ଅଲିଗଡ଼ ୮।୩: ଅଲିଗଡ଼ ମୁସ୍ଲିମ ୟୁନିଭର୍ସିଟି(ଏଏମୟୁ)ରେ ପ୍ରଥମ ଥର ହିନ୍ଦୁ ଛାତ୍ର ଗୋଟିଏ ସ୍ଥାନରେ ରଙ୍ଗର ଉତ୍ସବ ହୋଲି ପାଳନ କରିପାରିବେ। ୟୁନିଭର୍ସିଟି ପ୍ରଶାସନ ନନ ରେସିଡେଣ୍ଟ ଷ୍ଟୁଡେଣ୍ଟ ସେଣ୍ଟର(ଏନଆରଏସସି) ହଲରେ ହୋଲି ଖେଳିବାକୁ ସ୍ୱୀକୃତି ଦେଇଛି। ଛାତ୍ର ଏଠାରେ ୧୩ ଓ ୧୪ ମାର୍ଚ୍ଚରେ ହୋଲି ଖେଳି ପାରିବେ। ଏହି ହଲ ବିଶ୍ୱବିଦ୍ୟାଳୟ ମୁଖ୍ୟ କ୍ୟାମ୍ପସରୁ ପାଖାପାଖି ୧ କିଲୋମିଟର ଦୂରରେ। ଏମିତିରେ ବି ଏଏମୟୁରେ ହୋଲି ଖେଳିବା ଉପରେ କେବେବି ରୋକ ନଥିଲା।
ଛାତ୍ରଛାତ୍ରୀ ହଷ୍ଟେଲ ଓ ସେମାନଙ୍କ ଡିପାର୍ଟମେଣ୍ଟରେ ହୋଲି ଖେଳିଥାନ୍ତି। ତେବେ ହିନ୍ଦୁ ଛାତ୍ରମାନେ ଚଳିତବର୍ଷ ଏନଆରଏସସି ହଲରେ ମାର୍ଚ୍ଚ ୯ ତାରିଖରେ ହୋଲି ମିଳନ ସମାରୋହ ନିମନ୍ତେ ବିଶ୍ୱବିଦ୍ୟାଳୟଙ୍କ ଅନୁମତି ମାଗିଥିଲେ। ନୂଆ ପରମ୍ପରା ଅନୁସାରେ ପ୍ରଶାସନ ଏଥି ପାଇଁ ଅନୁମତି ଦେଇ ନଥିଲେ। ତେବେ ବିଜେପି ସାଂସଦ ସତୀଶ ଗୌତମ ଓ ଅଖିଳ ଭାତୀୟ କରଣୀ ସେନା ସାମ୍ନାକୁ ଆସିବାରୁ ପରିସ୍ଥିତି ଉଷ୍ମ ହୋଇଥିଲା। ଏହା ପରେ ଏଏମୟୁ କର୍ତ୍ତୃପକ୍ଷ ଏବେ ଅନୁମତି ଦେଇଛନ୍ତି।
ଏଏମୟୁର ଆଇନ ବିଭାଗ ଛାତ୍ର ଅଖିଲ କୌଶଲ ଫେବୃଆରୀ ୨୫ ତାରିଖ ଦିନ ୟୁନିଭର୍ସିଟି ପ୍ରଶାସନକୁ ୯ ମାର୍ଚ୍ଚରେ ଏନଆରଏସସି ହଲରେ ହୋଲି ମିଲନ ସମାରୋହ ଆୟୋଜିତ କରିବା ଲାଗି ଅନୁମତି ମାଗିଥିଲେ। ତେବେ ମାର୍ଚ୍ଚ ୩ ତାରିଖରେ ଛାତ୍ରଙ୍କୁ କୁହାଯାଇଥିଲା ଯେ ଏହି ବିଶେଷ ଆୟୋଜନ ନିମନ୍ତେ ଅନୁମତି ଦିଆଯାଇ ପାରିବନି। ଏଥିରେ ଛାତ୍ରନେତାମାନେ କୂଳପତିଙ୍କ ଆବାସରେ ଇଦ ମିଳନ ପାଳନ ହେଉଥିବାର ଅଭିଯୋଗ କରିଥିଲେ। ଏହା ଛଡା ସବୁ ହଷ୍ଟେଲ ଓ ଡିପାର୍ଟମେଣ୍ଟରେ ଛାତ୍ର ଇଫତାର ପାର୍ଟି କରୁଥିବାର କହିଥିଲେ। ଏଥିରେ ହିନ୍ଦୁ ଛାତ୍ରଙ୍କୁ ଅନୁମତି ଦେବାରେ ଅସୁବିଧା କେଉଁଠି ବୋଲି ପ୍ରଶ୍ନ ଉଠାଇଥିଲେ।
ତେବେ ଏନଆରଏସସି ହଲକୁ ଏଥି ପାଇଁ ଉତ୍ସବ ନିମନ୍ତେ ଚୟନ କରାଯାଇଛି। ଏହା ଛଡା ଏହି ହଲଟି ବିଶ୍ୱବିଦ୍ୟାଳୟ ମୁଖ୍ୟ ପରିସରରୁ ୧ କିଲୋମିଟର ଦୂରରେ ରହିଛି। ଏଣୁ ଏଠାରେ ହିନ୍ଦୁ ଓ ମୁସମାନ ଛାତ୍ରଙ୍କ ମଧ୍ୟରେ ବିବାଦ ହେବାର ବି ସମ୍ଭାବନା ନାହିଁ। ଅନ୍ୟପକ୍ଷରେ ବିଶ୍ୱ ବିଦ୍ୟାଳୟ ପ୍ରଶାସନଙ୍କ ଅନୁମତିକୁ ଛାତ୍ର ନେତା ଅଖିଲ କୌଶଲ ସ୍ୱାଗତ କରିଛନ୍ତି। କହିଛନ୍ତି ଦୁଇ ସପ୍ତାହର ସଂଘର୍ଷ ପରେ ସମାରୋହ ଆୟୋଜନ ନିମନ୍ତେ ଅନୁମତି ମିଳିଯାଇଛି। ଏମିତିରେ ଛାତ୍ର ହୋଲି ନୁହେଁ ୯ ମାର୍ଚ୍ଚ କାର୍ଯ୍ୟକ୍ରମ ନିମନ୍ତେ ଅନୁମତି ଚାହୁଁଥିଲେ। ଏଣୁ ହୋଲି ଅନୁମତି ମିଳିଯାଇଥିବାରୁ ଛାତ୍ର ବେଶ୍ ଧୁମଧାମରେ ହୋଲି ଖେଳିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।