କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଆଜି ବର୍ଷା ସାଙ୍ଗକୁ କୁଆ ପଥର ମାଡ଼। ୨୦ ମିନିଟ ଧରି ରଚିଲା ତାଣ୍ଡବ। ବର୍ଷା କୁଆ ପଥର ମାଡ଼ରେ ବେହାଲ ଚାଷୀ। ପରିବା ଶୂନ୍ୟ ହେଲା ସଦର ବ୍ଲକର ଶତାଧିକ ଗ୍ରାମ। ଆମ୍ବ ବଉଳ ଠାରୁ ପିଆଜ ଗଛ ପର୍ଯ୍ୟନ୍ତ କିଛି ରହିଲା ନାହିଁ। ଏପରିକି ବଜ୍ରାଘାତରେ ପାଞ୍ଚ ବଳଦଙ୍କ ମୃତ୍ୟୁ ଘଟିଛି। ଆଉ କ୍ଷେତରେ ବସି ଚାଷୀ କାନ୍ଦୁଛି।
କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କଣ୍ଡରାପଶି, ପଦ୍ମପୁର, ନୂଆଗାଁ,କାଉଁରୀକଳା, ପଳାଶପଙ୍ଗା, ଶଙ୍କିରୀ, ବାଉରୀପଦା, ଗୋବର୍ଦ୍ଧନ, ନେଲୁଙ୍ଗ, ଡିମ୍ବୋ ଆଦି ପଞ୍ଚାୟତର ଶତାଧିକ ଗ୍ରାମର ଚାଷୀ ସମ୍ପୂର୍ଣ ଶତ ପ୍ରତିଶତ କ୍ଷତିଗ୍ରସ୍ତ ହୋଇଛି। ଆଜି ଠିକ୍ ଦିନ ପ୍ରାୟ ୧୨ଟାରେ ଅଚାନକ ଘୁର୍ଣ୍ଣି ବଳୟ ବାଘ ପରି ମାଡ଼ିଆସିଲା। ୨୦ ମିନିଟ୍ ଧରି ରଚିଲା ତାଣ୍ଡବ ଲୀଳା। ପ୍ରବଳ ବେଗରେ ପବନ ସାଙ୍ଗକୁ କୁଆ ପଥର ମାଡ଼ରେ ଲୋକେ ଭୟଭୀତ ହୋଇପଡିଲେ। ଆଜବେଷ୍ଟ ଟାଇଲ, ଖପର ଉଡାଇ ନେବା ସଙ୍ଗେ ସଙ୍ଗେ ଉଜାଡ଼ିଦେଲ ପରିବା ଚାଷ ଶତାଧିକ ଗ୍ରାମ ଇବେ ପରିବା ଶୂନ୍ୟ ହୋଇପଡ଼ିଲା।
ଆଖିରେ ନଦେଖିଲେ ଚାଷୀର ଦୁଃଖ ବୁଝିହେବ ନାହିଁ । ଅନେକ ପରିବା ଚାଷୀ ଧାନ ଚାଷ ପରେ ବିଲରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଆଳୁ, ବାଇଗଣ, ଭେଣ୍ଡି, ବିଲାତି, ରୁମା, କାକୁଡ଼ି, ଫୁଲ କୁବି, ବନ୍ଧା କୋବି ବିମ୍, କଲରା, ନାଉ, ସୋରିଷ, ଗହମ ଆଦି କେତେ କଣ ଚାଷ କରିଥିଲେ। ମାତ୍ର ୨୦ରୁ ୨୫ ଦିନ ପରେ ଅମଳ ହୋଇ ବିକ୍ରି ହେବା କଥା। ଗତ କାଲି କ୍ଷେତରେ ଏସବୁ ପନି ପରିବା ସବୁଜ ଜିମାରେ ଲହଡ଼ି ମାରୁଥିବା ବେଳେ ଆଜି ସବୁ ଛିନଛତ୍ର ହୋଇ ମୁଁହ ମାଡ଼ି ଧ୍ଵସ୍ତ ବିଧ୍ଵସ୍ତ ହୋଇ ଯାଇଛି। ଚାଷୀ ହୁଡାରେ ବସି କାନ୍ଦୁଛି। କେମିତି ପରିବାର ଚଳିବ ଧାର କରଜ କେମିତି ସୁଝିବ।
ଅଦିନିଆ ବର୍ଷାରେ ଗଛରେ ଆମ୍ବ ବଉଳ ଠାରୁ ପିଆଜ ଗଛ ପର୍ଯ୍ୟନ୍ତ କିଛି ରହିଲା ନାହିଁ । ଏବେ ପ୍ରଭାବିତ ଚାଷୀ ମନରେ ଗୋଟିଏ ଚିନ୍ତା ଆଗକୁ ଖରା ଦିନ ଆସୁଛି କେମିତି କଣ ଘର ମାନଙ୍କରେ ପନି ପରିବା ମିଳିପାରିବ। ଶଙ୍କିରୀ ଗ୍ରାମର ନକୁଳ ମହାନ୍ତ ଦୁଇ ଲକ୍ଷ ଖର୍ଚ୍ଚ କରି ଚାରି ଏକର ଜମିରେ ଫସଲ ନଷ୍ଟ ହେବା ଯୋଗୁଁ ଦୁଃଖରେ ଭାଙ୍ଗି ପଡ଼ିବ ସହିତ ଚାଷ କ୍ଷେତରେ ହିଁ ପଡ଼ିଥିବା କୁଆ ପଥର ଉପରେ ସୁଇ ପଡ଼ି ଜୀବନ ହାରିବାକୁ ବସିଥିଲେ ଏହି ସମୟରେ ତାଙ୍କ ସ୍ତ୍ରୀ ଏବଂ ସାହିର ଅନ୍ୟ ଲୋକମାନେ ଆସି ନକୁଳକୁ କ୍ଷେତରୁ ଉଦ୍ଧାର କରି ବୁଝା କରିଛନ୍ତି ।
ସେହିପରି ତେରଣ୍ଟି ଗ୍ରାମର ମନ୍ମଥ ଦେଓ, ମୁନା ଦେଓ, ଶଙ୍କିରୀ ଗ୍ରାମର ଦିଲ୍ଲୀପ ମହାନ୍ତ , ସଦାନନ୍ଦ ମହାନ୍ତ ଆଦି ଶତାଧିକ ଚାଷୀ, ସେଣ୍ଡକାପ ଗ୍ରାମର ଲେମ୍ବୁ ମହାନ୍ତ, ବିଶ୍ଵନାଥ ମହାନ୍ତ, ଡାକ୍ତର ମହାନ୍ତ,ମାନସରଞ୍ଜନ ମହାନ୍ତ, ଜଡ଼ିପଦା ଗ୍ରାମର ଦଶରଥ ନାୟକ ଭଳି ବହୁ ବଡ଼ ବଡ଼ ଚାଷୀ ସମ୍ପୂର୍ଣ କ୍ଷତିଗ୍ରସ୍ତ ସରକାର କ୍ଷୟ କ୍ଷତିର ଆକଳନ କରି କ୍ଷତି ପୁରଣ ପ୍ରଦାନ ନିମନ୍ତେ ଦାବୀ କରିଛନ୍ତି।
କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କଣ୍ଡରା ପଶି ଗ୍ରାମର ୫ଗୋଟି ବଳଦର ଜିବନ ଯାଇଛି।ଖବରପାଇ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଆଜି ଘଟଣା ସ୍ଥଳକୁ ଯାଇ କ୍ଷତିଗ୍ରସ୍ତ ଫସଲ କ୍ଷେତ କୁ ପରିଦର୍ଶନ କରିବା ସହିତ ଚାଷୀ ମାନଙ୍କ ସହିତ ଆଲୋଚନା କରିଥିଲେ ।ଆଜି ସଂଧ୍ୟା ୬ ଘଟିକା ସମୟରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ କେନ୍ଦୁଝର ଜିଲ୍ଲାପାଳଙ୍କୁ ଭେଟି ଏ ବିଷୟରେ ଆଲୋଚନା କରିବା ସହିତ ତୁରନ୍ତ କୃଷି ବିଭାଗ ଓ ରାଜସ୍ବ ବିଭାଗ ର ମିଳିତ ସହଯୋଗରେ କ୍ଷୟ କ୍ଷତି ଆକଳନ କରିବାକୁ ଅନୁରୋଧ କରିଛନ୍ତି।