ଆମେରିକା ହସ୍ପିଟାଲମାନଙ୍କରେ ବଢୁଛି ଗର୍ଭବତୀ ଭାରତୀୟଙ୍କ ଭିଡ଼, ସମୟ ପୂର୍ବରୁ କରାଉଛନ୍ତି C-ସେକ୍ସନ, ଜାଣନ୍ତୁ କାହିଁକି?

Published By : Prameya-News7 Bureau | January 23, 2025 IST

ନ୍ୟୁଜର୍ସି ୨୩।୧: ଆମେରିକାର ରାଷ୍ଟ୍ରପତି ହେବାପରେ ଡୋନାଲ୍ଡ ଟ୍ରମ୍ପ ଯେଉଁ ଘୋଷଣା ସବୁ କରୁଛନ୍ତି ସାରା ବିଶ୍ୱରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। କାରଣ ଟ୍ରମ୍ପଙ୍କ ଘୋଷଣାର ପ୍ରଭାବ ବିଶ୍ୱର ଅନେକ ଦେଶ ଓ ସେମାନଙ୍କ ନାଗରିକଙ୍କ ଉପରେ ପଡିଛି। ଏଥିରେ ଭାରତୀୟ ନାଗରିକ ମଧ୍ୟ ଅଛନ୍ତି। ଏପର୍ଯ୍ୟନ୍ତ ଆମେରିକୀୟ ଆଇନ ଅନୁସାରେ ଦେଶରେ ଜନ୍ମ ହେଉଥିବା ଶିଶୁ ଆମେରିକୀୟ ନାଗରିକ ହେଉଥିଲା, ହେଲେ ଏବେ ଏହା ଆଉ ସମ୍ଭବ ନୁହେଁ।  ଟ୍ରମ୍ପ ‘ବାର୍ଥରାଇଟ ସିଟିଜେନସିପ୍’ ଆଇନ ପରିବର୍ତ୍ତନ ପାଇଁ ଆଦେଶରେ ସ୍ୱାକ୍ଷର କରିଛନ୍ତି। 

୩୦ ଦିନ ପରେ ଆମେରିକାରେ ଜନ୍ମ ନେଉଥିବା ପିଲାଙ୍କ ନାଗରିକତା ପାଇଁ ନୂଆ ନିୟମ ଲାଗୁ ହୋଇଯିବ ଓ ଆମେରିକା ପ୍ରଶାସନ ନୂଆ ସର୍ତ୍ତ ସହିତ ଏହି ପିଲାଙ୍କୁ ନାଗରିକତା ପ୍ରଦାନ କରିବେ, ଯେଉଁଗୁଡିକୁ ପୁରଣ କରିବା ଅଣ ଆମେରିକୀୟ ନାଗରିକଙ୍କ ଲାଗି କଷ୍ଟକର ହେବ। ଏଣୁ ଆମେରିକାରେ ବସବାସ କରୁଥିବା ପ୍ରବାସୀଙ୍କ ଭବିଷ୍ୟତ ଉପରେ ଏବେ ଖଣ୍ଡା ଝୁଲୁଛି। ଟ୍ରମ୍ପଙ୍କ ‘ବାର୍ଥରାଇଟ୍ ସିଟିଜେନସିପ’କୁ ନେଇ ଘୋଷଣା ପ୍ରବାସୀ ପରିବାରଙ୍କୁ ଚିନ୍ତାରେ ପକାଇଛି। 

ଏଣୁ ଆମେରିକାରେ ରହୁଥିବା ଗର୍ଭବତୀ ଭାରତୀୟ ମହିଳାମାନେ ୩୦ ଦିନର ସମୟ ସୀମା ସମାପ୍ତ ହେବା ପୂର୍ବରୁ ସନ୍ତାନ ପ୍ରସବ କରିବାକୁ ତରବରିଆ ଭାବେ ସି-ସେକ୍ସନ ଅପରେସନ କରିବାକୁ ପଛଉ ନାହାନ୍ତି। ଏହା ଦ୍ୱାରା ସେମାନଙ୍କ ନବଜାତ ଶିଶୁକୁ ଆମେରିକାର ନାଗରିକତା ମିଳିବା ସହିତ ସେମାନଙ୍କୁ  ପିଲା ସାହାରାରେ ସାରା ଜୀବନ ଆମେରିକାରେ ବସବାସ କରିବାର ସୁଯୋଗ ମିଳିଯିବ। ଏଣୁ ଆମେରିକାର ବିଭିନ୍ନ ହସ୍ପିଟାଲମାନଙ୍କରେ ଏବେ ଭାରତୀୟ ଗର୍ଭବତୀଙ୍କ ଭିଡ ବଢୁଥିବା ବେଳେ ସି-ସେକ୍ସନ ଅପରେସନ କରାଇବାକୁ ଅନୁରୋଧ ବଢୁଛି, ଯାହା ସେମାନଙ୍କ ପାଇଁ ଓ ସେମାନଙ୍କ ଶିଶୁ ପାଇଁ ବିପଦଜନକ ହୋଇପାରେ ବୋଲି ‘ଟାଇମ୍ସ ଅଫ ଇଣ୍ଡିଆ’ ରିପୋର୍ଟରେ କୁହାଯାଇଛି। 

ଆମେରିକାରେ ଏଚ୧ବି ଭିସାଧାରୀଙ୍କ ମଧ୍ୟରେ ୭୦ ପ୍ରତିଶତରୁ ଅଧିକ ଭାରତୀୟ ଅଛନ୍ତି। ଟ୍ରମ୍ପ ଏବେ ଏଚ୧ବି ଭିସା ନିୟମକୁ କଡ଼଼ାକଡ଼ି କରିବାକୁ ଯାଉଛନ୍ତି। ଏଣୁ ଭବିଷ୍ୟତରେ ଆମେରିକାରେ ରହିବାକୁ ହେଲେ ଭାରତୀୟଙ୍କ ଲାଗି ସନ୍ତାନ ଉତ୍ପାଦନ ଛଡା ଅନ୍ୟ କୌଣସି ଉପାୟ ନାହିଁ। ମା ଓ ଶିଶୁ ଉଭୟଙ୍କ ନିମନ୍ତେ ରିସ୍କ ଥିବା ସତ୍ତ୍ୱେ ଅନେକ ଲୋକେ ଭାବୁଛନ୍ତି ସ୍ଥିରତା ପାଇଁ ଓ ଆମେରିକାରେ ରହିବା ପାଇଁ ସେମାନଙ୍କ ଲାଗି ଏହାହିଁ ଏକମାତ୍ର ସୁଯୋଗ। ଖାସ କରି ସେପରି ଲୋକେ ଯେଉଁମାନେ ଦୀର୍ଘ ସମୟରୁ ଗ୍ରିନକାର୍ଡକୁ ପ୍ରତିକ୍ଷା କରି ରହିଛନ୍ତି। ନୀତିରେ ପରିବର୍ତ୍ତନ ଏବେ ଅବୈଧ ପ୍ରବାସୀ ଓ ଏଚ୧ବି ଭିସାଧାରୀ ଉଭୟଙ୍କ ଉପରେ ଗୁରୁତର ପ୍ରଭାବ ପକାଇବ।   

ଟାଇମସ ଅଫ ଇଣ୍ଡିଆ ରିପୋର୍ଟ ଅନୁସାରେ ନ୍ୟୁଜର୍ସିର ହସ୍ପିଟାଲମାନଙ୍କରେ ଭାରତୀୟ ମା ମାନେ ଗର୍ଭାବସ୍ଥାର ସପ୍ତମ, ଅଷ୍ଟମ ଓ ଏପରିକି ନବମ ମାସରେ ମଧ୍ୟ ଫେବୃଆରୀ ୨୦ ପୂର୍ବରୁ ସି-ସେକ୍ସନ କରାଇବାକୁ ଅନୁରୋଧ କରିଛନ୍ତି। କାରଣ ଫେବୃଆରୀ ୨୦ପରେ ଆମେରିକାରେ ଜନ୍ମିତ ଶିଶୁଙ୍କୁ ଆଉ ଆପେ ଆପେ ଦେଶର ନାଗରିକତା ମିଳିବ ନାହିଁ। ଏଣୁ ଏହି ଡରରେ ଅଭିଭାବକ ହେବାକୁ ଯାଉଥିବା ଦମ୍ପତ୍ତି ଏବେ ଚିନ୍ତାରେ ଥିବା ବେଳେ ହତାସ ଅନୁଭବ କରୁଛନ୍ତି। 

ଟେକ୍ସାସରେ ପ୍ରସୂତୀ ଏବଂ ସ୍ତ୍ରୀ ରୋଗ ବିଶେଷଜ୍ଞ ଡ.ଏସ.ଜି.ମୁକଲ୍ଲା କହିଛନ୍ତି ଯେ ଗତ ୨ ଦିନରେ ମୁଁ ଏ ନେଇ ୧୫-୨୦ ଦମ୍ପତ୍ତିଙ୍କ ସହିତ କଥା ହୋଇଛି। ଯଦିଓ ସି-ସେକ୍ସନ ଅପରେସନ କରିବା ସମ୍ଭବ ତେବେ ସମୟ ପୂର୍ବରୁ ଶିଶୁର ଜନ୍ମ ଉଭୟ ଜନ୍ମଦାତ୍ରୀ ମା ଓ ଶିଶୁଙ୍କ ପାଇଁ ଜଟିଳ। ଏପରି ପ୍ରି-ମେଚ୍ୟୋର ପିଲାମାନେ ଅବିକଶିତ ଫୁସଫୁସ୍, ଭୋଜନ ସମ୍ପର୍କିତ ସମସ୍ୟା, ଜନ୍ମ ସମୟରେ ଅଳ୍ପ ଓଜନ ସମେତ ଅନେକ ଶାରୀରିକ ସମସ୍ୟାର ଶିକାର ହୋଇ ପାରନ୍ତି ବୋଲି ସେମାନଙ୍କୁ ପରାମର୍ଶ ଦେଇଛି। 

ଏଥିରେ ଏପରି ଦମ୍ପତ୍ତି ମଧ୍ୟ ଅଛନ୍ତି ଯେଉଁମାନେ ଆଗାମୀ ୨-୪ମାସରେ ଅଭିଭାବକ ହେବେ। ଏପରି ଲୋକଙ୍କୁ ନା ତ ଆମେରିକାରେ ରହିବାର ସୁଯୋଗ ମିଳିବ ଯଦି ଆମେରିକାରୁ ବି ତଡା ଖାଇଲେ ଶିଶୁର ନୂଆ ଦାୟିତ୍ୱ ସହିତ କେଉଁଠାରେ କିପରି ଜୀବନ ବିତାଇବେ ସେ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ଏଇଭଳି ପରିସ୍ଥିତିରେ ଆଉ ଏକ ଦମ୍ପତ୍ତି କହିଛନ୍ତି ଯେ ଏପରି ଲାଗୁଛି ଯେପରି ଆମ ଲାଗି ସବୁ ରାସ୍ତା ଏବେ ବନ୍ଦ ହୋଇଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.