ଏ.ଆର.ରହମାନଙ୍କ ପୂର୍ବ ପତ୍ନୀଙ୍କୁ କେତେ ମିଳିବ ଭରଣପୋଷଣ? ଇସ୍ଲାମରେ ଏହା ରହିଛି ନିୟମ

Published By : Prameya-News7 Bureau | November 20, 2024 IST

ମୁମ୍ବାଇ ୨୦।୧୧: ସଙ୍ଗୀତକାର ଏ.ଆର.ରହମାନଙ୍କଠାରୁ ତାଙ୍କ ପତ୍ନୀ ସାୟରା ତଲାକ ନେଇଛନ୍ତି। ୨୯ ବର୍ଷ ଏକାଠି  ଚଳିବା ପରେ ସେମାନଙ୍କର ବିବାହ ବିଚ୍ଛେଦ ହୋଇଛି। ରହମାନ କେବଳ ଭାରତ ନୁହେଁ ସାରା ବିଶ୍ୱରେ ଜଣେ ଜଣାଶୁଣା ସଙ୍ଗୀତକାର। ରହମାନଙ୍କ ବୟସ ଏବେ ୫୭ ବର୍ଷ ଓ ତାଙ୍କର ବିବାହ ୧୯୯୫ ମସିହାରେ ହୋଇଥିଲା। ସାୟରାଙ୍କ ପକ୍ଷରୁ ଜାରି ଏକ ବୟାନରେ ଏହି ବିବାହ ବିଚ୍ଛେଦ ସାର୍ବଜନିକ ହୋଇଛି। 

ଏ.ଆର.ରହମାନ ଜଣେ ସଫଳ ସଙ୍ଗୀତାର ହୋଇଥିବା ବେଳେ ଜଣେ ଅତ୍ୟନ୍ତ ଧନୀ ବ୍ୟକ୍ତି ମଧ୍ୟ। ରିପୋର୍ଟ ଅନୁସାରେ ତାଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ଅଛି। ସେ ଜଣେ ସବୁଠୁ ଉଚ୍ଚ ଦେୟ ପାଉଥିବା ଗାୟକ। ଏକ ରିପୋର୍ଟ ଅନୁସାରେ ରହମାନ ଗୋଟିଏ ଗୀତ ପାଇଁ ୩ କୋଟି ଟଙ୍କା ନେଇଥାନ୍ତି। ଏହା ଅନ୍ୟ କୌଣସି ଭାରତୀୟ ଗାୟକଙ୍କ ତୁଳନାରେ ୧୫ରୁ ୨୦ ଗୁଣା ଅଧିକ। ହେଲେ ରହମାନ ଖୁବ୍ କମ୍ ଗୀତରେ ତାଙ୍କର ଶ୍ୱର ଦେଇଛନ୍ତି। 

ତେବେ ଏ.ଆର.ରହମାନ ଓ ସାୟରାଙ୍କ ବିବାହ ବିଚ୍ଛେଦ ହୋଇସାରିଥିବା ବେଳେ ଏବେ ସାୟରାଙ୍କୁ ଭରଣପୋଷଣ କେତେ ମିଳିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଇସ୍ଲାମ ବିବାହରେ ମେହେର ରାଶି ଧାର୍ଯ୍ୟ ହୁଏ। ଏହାକୁ ନେଇ ବିଧିବଦ୍ଧ କାଗଜପତ୍ର ହୁଏ ଓ ଏଥିରେ ଉଭୟପକ୍ଷ ଦସ୍ତଖତ କରନ୍ତି। ବିବାହ ଭାଙ୍ଗିଲେ କି ତଲାକ ହେଲେ ମହିଳାଙ୍କୁ ମେହେର ବାବଦ ଅର୍ଥ ମିଳିଯାଏ। ତେବେ ଗତ ଦିନରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ। ୧୦ ଜୁଲାଇ ୨୦୨୪ରେ କୋର୍ଟ ଦେଇଥିବା ରାୟରେ କୋର୍ଟ କହିଥିଲେ ଯେ ଜଣେ ମୁସଲମାନ ମହିଳା ତାଙ୍କ ସ୍ୱାମୀଙ୍କ ଠାରୁ ଭରଣପୋଷଣ ପାଇବାକୁ ହକଦାର। 

ସିଆରପିସି ୧୨୫କୁ ଆଧାର କରି ଶୀର୍ଷ ନ୍ୟାୟାଳୟ କହିଥିଲେ ଯେ ଜଣେ ମାଜିଷ୍ଟ୍ରେଟଙ୍କ ଏହି ଅଧିକାର ରହିଛି ଯେ ସେ ପତ୍ନୀ, ପିଲା ଓ ଏପରିକି ମାତାପିତାଙ୍କ ଲାଗି ଭରଣ ପୋଷଣ ଧାର୍ଯ୍ୟ କରିପାରିବେ। ସୁପ୍ରିମକୋର୍ଟଙ୍କ ଏହି ରାୟକୁ ନେଇ ପ୍ରଶ୍ନ ମଧ୍ୟ କରାଯାଇଥିଲା। ସମାଲୋଚକମାନେ ଏହି ରାୟକୁ ମୁସ୍ଲିମ ପର୍ସନାଲ ଲରେ ହସ୍ତକ୍ଷେପ ବୋଲି କହିଥିଲେ। ତେବେ ଯାହା ହେଉ କୋର୍ଟଙ୍କ ଏହି ରାୟକୁ ଆଧାର କଲେ ସାୟରା ରହମାନଙ୍କଠାରୁ ଭରଣପୋଷଣ ପାଇବାକୁ ହକଦାର। 

ଏବେ ପ୍ରଶ୍ନ ହେଉଛି ତାଙ୍କୁ କେତେ ଭରଣପୋଷଣ ମିଳିବ, ତାହା ମାଜିଷ୍ଟ୍ରେଟ୍ ଧାର୍ଯ୍ୟ କରିବେ। ଜଣେ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍ ସ୍ୱାମୀଙ୍କ ଆର୍ଥିକ ସ୍ଥିତିକୁ ଦେଖି ଭରଣପୋଷଣ ଧାର୍ଯ୍ୟ କରିଥାନ୍ତି। ଏ.ଆର. ରହମାନଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି। ଏଥିରୁ ସାୟେରାଙ୍କୁ ଭରଣପୋଷଣରେ ଉପଯୁକ୍ତ ନ୍ୟାୟ ମିଳିପାରିବ ବୋଲି ଆଶା କରାଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.