ମୁମ୍ବାଇ ୧୩।୦୩ : ଆଇସିସି ପକ୍ଷରୁ ପ୍ରକାଶ ପାଇଛି ଟେଷ୍ଟ ରାଙ୍କିଂ। ଆଉ ଏଥିର ଭାରତୀୟ କ୍ରିକେଟ୍ରଙ୍କ ଦବ୍ଦବା ଦେଖିବାକୁ ମିଳିଛି । ଖାସ୍ କରି ବ୍ୟାଟିଂ ଆଉ ବୋଲିଂ ବିଭାଗରେ ଦେଖିବାକୁ ମିଳିଛି ଭାରତୀୟଙ୍କ ପ୍ରାଧାନ୍ୟ । ବୋଲିଂରେ ରବିଚନ୍ଦ୍ରନ ଅଶ୍ୱିନ ଟପ୍ରେ ରହିଥିବା ବ୍ୟାଟିଂରେ ରୋହିତ ଏବଂ ଜୈସ୍ୱାଲଙ୍କ ମିଳିଛି ଫାଇଦା । ଉଭୟ ନିଜ ନିଜ ରାଙ୍କିଂ ଠାରୁ ଢେର୍ ଉପରକୁ ଉଠିଛନ୍ତି ।
ତେବେ ଆଇସିସି ପକ୍ଷରୁ ସଦ୍ୟ ପ୍ରକାଶିତ ରାଙ୍କିଂ ଅନୁସାରେ, ଭାରତୀୟ କ୍ରିକେଟ୍ ରବିଚନ୍ଦ୍ରନ ଅଶ୍ୱିନ ୮୭୦ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛନ୍ତି । ଗତ ଇଂଲଣ୍ଡ ସିରିଜ୍ରେ ନିଜର ଦମ୍ଦାର ପ୍ରଦର୍ଶନ ଲାଗି ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି ଅଶ୍ୱିନ । ତାଙ୍କ ପଛକୁ ରହିଛନ୍ତି ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଜୋଷ୍ ହେଜେଲ୍ହୁଡ୍ । ସେ ୮୪୭ ପଏଣ୍ଟ ସହ ୨ୟ ସ୍ଥାନରେ ରହିଛନ୍ତି । ତେବେ ରାଙ୍କିଂରେ ବୁମ୍ରାହଙ୍କୁ ହୋଇଛି କ୍ଷତି । ଜଶପ୍ରୀତ୍ ବୁମ୍ରାହ ଗୋଟିଏ ସ୍ଥାନ ତଳକୁ ଖସି ୩ୟ ସ୍ଥାନରେ ରହିଛନ୍ତି । ମୋଟ ୮୪୭ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି । ତାଙ୍କ ପଛକୁ ରହିଛନ୍ତି ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ । ସେହିପରି ପଞ୍ଚମ ସ୍ଥାନରେ ଅଷ୍ଟ୍ରେଲିଆ ନାଥନ ଲାୟନ ରହିଥିବା ବେଳେ ୬ଷ୍ଠ ସ୍ଥାନରେ ଭାରତର ରବିନ୍ଦ୍ର ଜାଡେଜା ରହିଛନ୍ତି । ଟପ୍ ଟେନ୍ରେ ତିନି ଜଣ ଭାରତୀୟ ସ୍ଥାନ ପାଇଛନ୍ତି ।
ସେହିପରି ଟେଷ୍ଟ ବ୍ୟାଟିଂ ରାଙ୍କିଂରେ ସ୍ଥାନ ପାଇଛନ୍ତି ତିନି ଜଣ ଭାରତୀୟ । ଟପ୍-୧ରେ ନ୍ୟୁଜିଲାଣ୍ଡର କେନ୍ ଓ୍ୱିଲିୟନସନ ରହିଥିବା ବେଳେ ଟପ୍-୨ରେ ଇଂଲଣ୍ଡର ଜୋ ରୁଟ୍ ରହିଛନ୍ତି । ବ୍ୟାଟିଂ ରାଙ୍କିଂରେ ରୋହିତ ଶର୍ମା ୬ଷ୍ଠ ସ୍ଥାନରେ ରହିଛନ୍ତି । ପୂର୍ବ ରାଙ୍କିଂରୁ ୫ଟି ସ୍ଥାନ ଉପରକୁ ଉଠି ୬ଷ୍ଠ ସ୍ଥାନରେ ରହିଛନ୍ତି । ସେହିପରି ଯୁବ ଯଶ୍ୱସୀ ଜୈସ୍ୱାଲ୍ ୨ଟି ସ୍ଥାନ ଉପରକୁ ଉଠି ୮ମ ସ୍ଥାନରେ ରହିଛନ୍ତି । ଆଉ ବିରାଟ କୋହଲି ଗୋଟିଏ ସ୍ଥାନ ତଳକୁ ଖସି ୯ମ ସ୍ଥାନରେ ରହିଛନ୍ତି ।
ସୂଚନାଯୋଗ୍ୟ ଯେ, ଆଇସିସି ଟେଷ୍ଟ ରାଙ୍କିଂରେ ଟପ୍ରେ ରହିଛି ଭାରତୀୟ ଟିମ୍ । ମୋଟ ୩୮ଟି ମ୍ୟାଚ୍ ଖେଳି ୧୨୨ ରେଟିଂ ସହି ପ୍ରଥମ ସ୍ଥାନରେ ରହିଛି । ଭାରତୀୟ ଟିମ୍ ପଛକୁ ରହିଛି ଅଷ୍ଟ୍ରେଲିଆ ଟିମ୍ । ମୋଟ ୪୦ଟି ମ୍ୟାଚ୍ ଖେଳି ୧୨୦ ପଏଣ୍ଟ ସହ ୨ୟ ସ୍ଥାନରେ ରହିଛି । ବାକି ଇଂଲଣ୍ଡ ୪୯ଟି ମ୍ୟାଚ୍ ଖେଳି ୧୧୧ ପଏଣ୍ଟ ସହ ତୃତୀୟ ସ୍ଥାନ, ସାଉଥ ଆଫ୍ରିକା ୨୭ଟି ମ୍ୟାଚ୍ ଖେଳି ୯୯ ପଏଣ୍ଟ ସହ ଚତୁର୍ଥ ସ୍ଥାନ, ନ୍ୟୁଜିଲାଣ୍ଡ ୩୨ଟି ମ୍ୟାଚ୍ ଖେଲି ୯୮ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛି ।