ଭଦ୍ରକ: ଜିଲ୍ଲା ଶ୍ରମ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ଭଦ୍ରକ ଜିଲ୍ଲା ଶ୍ରମିକ ସଙ୍ଘ ସମନ୍ୱୟ ସମିତିର ଗଣ ବିକ୍ଷୋଭ ଓ ପ୍ରତିବାଦ ସହ ଶ୍ରମ ଅଧିକାରୀଙ୍କ ବଦଳି ଦାବି କରିଛି ସଂଘ। ସୋମବାର ଜିଲ୍ଲାର ବିଭିନ୍ନ ବ୍ଲକର ହିତାଧିକାରୀ ଓ ବିଭିନ୍ନ ଶ୍ରମିକ ସଂଗଠନର କର୍ମକର୍ତ୍ତାମାନେ ବିଶାଳ ଶୋଭାଯାତ୍ରା ପରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣାରେ ବସିଛନ୍ତି ।
ଜିଲ୍ଲା ଶ୍ରମ ଅଧିକାରୀଙ୍କ ମନମୁଖୀ ନୀତି ଯୋଗୁ ନୂଆ ଲେବର କାର୍ଡ ହେଉ ନାହିଁ କି ପୁରୁଣା କାର୍ଡର ରିନୁଆଲ ହେଉନାହିଁ ବୋଲି ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ହଜାର ହଜାର ସଂଖ୍ୟାରେ ଶିକ୍ଷା, ବିବାହ, ମୃତ୍ୟୁ ସହାୟତା ଆଦି ପାଇଁ ଆବେଦନ ପତ୍ର ମାସ ମାସ ହେଲା ପଡ଼ି ରହିଥିଲେ ମଧ୍ୟ ତାହାକୁ ମଞ୍ଜୁର କରୁନାହାଁନ୍ତି । ଫଳରେ ଇତି ମଧ୍ୟରେ ଅନେକ ଶ୍ରମିକ ମୃତ୍ୟୁ ବରଣ କରିଗଲେଣି । ସେମାନଙ୍କ ପରିବାର ଲୋକମାନେ ଆର୍ଥିକ ଅନଟନରେ ଗତି କରୁଥିବା ଅଭିଯୋଗ ହୋଇଛି।
ତେବେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଏଭଳି କାର୍ଯ୍ୟ ବିଷୟରେ ବିଭାଗୀୟ ମନ୍ତ୍ରୀ ଓ ସଚିବ ଓ କମିଶନରଙ୍କୁ ସଙ୍ଘ ପକ୍ଷରୁ ଜଣାଯାଉଥିଲେବି ସେମାନେ କିଛି ବୁଝୁ ନଥିବା ନେଇ ସଙ୍ଘ କର୍ମକର୍ତ୍ତାମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏହା ସହ ଜିଲ୍ଲା ଶ୍ରମ ଅଧିକାରୀଙ୍କ ବଦଳି ଦାବିରେ ଜିଲ୍ଲା ଶ୍ରମ କାର୍ଯ୍ୟଳୟ ସମୁଖରେ ବିକ୍ଷୋଭ ଗଣ ଧାରଣା ଓ ପ୍ରତିବାଦ ସଭା କରିଛନ୍ତି।