ଉପର ବାଲିଯାତ୍ରା ପଡିଆକୁ ଯାତ୍ରା ଉଦ୍ଦେଶ୍ୟରେ ବ୍ୟବହାର ନକରିବାରୁ ହାଇକୋର୍ଟଙ୍କ ପରାମର୍ଶ, ଆସନ୍ତା ୭ ତାରିଖରେ ନିଷ୍ପତ୍ତି

Published By : Prameya-News7 Bureau | October 30, 2024 IST

କଟକ ୩୦।୧୦: ଉପର ପଡିଆରେ ହେବନି କି ବାଲିଯାତ୍ରା ? ହାଇକୋର୍ଟଙ୍କ ପରାମର୍ଶକୁ ଗ୍ରହଣ କରିବେ କି ସରକାର ? ବାଲିଯାତ୍ରା ପାଇଁ କେବଳ ତଳ ପଡିଆକୁ ବ୍ୟବହାର କରିବେ କି କର୍ତ୍ତୃପକ୍ଷ ? ଚଳିତ ବର୍ଷ ବାଲିଯାତ୍ରା ପାଇଁ କେବଳ ମହାନଦୀ ପଠାକୁ ବ୍ୟବହାର କରାଯାଇ ପାରିବ କି ବୋଲି କଟକ ଜିଲ୍ଲା ପ୍ରଶାସନ ଉଦ୍ଦେଶ୍ୟରେ ଏଭଳି ପ୍ରଶ୍ନ କରିଛନ୍ତି ହାଇକୋର୍ଟ । ଉପର ବାଲିଯାତ୍ରା ପଡିଆକୁ ଯାତ୍ରା ଉଦ୍ଦେଶ୍ୟରେ ବ୍ୟବହାର କରାନଯାଉ ବୋଲି ହାଇକୋର୍ଟ ପରାମର୍ଶ ଦେଇଛନ୍ତି । ତେବେ ଏହା ଉପରେ ବିଭିନ୍ନ ବିଭାଗ, ବ୍ୟବସାୟୀ, ଅନୁଷ୍ଠାନ ଏବଂ ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆଡ଼ଭୋକେଟ୍ କମିଟି ସହ ବିଚାର ବିମର୍ଶ କରିବା ଲାଗି କଟକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ହୋଇଛି । 

ସୂଚନାଯୋଗ୍ୟ ଯେ, ବୁଧବାର ହାଇକୋର୍ଟରେ କଟକ ସହର ସମସ୍ୟା ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି ହୋଇଥିଲା । କେବଳ ତଳ ପଡିଆରେ ବାଲିଯାତ୍ରା ହେବା ସମ୍ଭବ କି ବୋଲି ହାଇକୋର୍ଟ ପ୍ରଶ୍ନ କରିବା ସହିତ ଉପର ବାଲିଯାତ୍ରା ପଡିଆକୁ ଅନ୍ୟ କାର୍ଯ୍ୟରେ ବ୍ୟବହାର କରିବା ଲାଗି ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଛନ୍ତି । ଏନେଇ ୭ ତାରିଖ ସୁଦ୍ଧା ନିଷ୍ପତ୍ତି ନେବା ପାଇଁ ହାଇକୋର୍ଟ କହିଛନ୍ତି । ଆସନ୍ତା ୭ ତାରିଖ ଦିନ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ଆସନ୍ତା ମାସ ୧୫ରୁ ଆରମ୍ଭ ହେବାକୁ ଯାଉଛି କଟକର ଐତିହାସିକ ବାଲିଯାତ୍ରା । 

ଏଥିପାଇଁ ଉପର ପଡିଆ ତଳ ପଡିଆର ଅନଲାଇନ ପ୍ଲଟ୍ ବୁକିଂ ପ୍ରକ୍ରିୟା ସରିଲାଣି । ପ୍ରତିଥର ଉପର ଓ ତଳ ପଡିଆରେ ବାଲିଯାତ୍ରା ଅନୁଷ୍ଠିତ ହୁଏ । ତେଣୁ ହାଇକୋର୍ଟଙ୍କ ପରାମର୍ଶ ମୁତାବକ ଆଗକୁ କ’ଣ ପଦକ୍ଷେପ ନିଆଯାଉଛି, ତାହା ଉପରେ ନଜର । ତେବେ ହାଇକୋର୍ଟଙ୍କ ଏହି ପରାମର୍ଶ ବାବଦରେ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

You Can Read:

ଖୁବ୍‌ଶୀଘ୍ର ଘୋଷଣା ହେବ ସୁଭଦ୍ରା ତୃତୀୟ ପର୍ଯ୍ୟାୟ କିସ୍ତି, ବାଦ୍ ପଡ଼ିଥିବା ସମସ୍ତ ଅଙ୍ଗନବାଡି କର୍ମୀଙ୍କୁ ମିଳିବ ଟଙ୍କା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.