେଉଛି କାଶ, ଜ୍ୱର, ନାକ ସଂକ୍ରମଣ, ଗଳା ଯନ୍ତ୍ରଣା ଏବଂ ନିଶ୍ୱାସ ନେବାରେ ଅସୁବିଧା। ଦୁଇ ବର୍ଷରୁ କମ୍ ପିଲା, ବୃଦ୍ଧ ଏବଂ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତିଙ୍କୁ ଏହା ଅଧିକ ସଂକ୍ରମିତ କରିଥାଏ। ଆଜ୍‌ମା ଏବଂ ଫୁସଫୁସ ରୋଗୀଙ୍କଠାରେ ସଂକ୍ରମଣ ଶୀଘ୍ର ବ୍ୟାପିଥାଏ।

ଏଚଏମପିଭି ଭାଇରସରୁ କେମିତି ସୁରକ୍ଷିତ ରହିବେ ?

• ସାବୁନରେ ବାରମ୍ବାର ହାତ ଧୁଅନ୍ତୁ।
 • ସାନିଟାଇଜର ବ୍ୟବହାର କରନ୍ତୁ।
 • ରୋଗୀମାନଙ୍କ ସଂସ୍ପର୍ଶରୁ ଦୂରେଇ ରହୁନ୍ତୁ।
 • ମାସ୍କ ବ୍ୟବହାର କରନ୍ତୁ।
 • ଯଦି ଲକ୍ଷଣ ଦେଖାଯାଏ ତେବେ ସଂଗରୋଧରେ ରୁହନ୍ତୁ। 
 • ଆବଶ୍ୟକ ହେଲେ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ।

 ଏଚଏମପିଭି ଭାଇରସର ଲକ୍ଷଣ

• ଏହାର କରୋନା ଭଳି ଲକ୍ଷଣ ରହିଛି।
 • ପ୍ରବଳ ଜ୍ୱର ଏବଂ କାଶ ହେବା।
 • ଶ୍ୱାସକ୍ରିୟାରେ ସମସ୍ୟା।
 • ଫୁସଫୁସ ସଂକ୍ରମଣ।
 • ନାକ ବନ୍ଦ ହେବା
 •ଗଳା ସରସର ହେବା
 • ରୋଗୀଙ୍କ ସଂସ୍ପର୍ଶରେ ଆସିଲେ ସଂକ୍ରମିତ ହେବା।
ଏଚଏମପିଭି ଭାଇରସ ନେଦରଲ୍ୟାଣ୍ଡ, ବ୍ରିଟେର୍ ଫିନଲ୍ୟାଣ୍ଡ, ଅଷ୍ଟ୍ରେଲିଆ, କାନାଡ଼ା, ଆମେରିକା ଓ ଭାଇରସ ସୃଷ୍ଟିକର୍ତ୍ତା ଚୀନରେ ଦ୍ରୁତ ଗତିରେ ବ୍ୟାପି ଚାଲିଛି। ସେହି ଦେଶଗୁଡ଼ିକର ସରକାର ଏହି ଭୂତାଣୁ ନେଇ ସତର୍କତା ଅବଲମ୍ବନ କରିଛନ୍ତି। ସୂଚନା ଥାଉକି, ଏଚଏମପିଭି ଭାଇରସ ନୂଆ  ନୁହେଁ, ଗତ ୬ ଦଶନ୍ଧି ଧରି ଏହି ଭୂତାଣି ସକ୍ରିୟ ରହିଛି। 
ଏହି ଭୂତାଣୁ ପ୍ରଥମେ ନେଦରଲ୍ୟାଣ୍ଡରେ ୨୦୦୧ରେ ଚିହ୍ନଟ ହୋଇଥିଲା। ଶ୍ୱାସକ୍ରିୟା ରୋଗରେ ଆକ୍ରାନ୍ତ ପିଲାମାନଙ୍କ ନମୁନାରେ ଏହି ଜୀବାଣୁ ଥିବା ଜଣାପଡ଼ିଥିଲା। HMPV ହେଉଛି ପାରାମାଇକ୍ସୋଭିରିଡା ପରିବାରର ଏକ ଭୂତାଣୁ। ଏହି ଭୂତାଣୁ ସବୁ ଋତୁରେ ବାୟୁରେ ରହିଥାଏ। ସଂକ୍ରମିତ ଲୋକମାନଙ୍କର କାଶ ଏବଂ ଛିଙ୍କିବା ଦ୍ୱାରା ଏହା ବ୍ୟାପିଥାଏ। ଶୀତଦିନେ ଏହା ଅଧିକ ବ୍ୟାପିବାର ବିପଦ ରହିଥାଏ। 
 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.