ନୂଆଦିଲ୍ଲୀ: ଯୁଦ୍ଧରେ ଯବନିକା, ଯନ୍ତ୍ରଣାରେ ନୁହେଁ । ଧ୍ବଂସସ୍ତୂପ ତଳୁ କୁହୁଳୁଛି ଯନ୍ତ୍ରଣାର ଧୂଆଁ । ସ୍ବପ୍ନ ମାଟି ତଳେ ମୁହଁ ମାଡ଼ିପଡ଼ିଛି । ସହର ବାରୁଦ ଗଦା ପାଲିଟିଛି । ବିଲ୍ଡିଂର ଧ୍ବଂସ ଚିତ୍ର, ବଖାଣୁଛି ଯୁଦ୍ଧ ବିଭୀଷିକା । ଗାଜାର ଧ୍ବଂସାବଶେଷ ତଳୁ ଗୁଞ୍ଜିରିତ ହେଉଛି ଆର୍ତଚିତ୍କାର । ହମାସ ଏବଂ ଇସ୍ରାଏଲ ମଧ୍ୟରେ ୧୫ ମାସ ଧରି ଲାଗି ରହିଥିବା ଯୁଦ୍ଧରେ ବିରାମ ଲାଗିଛି । ଚୁକ୍ତି ଅନୁଯାୟୀ ପର୍ଯ୍ୟାୟ କ୍ରମେ ପଣବନ୍ଦୀଙ୍କୁ ଫେରାଇଛି ଆତଙ୍କୀ ସଂଗଠନ । ହେଲେ ଏହାର ପ୍ରତିବଦଳରେ ପାଲେଷ୍ଟାୟୀନବାସୀଙ୍କୁ ମିଳିଛି ପୁଳା ପୁଳା ଦୁଃଖ, ଯନ୍ତ୍ରଣା ଆଉ କୁଢ଼ କୁଢ଼ ଧ୍ବଂସାବଶେଷ । ଭିଟାମାଟିକୁ ଫେରି ଘର ଖୋଜୁଛନ୍ତି ବାସହରା ଯୁଦ୍ଧ ପୀଡ଼ିତ । କୁଆଡ଼େ ଗଲା, କେଉଁଠି ଲୁଚି ଯାଇଛି, ଯାହାକୁ ତିଆରି କରିବାକୁ ଲାଗିଥିଲା ତିରିଶ ବର୍ଷ । ମୁଣ୍ଡ ଗୁଞ୍ଜିବାକୁ ନା ଅଛି ବାସ, ଲୁହ ପୋଛିବାକୁ ନା ଅଛି ବସ୍ତ୍ର । ୮ ମାସ ତଳୁ ଇସ୍ରାଏଲ୍ ମିସାଇଲ୍ ମାଡ଼ରେ ମରୁଭୂମି ପାଲଟିଛି ଗାଜା ସହର ।
୧୫ ମାସ ପୂର୍ବରୁ ଗାଜାପଟ୍ଟୀର ଚିତ୍ର ଥିଲା ଭିନ୍ନ । ସମୁଦ୍ର ଉପକୂଳବର୍ତ୍ତୀ ସହର ସବୁଜିମାରେ ଭରିଥିଲେ । ମାତ୍ର ଆତଙ୍କୀ ସଂଗଠନ ହମାସର ଦୁଃସାହସ ଯୋଗୁ ଗାଜାର ଭୌଗଳିକ ମାନଚିତ୍ର ବଦଳିଯାଇଛି । ୨୦୨୩ ଅକ୍ଟୋବର ୭ ତାରିଖ ଆକ୍ରମଣ ପରେ ୪୧ କିଲୋମିଟର ଲମ୍ବା ଏବଂ ୬ରୁ ୧୨ ଚଉଡ଼ା ବିଶିଷ୍ଟ ସହର ଧ୍ବଂସସ୍ତୂପ ପାଲଟିଛି । ଗୋଟିଏ ବି ବିଲ୍ଡିଂ ନାହିଁ ଯିଏ ଅଣ୍ଟା ସଳଖି ଛିଡ଼ା ହୋଇଛି । ଇସ୍ରାଏଲ ସେନାର କ୍ଷେପଣାସ୍ତ୍ର ମାଡ଼ରେ ୫୨, ୫୬୪ ଘର ମାଟି ସମାଧି ନେଇଛି । ୧୮, ୯୧୩ କୋଠାରେ ଗମ୍ଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି । ଆଉ ୫୬, ୭୧୦ ଷ୍ଟ୍ରକ୍ଚର ନଷ୍ଟ ହୋଇଥିବା ବେଳେ ୩୫,୫୯୧ ବିଲ୍ଡିଂ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି ।
ସଯୁଂକ୍ତ ରାଷ୍ଟ୍ରର ରିପୋର୍ଟ ମୁତାବକ, ଗାଜାରେ ପ୍ରାୟ ୨ ଲକ୍ଷ ୨୦ ହଜାର ଘର ଯୁଦ୍ଧ ତାଣ୍ଡବରେ ଦଳି ଚକଟି ହୋଇଯାଇଛି । ୮୫ ପ୍ରତିଶତ ସ୍କୁଲ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଛି । ଆଉ ଏହି ଧ୍ବଂସସ୍ତୂପରୁ ସ୍ମୃତିରୁ ସାଉଁଟି ସ୍ବପ୍ନ ସଜାଡ଼ିବାକୁ ହେଲେ ପ୍ରାୟ ୪୦ ବର୍ଷ ସମୟ ଲାଗିବ । ଏଥିପାଇଁ ୪୩ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ୨୦୬୫ ସୁଦ୍ଧା ପୁନର୍ନିମାଣ କାର୍ଯ୍ୟ ସରିବ ନାହିଁ ବୋଲି ୟୁଏନର ଜଣେ ଅଧିକାରୀ କହିଛନ୍ତି ।
ଅକ୍ଟୋବର ୭ ତାରିଖରେ ଆତଙ୍କୀ ସଂଗଠନ ହମାସ, ଇସ୍ରଏଲ ଉପରେ ଅତର୍କିତ ଆକ୍ରମଣ କରିଥିଲା । ମିସାଇଲ୍ ମାଡ଼ରେ ୧୨ଶହ ଇସ୍ରାଏଲୀ ପ୍ରାଣ ହରାଇଥିଲେ । ୨୫୦ ଲୋକଙ୍କୁ ଅପହରଣ କରି ନେଇଥିଲା ହମାସ । ଆଉ ଏହା ପରେ ରକ୍ତିର ହୋଲି ଖେଳିଥିଲା ଇସ୍ରାଏଲ ସେନା । ଘନ ଘନ ବୋମା ମାଡ଼ରେ ଥରିଥିଲା ମଧ୍ୟପ୍ରାଚ୍ୟ । ୧୫ ମାସ ଭିତରେ ଗାଜାପଟ୍ଟୀକୁ ମରୁଭୂମିରେ ପରିଣତ କରିଛି ଇସ୍ରାଏଲ ଡିଫେନ୍ସ ଫୋର୍ସ । ଏବେ ଯୁଦ୍ଧବିରତି ପରେ ଘରକୁ ଫେରି ଧ୍ବଂସାବଶେଷ ତଳୁ ଭିଟାମାଟି ଖୋଜୁଛନ୍ତି ପାଲେଷ୍ଟାୟୀନବାସୀ...