ବ୍ରହ୍ମପୁର: ଯେଉଁଆଡ଼େ ହାତ ବଢାଇବ ସିଆଡ଼େ ମିଳୁଛି ମଦ। ଖୁଲମଖୁଲା ଚାଲିଛି ମଦ ବ୍ୟବସାୟ। ହୋଟେଲ ଭିତରେ ମଦ, କିରାଣୀ ଦୋକାନରେ ବି ମଦ। ସାହି, ଗଳି କନ୍ଦି, ରାସ୍ତା, ବଜାର ଘାଟ ସବୁଠି ମଦର ସୁଅ। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ। ଅବକାରୀ ନିୟମର ଖୁଲମଖୁଲା ଉଲ୍ଲଂଘନ। ଗଞ୍ଜାମ ଜିଲ୍ଲାରେ ସବୁଠି ଚାଲିଛି ମଦ ବ୍ୟବସାୟ।
ଟଙ୍କା ରୋଜଗାରର ନିଶା ପାଲଟିଛି ମଦ ବ୍ୟବସାୟ। ସବୁ ନିୟମକୁ ବେଖାତିର କରି ଚାଲିଛି ମଦ ବ୍ୟବସାୟ।ନା ପୋଲିସ ପ୍ରଶାସନ ଡର, ନା ସମାଜ ପ୍ରତି ସମ୍ମାନ।କି ଦୋକାନ କି ବଜାର. ସ୍କୁଲ, କଲେଜ, ମଠ, ମନ୍ଦିର, ପେଟ୍ରୋଲ ପମ୍ପ, ସରକାରୀ କାର୍ଯ୍ୟାଳୟ, ପୋଲିସ ଟ୍ରାଫିକ କାର୍ଯ୍ୟାଳୟ ନିକଟରେ ଚାଲିଛି ମଦ ବ୍ୟବସାୟ। ଗଞ୍ଜାମ ଜିଲ୍ଲା ଶେରଗଡ଼ ମୁଖ୍ୟ ବଜାର ବାଲିସାହି ପ୍ରାଥମିକ ବିଦ୍ୟାଳୟ ପାଖରେ ରହିଛି ଲାଇସେନ୍ସ ପ୍ରାପ୍ତ ଦେଶୀ ଆଉ ବିଦେଶୀ ମଦ ଦୋକାନ। ଦୀର୍ଘ ବର୍ଷ ଧରି ସ୍କୁଲ ପାଖରେ ମଦ ଦୋକାନ ଅଛି। ମୁଖ୍ୟ ବଜାର ସହ ସ୍କୁଲ ଥିବାରୁ ଏହା ଏକ ଜନଗହଳି ପୂର୍ଣ୍ଣ ଅଞ୍ଚଳ ହୋଇଥିବା ବେଳେ ପ୍ରତିଦିନ ମଦ୍ୟପଙ୍କ ଉତ୍ପାତ ଦେଖିବାକୁ ମିଳୁଛି। ମଦ୍ୟପ ମାନେ ରାସ୍ତାରେ ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଛନ୍ତି। ତେଣୁ ସ୍କୁଲ ଓ କଲେଜକୁ ଯିବା ପାଇଁ ଛାତ୍ର ଛାତ୍ରୀ ଭୟ କରୁଛନ୍ତି। ଦୁଇ ମଦ ଦୋକାନ ହଟେଇବାକୁ ସହରବାସୀ ଓ ଆଖପାଖ ଅଞ୍ଚଳ ଲୋକ ଦାବି କରୁଛନ୍ତି। ହେଲେ କେହି ଶୁଣନଥିବା ସେମାନେ ଅଭିଯୋଗ କରିଛନ୍ତି।
ସେହିପରି ଖଲ୍ଲିକୋଟ ସହରର କେନ୍ଦ୍ରସ୍ଥଳରେ ଅଛି ଦୁଇ ଦୁଇଟି ବିଦେଶୀ ଠିପି ବନ୍ଦ ମଦ ଦୋକାନ ଯାହା ନେତାଜୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରୁ ୧୦୦ ମିଟର ଓ ମେଡ଼ିକାଲ ଠାରୁ ୫୦ ମିଟର ଦୂର। କୋମଳମତି ଛାତ୍ରଛାତ୍ରୀ ଏଇ ବାଟ ଦେଇ ସ୍କୁଲ ଯାଉଥିବା ବେଳେ ଶହ ଶହ ରୋଗୀ ମଧ୍ୟ ଯାତାୟାତ କରିଥାନ୍ତି। ଛତ୍ରପୁରେ ମଧ୍ୟ ସମାନ ଅବସ୍ଥା। ଶିକ୍ଷାନୁଷ୍ଠାନ ଓ ମନ୍ଦିର ନିକଟରେ ରହିଛି ମଦ ଦୋକାନ। ପ୍ରତିବାଦ କରିଲେ ସୁଧୁରୁ ନାହାନ୍ତି କି ଗୁହାରି କରିଲେ କେହି ଶୁଣୁନଥିବା ଅଭିଯୋଗ ହୋଇଛି।
ସେହିପରି ଦିଗପହଣ୍ଡି ଅଞ୍ଚଳରେ ବିଚିତ୍ର ଦୃଶ୍ୟ।ବୋରିପଦର ଗାଁର ଏକ ତେଜରାତି ଦୋକାନରେ ମଧ୍ୟ ମିଳୁଛି ମଦ। ଗ୍ରାହକ ଗଲେ ବ୍ୟବସାୟୀ ଫ୍ରିଜରୁ ବାହାର କରି ହାତକୁ ବଢ଼ାଇ ଦେଉଛନ୍ତି ମଦ ବୋତଲ। ବ୍ରହ୍ମପୁର ସହରରେ ମଧ୍ୟ ସମାନ ଅବସ୍ଥା। ଫାଷ୍ଟ ଗେଟ୍ ପେଟ୍ରୋଲ ପମ୍ପ ନିକଟରେ ଅଛି ମଦ ଦୋଳନ। ଏଠି ଚାଲିଛି ବେଧଡକ ମଦ କାରବାର।
ସେହିପରି ହୋଟେଲ ଭିତରେ ବାର ଭଳି ମଦ ବ୍ୟବସାୟ। ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବି ଅଛି ମଦ ଦୋକାନ। ଟଙ୍କା ଉପାର୍ଜନ ନିଶାରେ ସବୁ ନିୟମକୁ ଫୁ କରି ମଦ ବ୍ୟବସାୟୀ କରୁଛନ୍ତି କାରବାର। ସେପଟେ ଭଞ୍ଜନଗର ଉପ ଜିଲ୍ଲାପାଳ କହିଛନ୍ତି ପଚାରି ବୁଝି ନିଆଯିବ ପଦକ୍ଷେପ।ଆଉ ଅବକାରୀ ବିଭାଗ କହୁଛି ରାଜସ୍ବ ବୃଦ୍ଧି ଦିଗରେ ସଫଳ ହେଇଛୁ।ବେନିୟମ ହୋଇଥିଲେ ପଦକ୍ଷେପ ନେବୁ।