ଭୁବନେଶ୍ୱର ୦୫।୦୨ : ତତଲା ପାଗ ଏବେଠୁ ଡରାଇଲାଣି । ଫେବ୍ରୁଆରୀରୁ ପ୍ରଚଣ୍ଡ ରୌଦ୍ର ତାପର ପ୍ରକୋପ ଆରମ୍ଭ ହେଲାଣି । ଗତ ୨୭ ତାରିଖରେ କୋରାପୁଟରେ ତାତି ପ୍ରଥମଥର ୩୩.୪ ଡିଗ୍ରୀ ଛୁଇଁଥିଲା । ୨୧ ବର୍ଷ ପରେ ଏ ମାସରେ ରାଜଧାନୀ ତାତି ୩୫ ଡିଗ୍ରୀ ପାଖ ମାଡ଼ିଲାଣି । ପାଣିପାଗର ଏଭଳି ଅସ୍ୱାଭାବିକ ସ୍ଥିତିକୁ ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକାଶ କଲେଣି ।
ମଙ୍ଗଳବାର ଝାରସୁଗୁଡ଼ାର ତାପମାତ୍ରା ୩୬.୪ଡିଗ୍ରୀ ରେକର୍ଡ ହୋଇଛି । ସୁନ୍ଦରଗଡ଼ ଓ ପାରଳାଖେମୁଣ୍ଡିରେ ୩୫.୬, ସମ୍ବଲପୁରରେ ୩୫.୪, ବଲାଙ୍ଗୀରରେ ୩୫.୩, ମାଲକାନଗିରିରେ ୩୫.୨, ବରଗଡ଼ରେ ୩୪.୫, ହୀରାକୁଦରେ ୩୪.୪, ସୋନପୁରରେ ୩୪.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ରାଜଧାନୀର ତାପମାତ୍ରା ୩୩.୬ ଡିଗ୍ରୀ ରହିଥିଲା । ଦିନକୁ ଦିନ ତାତି ବଢ଼ିଚାଲିଛି । ରାତିରେ ବି ପାରଦ ଉପରମୁହାଁ ହେଉଛି । ଛତ୍ରପୁର ଓ ପୁରୀରେ ୨୩ଡିଗ୍ରୀ, ଗୋପାଳପୁରରେ ୨୨.୬, ପାରାଦୀପରେ ୨୧.୯ ଓ ଭୁବନେଶ୍ୱରରେ ୨୧.୬ ଡିଗ୍ରୀ ରହିଥିଲା । ରାତିରେ ଶୀତ ଉଭାନ୍ ହୋଇଯାଇଛି । ଗତ ଜାନୁଆରୀ ୩୧ ତାରିଖରେ ଭବାନୀପାଟଣାରେ ଦିନ ତାପମାତ୍ରା ରେକର୍ଡ ୩୪ ଡ଼ିଗ୍ରୀ ରହିଥିଲା । ୧୯୭୩ରୁ ୨୦୨୫ ମସିହା ଯାଏ, ଦୀର୍ଘ ୫୨ ବର୍ଷରେ ଜାନୁୟାରୀ ମାସ ପାଇଁ ଏହା ଦ୍ୱିତୀୟ ସର୍ବାଧିକ ତାପମାତ୍ରା । ସେହିଦିନ ଝାରସୁଗୁଡ଼ାରେ ରେକର୍ଡ ୩୪.୫ ଡ଼ିଗ୍ରୀ ରହିଥିଲା । ଏହା ଜାନୁଆରୀ ମାସର ତୃତୀୟ ସର୍ବାଧିକ ତାପମାତ୍ରା ।
ସେହିପରି ଜାନୁୟାରୀ ମାସର ଶେଷ ସପ୍ତାହ ଓ ଫେବ୍ରୁଆରୀ ମାସରେ ରାଜଧାନୀର ତାତିକୁ ନେଇ ବିଶେଷଜ୍ଞମାନେ ଚିନ୍ତାପ୍ରକଟ କଲେଣି । ହିଟ୍ ଆଇଲାଣ୍ଡ ପ୍ରଭାବରେ ସହରର ତାତି ବଢ଼ିଚାଲିଛି । ଗତବର୍ଷ ଏପ୍ରିଲ ମାସରେ ଲଗାତର ୧୬ ଦିନ ଧରି ୪୦ ଡ଼ିଗ୍ରୀ ରୁ ଅଧିକ ତାପମାତ୍ରା ଅନୁଭୂତ ହୋଇଥିଲା । ରାଜଧାନୀ ପାଣିପାଗ କେନ୍ଦ୍ର ସ୍ଥାପନ ଠାରୁ ଆଜିସୁଦ୍ଧା ଗତ ୭୮ ବର୍ଷରେ ପ୍ରଥମ ଥର ପାଇଁ ଏଭଳି ଲମ୍ବା ଗ୍ରୀଷ୍ମ ଅବଧି ଅନୁଭୂତ ହୋଇଥିଲା । ୨୦୦୫ ଫେବୃଆରୀ ୧ ତାରିଖରେ ସର୍ବୋଚ୍ଚ ଦିନ ତାପମାତ୍ରା ୨୫.୭ ଡିଗ୍ରୀ ଥିଲା । କିନ୍ତୁ ଏବେ ଏହା ୩୫ ଡିଗ୍ରୀ ପାଖରେ ରହୁଛି । ୨୦୨୩ ଓ ୨୦୨୪ ଲଗାତାର ଭାବେ ବିଶ୍ୱର ଉତ୍ତପ୍ତ ବର୍ଷ ପାଲଟିଛି । ବିଶ୍ୱତାପନ ପ୍ରଭାବରେ ତାତି ଦିନକୁ ଦିନ ଅସହ୍ୟ ହେଉଛି ବୋଲି ପାଣିପାଗ ବିଶେଷଜ୍ଞ କହୁଛନ୍ତି । ଏବର୍ଷ ଜାନୁଆରୀ ମାସ ଅଧାରୁ ଶୀତ ଗାଏବ ହେବା ଜଳବାୟୁ ପରିବର୍ତ୍ତନ ଆଡ଼କୁ ସିଧାସଳଖ ପ୍ରତିଫଳନ ।
ପାଣିପାଗ ସଂସ୍ଥା ଡବ୍ଲୁଏମଓ ସତର୍କତା ଜାରି କରି କହିଛି, ଆଗକୁ ଗ୍ରୀଷ୍ମ ସ୍ଥିତି ସଙ୍ଗୀନ ହେବ । ରାଜ୍ୟରେ ୭୦ ରୁ ୮୦ ଦିନ ଯାଏ ଗ୍ରୀଷ୍ମ ପ୍ରବାହ ଲାଗି ରହିବ । ମାର୍ଚ୍ଚ ମାସ ଅଧାରୁ ଜୁନ ମାସ ଅଧା ଯାଏ ୯୦ ଦିନରେ ୮୫% ଦିନ ପ୍ରଚଣ୍ଡ ତାତି ରହିବ। ଗୁରୁଚାପ ବଳୟର ପ୍ରଭାବ ଓ ପଶ୍ଚିମା-ଝଡ଼ର ବାରମ୍ବାର ଆଗମନ ଯୋଗୁ ରାଜ୍ୟରେ ତାତିର ପ୍ରଭାବ ଅଧିକ ରହୁଛି ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଉମାଶଙ୍କର ଦାସ କହିଛନ୍ତି । ସେ କହିଛନ୍ତି, ଗତ ୧୫ ଦିନ ଧରି ଉପକୂଳ ଓଡ଼ିଶାରେ କୁହୁଡ଼ି ଦେଖାଦେଉଛି । ରାଜଧାନୀରେ ୧୦ ଦିନ ଯାଏଁ ଦୃଶ୍ୟମାନ ଦୂରତା ୧୦୦ ମିଟରରୁ କମ ରହୁଛି । ଗୁରୁଚାପ ବଳୟ ଲଗାତର ଭାବେ ଓଡିଶା ଉପକୂଳରେ ସକ୍ରିୟ ଅଛି । ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ରାଜ୍ୟକୁ ଥଣ୍ଡା-ଶୁଷ୍କ ପବନ ଆସିପାରୁନି । ପୁଣି ମେରୁ ବଳୟ (ପୋଲାର-ଭାର୍ଟେକ୍ସ) ଦୁର୍ବଳ ହେବା ଯୋଗୁ ପଶ୍ଚିମା ଝଡ଼ର ପ୍ରଭାବ ବଢୁଛି । ଏହା ବିଶ୍ୱତାପନ ତଥା ଜଳବାୟୁ ପରିବର୍ତ୍ତନର ସିଧାସଳଖ ପ୍ରତିଫଳନ ବୋଲି ସେ ବିଶ୍ଲେଷଣ କରି କହିଛନ୍ତି । ଏଥିପାଇଁ ସହଳ ଶୀତ ଗାଏବ ହେବା ସହ ତାତର ପ୍ରଭାବ ବଢ଼ିଛି ।