ଟି-୨୦ ବିଶ୍ବକପ୍; ସଂଧ୍ୟାରେ ଭାରତ-କାନାଡା ଟକ୍କର, ଲାଉଡରହିଲରେ ବର୍ଷା ଆଶଙ୍କା

Published By : Prameya-News7 Bureau | June 15, 2024 IST

ଫ୍ଲୋରିଡ଼ା,୧୫/୬: ଟି-୨୦ କ୍ରିକେଟ୍ ବିଶ୍ବକପରେ ଶନିବାର ଭାରତ ଖେଳିବ ଗ୍ରୁପ ପର୍ଯ୍ୟାୟର ଶେଷ ଲିଗ୍ ମ୍ୟାଚ୍ । ରୋହିତ୍ ଶର୍ମାଙ୍କୁ ନେତୃତ୍ବାଧିନ ଟିମ୍ ଇଣ୍ଡିଆ ସଂଧ୍ୟାରେ କାନାଡ଼ାକୁ ଭେଟିବାକୁ ଯାଉଛି । ଲାଉଡରହିଲ ଗ୍ରାଉଣ୍ଡ୍‌ରେ ଏହି  ମ୍ୟାଚ୍‌ ଖେଳାଯିବ । ମାତ୍ର ଏହି ମ୍ୟାଚ୍ ରେ ବର୍ଷା ବାଧକ ସାଜିବା ଆଶଙ୍କା କରାଯାଉଛି । ଲଗାଣ ବର୍ଷା ଯୋଗୁ ଉଭୟ ଦଳ ଅଭ୍ୟାସ କରିପାରି ନାହାନ୍ତି । ଗ୍ରୁପ୍‌-ଏ’ରୁ ଭାରତ ଲଗାତର ତିନୋଟି ମ୍ୟାଚ୍ ଜିତି ସୁପର-୮ ରାଉଣ୍ଡରେ ପ୍ରବେଶ କରିଛି । ମାତ୍ର  କାନାଡ଼ା ୩ଟି ମ୍ୟାଚ୍‌ରୁ ଗୋଟିଏ ବିଜୟ ହୋଇ ୨ ପଏଣ୍ଟ ହାସଲ କରିଛି । 

ଭାରତୀୟ ଦଳ ପ୍ରଥମ ୩ଟି ମ୍ୟାଚ୍‌ରେ ଯଥାକ୍ରମେ ଆୟର୍ଲାଣ୍ଡ,  ପାକିସ୍ତାନ ଓ ୟୁଏସଏକୁ ହରାଇଥିଲା । ନାସାଉ କାଉଣ୍ଟି ଅନ୍ତର୍ଜାତୀୟ  ଷ୍ଟାଡ଼ିୟମ୍‌ର ପିଚ୍‌ରେ ରନ୍‌ ସଂଗ୍ରହ କରିବା କଷ୍ଟକର ହୋଇଯାଇଥିଲା । ମାତ୍ର ଲାଉଡରହିଲ ଗ୍ରାଉଣ୍ଡ୍‌ରେ ଭାରତୀୟ ଦଳ ବିଶାଳ ସ୍କୋର ସଂଗ୍ରହ  କରବାକୁ ପ୍ରୟାସ କରିବ । ଏହି ମ୍ୟାଚ୍‌ ପୂର୍ବରୁ ଷ୍ଟାର ବ୍ୟାଟର ବିରାଟ୍ କୋହଲିଙ୍କ ଫର୍ମ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ସାଜିଥିଲେ ହେଁ ଭାରତୀୟ ଦଳ ଏଥିପ୍ରତି ଧ୍ୟାନ ଦେଉନାହିଁ । କୋହଲିଙ୍କ ଉପରେ ଦଳର ଯଥେଷ୍ଟ ଭରସା ରହିଛି । କୋହଲି ପ୍ରଥମ କରି ଓପନର ଭାବେ ଖେଳୁଥିବାରୁ ଟିମ୍ ମ୍ୟାନେଜମେଣ୍ଟ ତାଙ୍କୁ ଯଥେଷ୍ଟ ସମୟ ଦେବାକୁ ନିଷ୍ପତ୍ତି ନେଇଛି ।  

ସେପଟେ ଭାରତ ତୁଳନାରେ କାନାଡ଼ା ଅପେକ୍ଷାକୃତ ଦୁର୍ବଳମନେ ହେଉଥିଲେ ହେଁ କିଛି ଖେଳାଳିଙ୍କ ପ୍ରଦର୍ଶନ ବଳରେ ବିପର୍ଯ୍ୟୟ ପାଇଁ ପ୍ରୟାସ କରିବ । ଓପନର ଆରୋନ ଜନସନ, ନିକୋଲାସ କିର୍ଟନ, ଶ୍ରେୟାସ ମୋଭାଙ୍କ ଭଳି ଦକ୍ଷ ବ୍ୟାଟର ଦଳରେ ରହିଛନ୍ତି । ସେହିପରି ଡିଲନ ହେଲିଗର, ଜେରେମି ଗର୍ଡନ ଓ  କଲିମ ସାନାଙ୍କ ଉପରେ ଦଳର ବୋଲିଂ ବିଭାଗ ନିର୍ଭର କରିବ । ଭାରତ ଆଜିର ମ୍ୟାଚରେ ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିପାରେ । ଓପନର ଯଶସ୍ୱୀ ଜୈସ୍ୱାଲ ଏକାଦଶକୁ ଫେରିବା ଅଶା କରାଯାଉଛି । ଫଳରେ କୋହଲି   ତାଙ୍କ ପୂର୍ବ ୩ନଂ ସ୍ଥାନକୁ ଫେରିବେ । ସେହିପରି ମଧ୍ୟ ଭାଗରେ ରିଷଭ ପନ୍ତଙ୍କୁ ବିଶ୍ରାମ ଦେଇ ସଞ୍ଜୁ ସାମସନଙ୍କୁ ଖେଳାଇବା ସମ୍ଭାବନା ରହିଛି ।  ସୁପର-୮ ରାଉଣ୍ଡ ପୂର୍ବରୁ ପେସ ବୋଲର ଯଶପ୍ରୀତ ବୁମରାଙ୍କୁ ମଧ୍ୟ ବିଶ୍ରାମ  ମିଳିପାରେ । ତାଙ୍କ ସ୍ଥାନରେ ବାମ ହାତି ସ୍ପିନର କୁଲଦୀପ ଯାଦବଙ୍କୁ ସୁଯୋଗ ମିଳିପାରେ ।

  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.