ଭୁବନେଶ୍ୱର: କେନ୍ଦ୍ର ଉପ (ଡେପୁଟି) ନିର୍ବାଚନ କମିଶନର ଭାବେ କାର୍ଯ୍ୟରତ ମନୋଜ କୁମାର ସାହୁ ଇଣ୍ଟର କ୍ୟାଡର୍ ଡେପୁଟେସନ୍ରେ ଓଡ଼ିଶା ଆସିବେ । ଏଥିପାଇଁ କେନ୍ଦ୍ର କ୍ୟାବିନେଟ୍ ନିଯୁକ୍ତି କମିଟିର କାର୍ମିକ ବିଭାଗ ପକ୍ଷରୁ ଅନୁମତି ମିଳିଛି । ଏ ନେଇ ଶନିବାର ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୦୬ ବ୍ୟାଚ୍ର ଆଇଏଏସ୍ ମନୋଜ କୁମାର ସାହୁ ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ ଏବଂ କେନ୍ଦ୍ରଶାସିତ ଅଞ୍ଚଳର କ୍ୟାଡର୍ ଅଧିକାରୀ।
ମନୋଜ ସାହୁ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକର ସିଙ୍ଗାରପୁର ଗ୍ରାମର ବାସିନ୍ଦା। ସେ ବିଭିନ୍ନ ସମ୍ବେଦନଶୀଳ ଜିଲ୍ଲାରେ ଜିଲ୍ଲାପାଳ, କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟରେ ହର ଘର୍ ଜଲ୍ରେ କାମ କରି ଖୁବ୍ ପ୍ରଶଂସିତ ହୋଇଛନ୍ତି । ସୂଚନାଥାଉକି, ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରଠାରୁ ଏହି ଆଇଏଏସ ଓଡ଼ିଶା ଆସିବା ନେଇ ଚର୍ଚ୍ଚା ହେଉଥିଲା । ଏବେ ଜରୁରୀ ଭାବେ ତାଙ୍କୁ ଡେପୁଟେସନରେ ଅଣାଯାଉଥିବାରୁ ଗୁରୁତ୍ୱପୂର୍ଣ୍ଣ ପଦବୀ ଦିଆଯିବାନେଇ ମଧ୍ୟ ଜଣାପଡ଼ିଛି।