ଭୁବନେଶ୍ୱର ୧୧/୦୩: ରାଜ୍ୟରେ ପୁଣି ବଢ଼ିଲା ତାତି । ତାତିର ତାଉରେ ଜଳିବ ପଶ୍ଚିମ ଓଡ଼ିଶା । ରାଜ୍ୟରେ ଡହ ଡହ ଖରା ସହ କଲବଳ କରାଣି ତାତି । ୩ରୁ ୪ ଦିନ ହେବ ତାତି ସାମାନ୍ୟ କମ ଥିବା ବେଳେ ଆଜିଠାରୁ ପୁଣି ବଢିଛି ତାତି । ତାତି ବଢୁଥିବା ବେଳେ ହିଟ ୱେବ ବା ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କରିଛି ପାଣିପାଗ ବିଭାଗ ।
୧୩ ଓ ୧୪ ତାରିଖ ଦୁଇଦିନ ହିଟୱେଭ୍ ସତର୍କତା ଜାରି କରାଯାଇଛି । ପଶ୍ଚିମ ଓଡ଼ିଶା ସହ ଆଭ୍ୟନ୍ତରୀଣରେ ଅସମ୍ଭାଳ ହେବ ତାତି । ସମ୍ବଲପୁର, କଳାହାଣ୍ଡି ,ଝାରସୁଗୁଡ଼ା, ବଲାଙ୍ଗିର, ବୌଦ୍ଧ ଓ ସୋନପୁରକୁ ସତର୍କ କଲା ପାଣିପାଗ ବିଭାଗ । ଏହି ସବୁ ଜିଲ୍ଲାଗୁଡିକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଆସନ୍ତା ୧୩ ଓ ୧୪ ତାରିଖରେ ରାଜ୍ୟରେ ଗ୍ରୀଷ୍ମର ପ୍ରଭାବ ବଢ଼ିପାରେ । ବୌଦ୍ଧ, ସୋନପୁର, ବଲାଙ୍ଗିର, କଳାହାଣ୍ଡି, ସମ୍ବଲପୁର ଓ ଝାରସୁଗୁଡ଼ାରେ ଗ୍ରୀଷ୍ମପ୍ରବାହ ଅଧିକ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ସୋମବାର ବୌଦ୍ଧରେ ଦିନ ତାପମାତ୍ରା ସର୍ବାଧିକ ୩୯.୨ ଡିଗ୍ରୀ ରେକର୍ଡ ହୋଇଛି । ବଲାଙ୍ଗିରରେ ୩୭.୪, ମାଲକାନଗିରିରେ ୩୭.୨, ଝାରସୁଗୁଡ଼ା ଓ ଭବାନୀପାଟଣାରେ ୩୭ଡିଗ୍ରୀ, ହୀରାକୁଦରେ ୩୬.୭, ସୁନ୍ଦରଗଡ଼ରେ ୩୬.୫, ସମ୍ବଲପୁରରେ ୩୬.୪ ଡିଗ୍ରୀ ରେକର୍ଡ ହୋଇଥିଲା । ସୋମବାରଠାରୁ ଧୀରେ ଧୀରେ ତାପମାତ୍ରା ବଢିଥିବା ବେଳେ ୫ ଦିନ ଭିତରେ ୩ରୁ ୪ ଡିଗ୍ରୀ ବୃଦ୍ଧି ପାଇବ ବୋଲି ଆକଳନ କରିଛି ବିଭାଗ ।
୭ ଦିନ ଯାଏ ପାଗ ଶୁଖିଲା ରହିବ । ଏପରିକି ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ୪୦ ଡିଗ୍ରୀ ତାପମାତ୍ରା ଛୁଇଁପାରେ । ତେଣୁ ବାହାରକୁ ବାହାରିବା ସମୟରେ ପାଣି ବୋତଲ ସହ ପଗଡି ଭିଡିବା ଛତା ଧରି ଯିବା ଓ ସୂତା କପଡା ପିନ୍ଧିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ମାର୍ଚ୍ଚ ଦ୍ୱିତୀୟ ସପ୍ତାହରୁ କଲବଲ କଲାଣି ଖରା । ଦିନ ୧୦ଟା ପରେ ଘରୁ ବାହାରିବା ବି ଅସମ୍ଭବ ହେଲାଣି ।