IND vs ENG: ପାଣ୍ଡ୍ୟା ଓ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ଇଂଲଣ୍ଡକୁ ୧୮୨ ରନ ଟାର୍ଗେଟ୍ ଦେଲା ଭାରତ

Published By : Prameya-News7 Bureau | January 31, 2025 IST

ପୁଣେ: ପୁଣେରେ ଖେଳା ଯାଉଥିବା ଚତୁର୍ଥ ଟି-୨୦ ମ୍ୟାଚ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଶିବମ ଦୁବେଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଭାରତ ୯ ଓ୍ଵିକେଟ୍ ହରାଇ ୧୮୧ ରନ କରିଛି। ସିରିଜ୍ ବରାବର ପାଇଁ ଇଂଲଣ୍ଡ ସମ୍ମୁଖରେ ୧୮୨ ରନର ବିଜୟ ଲକ୍ଷ୍ୟ ରହିଛି।ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୫୩ ରନ, ଶିବମ ଦୁବେ ୫୩ ରନ ଓ ରିଙ୍କୁ ସିଂ ୩୦ ରନ କରିଥିଲେ। ବୋଲିଂରେ ଇଂଲଣ୍ଡ ପକ୍ଷରୁ ଶାକିବ ମେହମୁଦ ୩୫ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ସିରିଜ୍‌ରେ ଭାରତ ୨-୧ରେ ଆଗୁଆ ରହିଛି। 

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଦଳ ୧୨ ରନ ଭିତରେ ୩ଟି ଓ୍ଵିକେଟ୍ ହରାଇଥଲା। ଦ୍ଵିତୀୟ ଓଭରରେ ସାକିବ ମେହମୁଦଙ୍କ ବଲ୍‌ରେ ସଞ୍ଜୁ ସାମସନ(୧), ତିଳକ ବର୍ମା(୦) ଓ ସୂର୍ଯ୍ୟକୁମାର ଯାଦବ(୦) ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ଏହିପରି ସଞ୍ଜୁ ଓ ସୂର୍ଯ୍ୟ ପୁଣି ଥରେ ଦଳକୁ ନିରାଶ କରିଛନ୍ତି। ଏହା ପରେ ଅଭିଷେକ ଶର୍ମା ଓ ରିଙ୍କୁ ସିଂ ଧୈର୍ଯ୍ୟର ସହ ବ୍ୟାଟିଂ କରି ଚତୁର୍ଥ ଓ୍ଵିକେଟ୍‌ରେ ୪୫ ରନ ଯୋଡ଼ିଥିଲେ। ଭଲ ବ୍ୟାଟିଂ କରୁଥିବା ଅଭିଷେକ ଶର୍ମା ୧୯ ବଲ୍‌ରୁ ୪ ଚୌକା ଓ ୧ ଛକା ସହ ୨୯ ରନ କରି ଆଉଟ୍ ହୋଇଥିଲେ। ରିଙ୍କୁ ସିଂ ୩୦ ରନର ଉଲ୍ଲେଖନୀୟ ଇନିଂସ ଖେଳିଥିଲେ। 

୭୯ ରନରେ ୫ ଓ୍ଵିକେଟ୍‌ ହରାଇବା ପରେ ଭାରତର ଇନିଂସକୁ ଶିବମ ଦୁବେ ଓ ହାର୍ଦ୍ଦିକ ପାଣ୍ଡ୍ୟା ସମ୍ଭାଳିଥିଲେ। ଦୁଇ ବ୍ୟାଟର ପ୍ରଥମେ ସତର୍କତାର ସହ ବ୍ୟାଟିଂ କରିଥିଲେ। କ୍ରିଜରେ ଜମିବା ପରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟର ୪୮ ବଲରେ ୮୭ ରନର ଭାଗିଦାରୀ କରିବାରୁ ଭାରତ ୯ ଓ୍ଵିକେଟ୍ ହରାଇ ୧୮୧ ରନ କରି ପାରିଛି। ହାର୍ଦ୍ଦିକ ପାଣ୍ଡ୍ୟା ୩୦ ବଲ୍‌ରୁ ୪ ଚୌକା ଓ ୪ ଛକା ସହ ୫୩ ରନ କରିଥିବା ବେଳେ ଶିବମ ଦୁବେ ୩୪ ବଲରୁ ୭ ଚୌକା ଓ ୨ ଛକା ସହ ୫୩ ରନ କରିଥିଲେ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.