ପାହାଡ଼ରେ ମାଓ କ୍ୟାମ୍ପ୍ ଠାବ, ମିଳିଲା ବିପୁଳ ପରିମାଣର ମାଓ ସାମଗ୍ରୀ

Published By : Prameya-News7 Bureau | May 16, 2025 IST

ବଲାଙ୍ଗିର : ବଲାଙ୍ଗିରରେ ମାଓ କ୍ୟାମ୍ପ୍ ଠାବ ହୋଇଛି । ବିପୁଳ ମାଓ ସାମଗ୍ରୀ ସହ ଜୀବନ୍ତ ଟିଫିନ ବୋମା ଜବତ ହୋଇଛି । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଗନ୍ଧମାର୍ଦ୍ଦନ ପାହାଡ଼ ନିକଟ ଖୁରିପାଣି ଓ ତୁରେକେଲା ବ୍ଲକ ଛତ୍ରଦାଣ୍ଡି ଜଙ୍ଗଲରେ ଏହି ମାଓ କ୍ୟାମ୍ପ ଠାବ ହୋଇଛି । ତେବେ କ୍ୟାମ୍ପରେ ୫ରୁ ଅଧିକ ମାଓବାଦୀ ରହିଥିବା ବେଳେ ପୋଲିସ ଆସୁଥିବା ଖବର ପାଇ ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ । ତେବେ ମାଓ କ୍ୟାମ୍ପରୁ ଜୀବନ୍ତ ଟିଫିନ ବୋମା, ବୋମା ତିଆରି ପାଇଁ ବଡ଼ ଟିଫିନ, ଡିଟୋନେଟର ସହ ବୋମା ତିଆରି ସାମଗ୍ରୀ ଜବତ ହୋଇଛି । କିଛି ପୋଷାକ, ଔଷଧ, ମାଓବାଦୀ ବ୍ୟବହାର କରୁଥିବା ମେଡ଼ିସିନ, ରେଡ଼ିଓ, ଗୁଳି, ସହ ବହୁ ସାମଗ୍ରୀ ଜବତ କରାଯାଇଛି । 

ତେବେ ଗୁରୁବାର ପୋଲିସ ଇଣ୍ଟିଲିଜେନ୍ସରୁ ଖବର ପାଇ ଡିଭିଏଫ ଯବାନ ମାନେ ସର୍ଚ୍ଚ ଅପରେସନ କରିଥିଲେ । ଦୁଇଟି ସ୍ଥାନରୁ ଏଭଳି ମାଓ ସାମଗ୍ରୀ ମିଳିଛି । ଏବେ ନିଜ ସଂଗଠନକୁ କିଭଳି ସୁଦୃଢ଼ କରିବେ ସେନେଇ ସେମାନେ ଯୋଜନା କରୁଥିବା ସହ ଛତିଶଗଡ଼ରେ ଯେପରି ମାଓବାଦୀଙ୍କୁ ଦମନ କରାଯାଉଛି ତାକୁ ନେଇ କେମିତି ସମାଜରେ ନିଜ ସ୍ଥିତି ଓ ପତିଆରା ଜାହିର କରିପାରିବେ ସେନେଇ ଏଭଳି କ୍ୟାମ୍ପ କରିଥିବା ସନ୍ଦେହ କରିଛି ପୋଲିସ । ଏହାସହ କିଛି ମିଲିସିଆଙ୍କ ସମ୍ପୃକ୍ତି ଥିବା ନେଇ ମଧ୍ୟ ଛାନଭିନ କରିଛି ପୋଲିସ । ସେପଟେ ଘଟଣାରେ ଏବେ ବି କମ୍ବିଂ ଅପରେସନ ଜାରି ରହିବା ସହ ସମଗ୍ର ଅଞ୍ଚଳରେ ଡିଭିଏଫ, ଏସଓଜି ଯବାନ ସହ ଇଣ୍ଟିଲିଜେନ୍ସ କଡା ନଜର ରଖିଥିବା ପୋଲିସ ସୂଚନା ଦେଇଛି । 

ସାରା ଦେଶରୁ ମାଓ ଗତିବିଧିକୁ ଶେଷ କରିବାକୁ ସରକାର କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିଥିବା ବେଳେ ଛତିଶଗଡ଼ ସମେତ ବିଭିନ୍ନ ରାଜ୍ୟରେ ମାଓଗଡ଼ ଧ୍ବଂସ ପାଇବାରେ ଲାଗିଛି । ଏଭଳି ସ୍ଥିତିରେ ଲୋକଙ୍କ ମନ ଜିତିବାକୁ ନୂଆ ପ୍ରୟାସ ଆରମ୍ଭ କରି ଗନ୍ଧମାର୍ଦ୍ଦନ ପାର୍ବତ୍ୟ ଅଞ୍ଚଳରେ ମାଓବାଦୀ ସକ୍ରିୟ ହେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ହିନ୍ଦୀ ଭାଷାରେ ଲେଖାଥିବା ଲିଫଲେଟରେ ଲୋୟର ସୁକତେଲ ପ୍ରକଳ୍ପ ବିରୋଧରେ ସଂଘର୍ଷ କରୁଥିବା ଲୋକଙ୍କୁ ଆହ୍ୱାନ ଦେଇଛନ୍ତି । ଆମେ ତମ ସହ ଅଛୁ ତମେ ସଂଘର୍ଷକୁ ଜୋରଦାର କର । ଏବେ ସାମ୍ନାକୁ ଆସିଛି ମାଓ କ୍ୟାମ୍ପରେ ସାମଗ୍ରୀ ଠାବ ହେବା ପରେ ଏଭଳି କିଛି ଚିଠି । 

ବଲାଙ୍ଗିର ଏସ୍‌ପି ଅବିଲାସ ଜି ସମ୍ବାଦିକ ସମ୍ମିଳନୀରେ ସମସ୍ତ ମାଓ ସାମଗ୍ରୀ ରଖି ସୂଚନା ଦେଉଥିବା ବେଳେ ସେଠାରେ ରହିଥିଲା ଏହି ଚିଠି । ଏହି ଚିଠିରେ ଲୋୟର ସୁକତେଲ ପ୍ରକଳ୍ପକୁ ବିରୋଧ କରୁଥିବା ଓ ଆନ୍ଦୋଳନ କରୁଥିବା ଲୋକଙ୍କୁ ସମର୍ଥନ ଜଣାଇଥିବା ସହ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି । ଏହି ଚିଠିରେ କିଭଳି ଭାବରେ ଲୋକଙ୍କୁ ସରକାର ଓ ପ୍ରଶାସନ ଭୁଆଁ ବୁଲାଉଛି ତାହା ଲେଖାଯାଇଛି । ଏହାସହ ଆଜି ଦିନରେ ବଡ଼ ଡ୍ୟାମ୍ ଆବଶ୍ୟକତା ନଥିବା ବେଳେ କେବଳ ବଡ଼ ଶିଳ୍ପପତିଙ୍କୁ ଫାଇଦା ଦେବା ପାଇଁ ବଡ଼ ଡ୍ୟାମ୍ ନିର୍ମାଣ ସରକାର କରୁଥିବା କହି ସାଧାରଣ ଲୋକଙ୍କ ପାଇଁ ନୁହେଁ ବୋଲି ଲେଖିଛନ୍ତି । ଆଉ ମଧ୍ୟ ଚିଠିରେ ଲେଖିଛନ୍ତି ଏଭଳି ଡ୍ୟାମ୍‌କୁ ବିରୋଧ କରନ୍ତୁ ଆମେ ତମ ସହ ଅଛୁ । ଏଭଳି କଥା ଲେଖା ଚିଠି ଏବେ ସମ୍ନାକୁ ଆସିବା ପରେ ଗୁଡ଼ାଏ ପ୍ରଶ୍ନ ଉଠୁଛି ।

You Can Read:

ବରିଷ୍ଠ ନାଗରିକଙ୍କ ATM କାର୍ଡ ବଦଳାଇ ସପିଂ ମାଧ୍ୟମରେ ଲୁଟୁଥିଲେ, ଧରାପଡିଲେ ଦୁଇ ଲୁଟେରା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.