ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସିକ୍ରେଟ୍ ସର୍ଭିସର ନିର୍ଦ୍ଦେଶକ ରୂପେ ସିନ୍ କରନଙ୍କୁ ନିଯୁକ୍ତି ଦେଇଛନ୍ତି । ଟ୍ରମ୍ପ ବୁଧବାର ଏହି ଘୋଷଣା କରିଛନ୍ତି । ସିନ୍ କରନ୍ ଗତ ବର୍ଷ ପେନସିଲ୍ଭାନିଆରେ ଟ୍ରମ୍ପଙ୍କ ଉପରେ ହୋଇଥିବା ଆକ୍ରମଣ ବେଳେ ସୁରକ୍ଷାକୁ ଟିମ୍ ଲିଡ୍ କରୁଥଲେ ।
ଟ୍ରମ୍ପ ନିଜ ସୋସିଆଲ୍ ମିଡିଆ ପେଷ୍ଟରେ ଲେଖିଛନ୍ତି, 'ସିନ୍ ଜଣେ ମହାନ ଦେଶଭକ୍ତ । ସେ ଗତ କିଛି ବର୍ଷ ଧରି ମୋ ପରିବାର ରକ୍ଷା କରିଛନ୍ତି । ପେନସିଲଭାନିଆରେ ମୋର ଜୀବନକୁ ବଞ୍ଚାଇବା ପାଇଁ ନିଜକୁ ବିପଦରେ ପକାଇଥିଲେ । ସେ ଅଦମ୍ୟ ସାହସିକତାର ପରିଚୟ ଦେଇଥିଲେ ।'
ସିନ୍ କରନ ନ୍ୟୁୟର୍କର ବାସିନ୍ଦା । ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁସାରେ ସିକ୍ରେଟ୍ ସର୍ଭିସର ନେୱାର୍କ ଫିଲ୍ଡ ଅଫିସରେ ଜଣେ ସ୍ପେଶାଲ ଏଜେଣ୍ଟ ରୂପେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ସିନ୍ କରନ୍ ରାଷ୍ଟ୍ରପତି ବାରାକ ଓବାମାଙ୍କ ସହ ସ୍ପେଶାଲ ଡିପାର୍ଟମେଣ୍ଟରେ କାମ ସରିସାରିଛନ୍ତି । ସେ ହାଇପ୍ରୋଫାଇଲ୍ ଲୋକଙ୍କ ସୁରକ୍ଷା ଦେଉଥିବା ବିଭାଗରେ କାମ କରିସାରିଛନ୍ତି ।
ନ୍ୟୁୟର୍କ ଟାଇମ୍ସ ଅନୁସାରେ ସିନ୍ କରନଙ୍କୁ ସିକ୍ରେଟ୍ ସର୍ଭିସର ନିର୍ଦ୍ଦେଶକ କରିବା ନିଷ୍ପତ୍ତି ଆଶ୍ଚର୍ଯ୍ୟଜନକ । କାରଣ କରନ୍ କ୍ରିକେଟ୍ ସର୍ଭିସର କୌଣସି ବି ମୁଖ୍ୟାଳୟରେ କାମ କରିନାହାନ୍ତି । ଜଣେ ଏଜେଣ୍ଟରୁ ସିଧା ନିର୍ଦ୍ଦେଶକ ଭାବେ ତାଙ୍କୁ ନିଯୁକ୍ତ କରାଯାଉଛି । ତାଙ୍କ ନିଯୁକ୍ତି ପାଇଁ ସିନେଟର ମଞ୍ଜୁରୀ ମଧ୍ୟ ଦରକାର ନାହିଁ ।
ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଆକ୍ରମଣ ପରେ ସିକ୍ରେଟ୍ ସର୍ଭିସର ତତ୍କାଳୀନ ନିର୍ଦ୍ଦେଶକ କିମ୍ୱର୍ଲିଙ୍କୁ ୧୦ ଦିନ ଭିତରେ ଇସ୍ତଫା ଦେବାକୁ ପଡ଼ିଥିଲା । ନିଜ ଦାୟିତ୍ୱ ଠିକ୍ ଭାବେ ତୁଲାଇ ନଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଏପରିକି ଏଥିପାଇଁ କିମ୍ୱର୍ଲିଙ୍କୁ ସଂସଦର କମିଟି ଆଗରେ ହାଜର ହେବାକୁ ପଡ଼ିଥିଲା । ସେତେବେଳେ କିମ୍ୱର୍ଲି କହିଥିଲେ, 'ଟ୍ରମ୍ପଙ୍କ ସୁରକ୍ଷାରେ ତ୍ରୁଟି ହୋଇଛି । ଏଜେନ୍ସି ନିଜ କାମ ଠିକ୍ ଭାବେ କରି ନାହିଁ । ମୁଁ ଏଥିପାଇଁ ପୂରା ଦାୟୀ ଅଟେ ।'
ଆମେରିକାରେ ଜୁଲାଇ ୧୩ରେ ନିର୍ବାଚନ ପ୍ରଚାର ବେଳେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଗୁଳି ମାଡ଼ ହୋଇଥିଲା । ୨୦ ବର୍ଷୀୟ ଆକ୍ରମଣକାରୀ ୪୦୦ ଫୁଟ୍ ଦୂରରୁ ୮ ରାଉଣ୍ଡ ଫାୟାର କରିଥିଲା । ଏଥିରୁ ଗୋଟିଏ ଗୁଳି ଟ୍ରମ୍ପଙ୍କ ଡାହାଣ କାନକୁ ଛୁଇଁ ଯାଇଥିଲା । ରାଷ୍ଟ୍ରପତି ଟ୍ରମ୍ପ ଏହି ଆକ୍ରମଣରେ ଲହୁଲୁହାଣ ହୋଇଥିଲେ ।