ଅଦିନିଆ ହୋଲି ଖେଳିଲେ ପୋଲିସ-ଜନତା, ସଂପର୍କରେ ସୁଧାର ଲାଗି ପ୍ରୟାସ

Published By : Prameya-News7 Bureau | March 12, 2025 IST

ଭଦ୍ରକ ୧୨/୦୩: ପୋଲିସ ଓ ସାଧାରଣ ଜନତାଙ୍କର ଅଦିନିଆ ହୋଲି ମୁନିସି ମେଲଣ । ଥାନା ପୋଡି ପରେ ସେତେବେଳର ମୁନିସି ଓ ସାଧାରଣ ଲୋକଙ୍କ ମଧ୍ୟ ରେ ଥିବା ସମ୍ପର୍କରେ ସୁଧାର ପାଇଁ ଆରମ୍ଭ ହୋଇଥିବା ଏହି ମେଲଣ ଏବେ ଗଣପର୍ବରେ ପରିବର୍ତ୍ତନ ହୋଇଛି । ସେବେର ମୁନିସି ଏବେର ପୋଲିସ । ଯେତେବେଳେ ପୋଲିସର ନାମ ଶୁଣିବା ମାତ୍ରକେ ମନରେ ଭୟ ସୃଷ୍ଟି ହେଉଥିଲା । 

ଏବେ କିନ୍ତୁ ସେହି ସମୟ ନାହିଁ । ନହେଲେ ଥାନା ପରିସରରେ ପୋଲିସ ବାବୁଙ୍କୁ ରଙ୍ଗ ଲଗାଇବା ସହ ନାଚ ଗୀତ ଆସର ଜମୁ ନଥାନ୍ତା । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧିନ ଅଂଚଳରେ ଏହି ମେଳଣ ଗଣ ପର୍ବରେ ପରିଣତ ହୋଇଛି । ଇଂରେଜ ଶାସନ ସମୟରେ ମୁନିସିଙ୍କ ଅତ୍ୟାଚାରରେ ଅତିଷ୍ଠ ହେଉଥିଲେ ଲୋକେ । ଲୋକଙ୍କ ଆକ୍ରୋସ ପାଇଁ ୧୭ ଅଗଷ୍ଟ ୧୯୪୨ରେ ଭଣ୍ଡାରିପୋଖରୀ ଥାନା ପୋଡି ହୋଇଥିଲା । 


ଆଉ ତା ପରେ ଭଣ୍ଡାରିପୋଖରୀ ଥାନାକୁ ଥାନା ବାବୁ ହୋଇ ଆସିଥିଲେ ବାବୁଲାଲ ମୁନିସି । ସେ ଚାହିଁଥିଲେ ଲୋକଙ୍କ ସହ ସୁସମ୍ପର୍କ ସ୍ଥାପନ କରିବା ପାଇଁ, ଆଉ ଏହି ଉଦ୍ଦେଶ୍ୟରେ ଆରମ୍ଭ ହେଲା ମୁନିସି ମେଳଣ । ଏହି ମେଳଣରେ ବିଭିନ୍ନ ଅଞ୍ଚଳରୁ ପ୍ରାୟ ୬୦ରୁ ଅଧିକ ମେଢ଼ ଶୋଭଯାତ୍ରାରେ ଆସିଥାନ୍ତି । ନାଚ ଗୀତ ସହ ଆସର ଜମିଥାଏ । ଥାନା ନିକଟରେ ମେଢ଼ ପହଞ୍ଚିବା ପରେ ଥାନାଧିକାରୀ ଗୁଆ ଓ ଅକ୍ଷତ ଦେଇ ଠାକୁରଙ୍କୁ ନିମନ୍ତ୍ରଣ କରିଥାନ୍ତି । ପରେ ଆରମ୍ଭ ହୁଏ ରଙ୍ଗର ଖେଳ । 

ସାଧାରଣ ଲୋକେ ଥାନାର ବଡ଼ବାବୁଙ୍କ ଠାରୁ ଆରମ୍ଭ କରି ପୋଲିସ କର୍ମଚାରୀଙ୍କ ସହ ରଙ୍ଗ ଖେଳନ୍ତି । ଆଉ ଶେଷ ହୁଏ ମୁନିସି ମେଳଣରେ । ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ମଧ୍ୟ ଯୋଗ ଦେଇଥାନ୍ତି । ଥାନା ପରିସରରେ ଦୁଇ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.