ନୂଆଦିଲ୍ଲୀ ୩୧।୦୧: କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଲାଇଫ୍ଟାଇମ୍ ଆଚିଭ୍ମେଣ୍ଟ ଆୱାର୍ଡରେ ସମ୍ମାନିତ ହେବେ । ବିସିସିଆଇ ନିଜର ବାର୍ଷିକ ସମାରୋହରେ ସଚିନଙ୍କୁ ସମ୍ମାନିତ କରିବ । ଭାରତର ପୂର୍ବତନ ମହାନ ବ୍ୟାଟର ସଚିନ ତେନ୍ଦୁଲକରଙ୍କ ନାଁରେ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ୍ କରିଛନ୍ତି ।
ସଚିନ ଏକମାତ୍ର ଖେଳାଳି ଯିଏକି ଶତକର ଶତକ ମାରିଛନ୍ତି । ଟେଷ୍ଟ କ୍ରିକେଟ ବ୍ୟତୀତ ସଚିନ ODI ଫର୍ମାଟରେ ମଧ୍ୟ ଅନେକ ରେକର୍ଡ କରିଛନ୍ତି । ସେ ଦିନିକିଆ ମ୍ୟାଚ୍ରେ ୪୪.୮୩ ଆଭରେଜ୍ରେ ୪୯ ଶତକ ଏବଂ ୯୬ ଅର୍ଦ୍ଧଶତକ ସହିତ ୧୮,୪୨୬ ରନ୍ ଏବଂ ଟେଷ୍ଟରେ ୫୩.୭୮ ଆଭରେଜରେ ୫୧ ଶତକ ଏବଂ ୬୮ ଅର୍ଦ୍ଧଶତକ ସହିତ ୧୫,୯୨୧ ରନ୍ କରିଛନ୍ତି । ସେ ତାଙ୍କ ଚମତ୍କାର କ୍ୟାରିୟରରେ କେବଳ ଗୋଟିଏ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି ।
୫୧ ବର୍ଷୀୟ ସଚିନ ଭାରତ ପାଇଁ ୬୬୪ ଅନ୍ତରାଷ୍ଟ୍ରୀୟ ମ୍ୟାଚରେ ୪୮.୫୨ ଆଭରେଜ୍ରେ କରିଛନ୍ତି ୩୪ ହଜାର ୩୫୭ ରନ୍ । ଏଥିରେ ୧୦୦ଟି ଶତକ ଏବଂ ୧୬୪ଟି ଅର୍ଦ୍ଧଶତକ ସାମିଲ୍ । ବୋର୍ଡର ଏକ ସୂତ୍ରରୁ ଜଣାପଡିଛି କି ସଚିନଙ୍କୁ ୨୦୨୪ ବର୍ଷ ପାଇଁ ସିକେ ନାଇଡୁ 'ଲାଇଫଟାଇମ୍ ଆଚିଭମେଣ୍ଟ' ପୁରସ୍କାର ପ୍ରଦାନ କରାଯିବ।' ଏହାପୂର୍ବରୁ ପୂର୍ବତନ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଏବଂ ପୂର୍ବତନ କିମ୍ବଦନ୍ତୀ ୱିକେଟକିପର ଫାରୁକ ଇଞ୍ଜିନିୟରଙ୍କୁ ମିଳିସାରିଛି ଏହି ପୁରସ୍କାର ।
ସଚିନ ତେନ୍ଦୁଲକର ୧୯୮୯ ମସିହାରେ ୧୬ ବର୍ଷ ବୟସରେ ପାକିସ୍ତାନ ବିପକ୍ଷରେ ତାଙ୍କର ଟେଷ୍ଟ ଡେବ୍ୟୁ କରିଥିଲେ । ସେ ଦୁଇ ଦଶନ୍ଧି ଧରି ଟିମ୍ ସହ ଯୋଡି ହୋଇ ରହିଥିଲେ । ସେ ୨୦୧୧ ମସିହାରେ ଭାରତର ବିଶ୍ୱ ଚାମ୍ପିଅନ ଟିମ୍ର ମଧ୍ୟ ଅଂଶ ଥିଲେ। ଏହା ତାଙ୍କର ଷଷ୍ଠ ଏବଂ ଶେଷ ODI ବିଶ୍ୱକପ୍ ଥିଲା।