ଲଘୁଚାପ ପ୍ରଭାବରେ ଆହୁରି ବର୍ଷିବ, ବିଭିନ୍ନ ଜିଲ୍ଲାକୁ ପାଣିପାଗ ବିଭାଗର ଆଲର୍ଟ

Published By : Prameya-News7 Bureau | September 07, 2024 IST

ଭୁବନେଶ୍ୱର ୦୭।୦୯ : ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗର ଉପରେ ରହିଛି । ଆସନ୍ତା ସୋମବାର ଏହା ଅବପାତ ରୂପ ନେବ । ଲଘୁଚାପ ପ୍ରଭାବରେ ଶନିବାର ରାଜ୍ୟର କିଛି ସ୍ଥାନରେ ନିର୍ଧୁମ ବର୍ଷା ହେବ। ଗଞ୍ଜାମ, ଗଜପତି, ରାୟଗଡ଼ା, ପୁରୀ,  ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରର ବିଭିନ୍ନ ସ୍ଥାନରେ ପ୍ରବଳ  ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । 

ଶନିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼,  ଝାରସୁଗୁଡ଼ା, ଅନୁଗୁଳ, ଢେଙ୍କାନାଳ ଓ ସମ୍ବଲପୁରରେ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । ରବିବାର ସମ୍ବଲପୁର ଓ ଅନୁଗୋଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଅଛି । ଦୁଇ ଜିଲ୍ଲାର କିଛି ସ୍ଥାନରେ ୭୦ରୁ ୧୧୦ମିମି ଯାଏ ବର୍ଷା ହୋଇପାରେ । କେନ୍ଦ୍ରାପଡ଼ା,  ଜଗତସିଂହପୁର, ପୁରୀ,  ଖୋର୍ଦ୍ଧା, ନୟାଗଡ଼, କଟକ,  ସୋନପୁର, ବୌଦ୍ଧ,  ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, ଯାଜପୁର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଓ ଢେଙ୍କାନାଳରେ ପ୍ରବଳ ବର୍ଷା ହୋଇପାରେ । 

୯ ତାରିଖରେ ବି ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ଢାଳିବ । ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ୭୦ରୁ ୨୦୦ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ସୋନପୁର,  ବୌଦ୍ଧ, କନ୍ଧମାଳ ଓ କଳାହାଣ୍ଡିରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ୧୦ ତାରିଖରେ  ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବାଲେଶ୍ୱର, ଭଦ୍ରକ,  କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରରେ ୭୦ରୁ ୧୧୦ମିମି ଯାଏ ବର୍ଷିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । 

ଶୁକ୍ରବାର ପୁରୀ ଓ ମାଲକାନଗିରିରି ସର୍ବାଧିକ ୩୮ମିମି ବର୍ଷା ହୋଇଛି । ଦାରିଙ୍ଗିବାଡ଼ିରେ ୧୧ ଓ କଟକରେ ୧୦ମିମି ବର୍ଷା ରେକର୍ଡ ହୋଇଛି । ଗତ ୨୪ ଘଣ୍ଟାରେ ମାଲକାନଗିରି ଜିଲ୍ଲା ମାଥିଲିରେ ସର୍ବାଧିକ ୮୨ ମିମି, ରାୟଗଡ଼ାରେ ୭୭, ବରଗଡ଼ରେ ୭୬.୪ ଓ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡିରେ ୭୬ ମିମି ବର୍ଷା ହୋଇଛି ।

  • Weather
  • Weather Forecast
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.