ପୋଲିସ ହେପାଜତରେ ମୃତ୍ୟୁ ମାମଲା, ଅମୃତ ପୁହାଣଙ୍କ ପରିବାରକୁ୨ ଲକ୍ଷ ଟଙ୍କା ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | September 19, 2024 IST

କଟକ: ପୋଲିସ ହେପାଜତରେ ମୃତ୍ୟୁ ବରଣ କରିଥିବା ଭଦ୍ରକର ଅମୃତ ପୁହାଣଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଆଜି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ୭ ଦିନ ଭିତରେ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ଲାଗି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ହୋଇଛି । 

ଭଦ୍ରକ ପୋଲିସ ତାଙ୍କ ପୁଅ  ଅମୃତ ପୁହାଣକୁ ଟ୍ରେନରୁ ଠେଲି ହତ୍ୟା କରିଛନ୍ତି ବୋଲି ଅମୃତଙ୍କର ମା ବାସନ୍ତୀ ପୁହାଣ ହାଇକୋର୍ଟରେ ଏକ ମାମଲା ଦାୟର କରିଥିଲେ। ଗତ ଫେବୃଆରୀ ୮ ତାରିଖରେ ଏନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ୧୦ ସପ୍ତାହ ମଧ୍ୟରେ ଅମୃତର ପରିବାରକୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଉକ୍ତଦିନ ନିର୍ଦ୍ଦେଶ ହୋଇଥିଲା । କିନ୍ତୁ ନିର୍ବାଚନ କାରଣରୁ ଅଦାଲତଙ୍କ ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହୋଇ ନଥିବା ସରକାରଙ୍କ ପକ୍ଷରୁ ଏକ ପିଟିସନ ଜରିଆରେ ଅବଗତ କରାଯିବା ପରେ ଆଜି ସାନି ନିର୍ଦ୍ଦେଶ ହୋଇଛି। 

୨୦୧୮  ମସିହାରେ ଅମୃତ ପୁହାଣ ଭଦ୍ରକରେ ଏକ କଲେଜରେ ଯୁକ୍ତ ତିନି କମର୍ସ ପଢ଼ୁଥିବା ବେଳେ ଜଣେ ନାବାଳିକାଙ୍କୁ ନେଇ ରାଜ୍ୟ ବାହାରକୁ ପଳାଇ ଯାଇଥିବା ଅଭିଯୋଗ ହୋଇଥିଲା। ୨୦୧୮ ଏପ୍ରିଲ ୧୪ ତାରିଖରେ ନାବାଳିକାଙ୍କ ସହିତ ଅମୃତଙ୍କୁ ଭଦ୍ରକ ପୋଲିସ ଗୋଆରୁ ଧରି ଫ୍ଲାଇଟ ଯୋଗେ କଲିକତା ଓ ସେଠାରୁ ଫାଲକନାମା ଏକ୍ସପ୍ରେସ ଯୋଗେ ଭଦ୍ରକ ଆଣୁଥିଲେ। 

ପଶ୍ଚିମ ମେଦିନପୁର ବେଲଦା ନିକଟରେ ଅମୃତ ଟ୍ରେନରୁ ଡେଇଁ ପଡିଥିବା ପୋଲିସ କହୁଥିବା ବେଳେ ତାକୁ ପୋଲିସ ଠେଲି ହତ୍ୟା କରିଥିବା ଅମୃତର ମା ଅଭିଯୋଗ କରିଥିଲେ। ଏହି ମାମଲାର ପୁନଶ୍ଚ ଶୁଣାଣି ଆଜି ହାଇକୋର୍ଟରେ ହୋଇଛି। ୭ ଦିନ ଭିତରେ ମୃତକଙ୍କ ପରିବାରକୁ ରାଜ୍ୟ ସରକାର ୨ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.