କୁଆଲାଲମ୍ପୁର ୨୪।୩: ମାଲେସିୟା ରାଜଧାନୀରେ ଥିବା ଏକ ୧୩୦ ବର୍ଷ ପ୍ରାଚୀନ ହିନ୍ଦୁ ମନ୍ଦିର ଲାଗି ଏବେ ସ୍ଥାନାନ୍ତର ଭୟ ଉପୁଜିଛି। କାରଣ କୁଆଲଲମ୍ପୁରର କେନ୍ଦ୍ର ସ୍ଥଳରେ ଥିବା ଏହି ଧାର୍ମିକ ଅନୁଷ୍ଠାନର ଭୂମିକୁ ସରକାର ବସ୍ତ୍ର ଉଦ୍ୟୋଗର ଦିଗ୍ଗଜ କମ୍ପାନୀ ‘ଜ୍ୟାକଲ’କୁ ବିକ୍ରି କରିଦେଇଛନ୍ତି, ଯିଏ ଏହି ମନ୍ଦିର ସ୍ଥାନରେ ଏକ ମସଜିଦ୍ ନିର୍ମାଣ କରି ମୁସଲମାନଙ୍କୁ ଉପହାର ଦେବାକୁ ଚାହୁଁଛି। ଏହି ମନ୍ଦିରର ଆରାଧ୍ୟ ଦେବୀ ଶ୍ରୀ ପଥରା କଲିଆମ୍ମାଙ୍କୁ ଲୋକେ ଏଠାରେ ପିଢୀ ପରେ ପିଢୀ ପୂଜାକରି ଆସୁଛନ୍ତି।
ଏହି ମନ୍ଦିରଟି ମୂଳରୁ ସରକାରୀ ଜମି ଉପରେ ନିର୍ମିତ ହୋଇଛି। ଯାହାକୁ ସରକାର ୨୦୧୪ ମସିହାରେ ଜ୍ୟାକଲକୁ ବିକ୍ରି କରିଦେଇଛନ୍ତି। ଏହି ଜମି କିଣିବାରେ କମ୍ପାନୀର ଉଦ୍ଦେଶ୍ୟ ସ୍ପଷ୍ଟ ଥିଲା ଯେ କମ୍ପାନୀର ସ୍ୱର୍ଗତ ସଂସ୍ଥାପକ ମହମ୍ମଦ ଜ୍ୟାକେଲ ଅହମଦ ଏହି ଜମିରେ ମସଜିଦ ନିର୍ମାଣ କରି ମୁସଲମାନ ସମୂଦାୟକୁ ଉପହାର ଦେବାକୁ ଚାହୁଁଥିଲେ। ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟ ରିପୋର୍ଟ ଅନୁସାରେ ହିନ୍ଦୁ ମନ୍ଦିରକୁ ମସଜିଦରେ ରୂପାନ୍ତରିତ କରିବା ପାଇଁ ପ୍ରସ୍ତାବକୁ ସାର୍ବଜନିକ ଭାବେ ବିରୋଧ କରାଯାଉଛି। ଦୀର୍ଘ ସମୟରୁ ଧାର୍ମିକ ଅସମାନତାକୁ ନେଇ ମାଲେସିୟାରେ ହେଉଥିବା ଅଭିଯୋଗକୁ ଏହା ଉଜାଗର କରୁଛି।
ଏଠାରେ ନୂଆ ମସଜିଦ ନିର୍ମାଣ ନିମନ୍ତେ ମାର୍ଚ୍ଚ ୨୭ ତାରିଖ ଗୁରୁବାର ଭୂମି ପୂଜନ ଅନୁଷ୍ଠିତ ହେବ। ଏହି କାର୍ଯ୍ୟାକ୍ରମକୁ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହୀମ ନିଜେ ସଞ୍ଚାଳନ କରିବେ। ଏଣୁ ମନ୍ଦିର ଭାଙ୍ଗିବା କାର୍ଯ୍ୟକ୍ରମକୁ ରୋକି ଦିଆଯାଇଛି। ରିପୋର୍ଟ ଅନୁସାରେ ଜ୍ୟାକଲ ଜମି କିଣିବା ପରଠାରୁ ପୂଜାସ୍ଥଳକୁ ସ୍ଥାନାନ୍ତର କରିବା ଲାଗି ମନ୍ଦିର କମିଟି ସହିତ ଆଲୋଚନା ଜାରି ରଖିଛି ଓ ଏଥିରେ ମନ୍ଦିର ସ୍ଥାନାନ୍ତର ପାଇଁ ହେବାକୁ ଥିବା ବ୍ୟୟ ମଧ୍ୟ କମ୍ପାନୀ ବହନ କରିବାକୁ ପ୍ରସ୍ତାବ ଦେଇଛି।
ଏହି ସାଇଟରେ କମ୍ପାନୀକୁ ୨୦୨୧ ମସିହାରେ ମସଜିଦ୍ ନିର୍ମାଣ ନିମନ୍ତେ ଅନୁମତି ମିଳିଥିଲା। ତେବେ ମନ୍ଦିର ସ୍ଥାନାନ୍ତ୍ରଣ ପ୍ରକ୍ରିୟା ବିଳମ୍ବ ହେଉଥିବାରୁ ମନ୍ଦିରର ସମ୍ମାନ ଦୃଷ୍ଚିରୁ ମସଜିଦ ନିର୍ମାଣ ମଧ୍ୟ ବିଳମ୍ବିତ ହୋଇଛି। ତେବେ ଲୟର୍ସ ଫର ଲିବର୍ଟିର କାର୍ଯ୍ୟକାରୀ ନିର୍ଦ୍ଦେଶକ ଜୟୈଦ ମାଲେକ ତରବରିଆ କାମକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ମନ୍ଦିର, ଜ୍ୟାକେଲ ଓ ସିଟି ହଲ ମଧ୍ୟରେ ଆଲୋଚନା ଏବେବି ଚାଲିଛି। ତେବେ ପ୍ରଧାନମନ୍ତ୍ରୀ ଅନୱର ଏହି କାର୍ଯ୍ୟା ନିମନ୍ତେ ଆବଶ୍ୟକ ଜମି ଓ ସମୟ ଦେବାକୁ କାହିଁକି ରାଜି ହେଉ ନାହାନ୍ତି ବୋଲି ମୟେଦ ମାଲେକ ପ୍ରଶ୍ନ କରିଛନ୍ତି।
ଏହି ମନ୍ଦିର ଓ ମସଜିଦ ପ୍ରସଙ୍ଗ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପ୍ରଧାନମନ୍ତ୍ରୀ ନିର୍ମାଣ ହେବାକୁ ଥିବା ଏହି ମସଜିଦକୁ ‘ମଲେସିୟା ମଦନୀ’ ରଖିଛନ୍ତି। ଏହା ତାଙ୍କ ପ୍ରଚାରର ସ୍ଲୋଗାନ ମଧ୍ୟ ଥିଲା। ଏଣୁ ମସଜିଦର ନାମ ମଦନୀ ରହିବ। ଯାହା ଦ୍ୱାରା ମସଜିଦକୁ ନେଇ ଉପୁଜିବାକୁ ଥିବା ଅନାବଶ୍ୟକ ବିବାଦରୁ ରକ୍ଷା ମିଳିବ। ପ୍ରଧାନମନ୍ତ୍ରୀ ଅନୱାର ଗତ ଶୁକ୍ରବାର କହିଥିଲେ ଯେ ମନ୍ଦିରକୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରଣ ପରେ ହିଁ ସେଠାରେ ମସଜିଦ ହେବ। ଅନ୍ୟଥା ମନ୍ଦିରକୁ ଭଙ୍ଗାଯିବ ନାହିଁ।