ୟୁରୋ କପ୍ ; ୟୁକ୍ରେନ୍ ସାମ୍ନାରେ ରୋମାନିଆର ଗର୍ଜନ, ଦ୍ବିତୀୟ ମ୍ୟାଚରେ ଅଷ୍ଟ୍ରୀୟାକୁ ହରାଇଲା ଫ୍ରାନ୍ସ

Published By : Prameya-News7 Bureau | June 18, 2024 IST

ନୂଆଦିଲ୍ଲୀ: ୟୁରୋ କପ୍ ଚାମ୍ପିଅନସିପରେ ରୋମାନିଆର ଗର୍ଜନ । ୟୁକ୍ରେନକୁ ୩-୦ ଗୋଲରେ ପରାସ୍ତ କରିଛି ଦଳ । ୟୁରୋପ ଫୁଟବଲରେ ଦୁର୍ବଳ ଦଳ କୁହାଯାଉଥିବା ରୋମାନିଆ ଐତିହାସିକ ବିଜୟ ହାସଲ କରିଛି । ଗ୍ରୁପ୍‌-ଇ’ ଲିଗ ପର୍ଯ୍ୟାୟ ମ୍ୟାଚ୍‌ରେ ୟୁକ୍ରେନକୁ ପରାସ୍ତ କରିଛି । ୟୁରୋ  ଚାମ୍ପିଅନ୍‌ସିପ୍‌ ଇତିହାସରେ ଏହା ରୋମାନିଆର ଦ୍ୱିତୀୟ ବିଜୟ । ବିଶ୍ୱକପ୍‌ ଓ ୟୁରୋକୁ ମିଶାଇ  ରୋମାନିଆ ମୋଟ୍‌ ୧୭ଟି ମ୍ୟାଚ୍‌ ଖେଳିଛି  ଓ ଏଥିରୁ ୫ଟି ମ୍ୟାଚ୍‌ ଡ୍ର’ କରିଥିବାବେଳେ ୧୦ ମ୍ୟାଚ୍‌ରେ ପରାଜୟର ସାମ୍ନା କରିଛି । ଶେଷ ଥର ପାଇଁ ରୋମାନିଆ ୨୦୦୦ ମସିହାରେ ୟୁରୋ ଚାମ୍ପିଅନ୍‌ସିପ୍‌ର ଏକ  ମ୍ୟାଚ୍‌ରେ ଇଂଲଣ୍ଡକୁ ୩-୨ ଗୋଲ୍‌ରେ ପରାଜିତ କରିଥିଲା ।  

ମ୍ୟାଚ୍‌ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ୟୁକ୍ରେନ୍‌ ପ୍ରଭାବ ବିସ୍ତାର କରିଥିଲା । ମ୍ୟାଚରେ ୭୨ ପ୍ରତିଶତ ସମୟ ୟୁକ୍ରେନ୍ ଖେଳାଳିଙ୍କ ନିକଟରେ ବଲ୍‌ ରହିଥିଲା । ମାତ୍ର ରୋମାନିଆ ସୀମିତ ସୁଯୋଗର ସଦୁପଯୋଗ କରି ବିଜୟୀ ହାସଲ କରିଛି ।  ୯୦ମିନିଟ୍‌ ମଧ୍ୟରେ ରୋମାନିଆ ମାତ୍ର ୯ଟି ସୁଯୋଗ ସୃଷ୍ଟି କରିଥିଲା ଓ ଏଥିରୁ ୩ଟି ଗୋଲ୍‌ ହୋଇଥିଲା । ଅନ୍ୟପଟେ ୟୁକ୍ରେନ୍ ୧୩ଟି ସୁଯୋଗ ହାତଛଡ଼ା କରିଥିଲା ।  ମ୍ୟାଚ୍‌ ଆରମ୍ଭରୁ ୟୁକ୍ରେନ୍‌ର ପଲା ଭାରି ରହିଥିଲା ।  ରୋମାନିଆ ନିକଟରେ ସେଭଳି କୌଣସି ତାରକା ଖେଳାଳି ନଥିଲେ । ତଥାପି ୨୯ତମ ମିନିଟ୍‌ରେ ନିକୋଲାଇ  ଷ୍ଟାନସିୟୁ ଏକ ଗୋଲ୍‌ କରିବା ପରେ ମ୍ୟାଚ୍‌ର ରୂପରେଖ ବଦଳି ଯାଇଥିଲା । ୟୁକ୍ରେନ୍‌ ଲୟ ହରାଇ ବସିଥିଲା ଏବଂ ରୋମାନିଆ ଟ୍ରାକକୁ ଫେରିଥିଲା ।

ମ୍ୟାଚର ଦ୍ୱିତୀୟାର୍ଦ୍ଧରେ ରୋମାନିଆ ଆଉ ୨ଟି ଗୋଲ୍‌ କରିଥିଲା ।  ୫୩ତମ ମିନିଟ୍‌ରେ ରଜଭାନ ମାରିନ ଓ ୫୭ତମ ମିନିଟ୍‌ରେ   ଡେନିସ ଡ୍ରାଗସ ଏହି ଗୋଲ୍‌ କରିଥିଲେ । ମିଡ୍‌ ଫିଲ୍ଡର  ଡେନିସ ମାନ୍‌ ୨ଟି ଗୋଲ୍‌ରେ ସହାୟତା କରିଥିଲେ । 

ସେପଟେ ଫୁଟବଲ୍ ତାରକାଙ୍କ ଭଣ୍ଡାର ଥିବା ଫ୍ରାନ୍ସ  ଚଳିତ ୟୁରୋ ଚାମ୍ପିଅନସିପ୍‌ରେ ସହଜ ବିଜୟ ସହ ଅଭିଯାନ ଆରମ୍ଭ କରିଛି । ଗ୍ରୁପ୍‌-ଡି’ରେ ଫ୍ରାନ୍ସ ଅଷ୍ଟ୍ରୀୟାକୁ ଭେଟିଥିଲା । କେବଳ ମାକ୍ସିମିଲାନ ଓବରଙ୍କ ଏକ   ତ୍ରୁଟିକୁ ଛାଡ଼ିଦେଲେ ଅଷ୍ଟ୍ରୀୟା ସମ୍ପୂର୍ଣ୍ଣ ୯୦ ମିନିଟ୍‌ ଯାକ କଡ଼ା  ଟକ୍କର ଦେଇଥିଲା । ୨୦୨୨ ବିଶ୍ୱକପ୍‌ ରନର୍ସ ଅପ୍‌ ଫ୍ରାନ୍ସ  ଦକ୍ଷତା ମୁତାବକ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲା ।  ଅନେକ ସୁଯୋଗ ହାତଛଡ଼ା କରିଥିଲା ଫ୍ରାନ୍ସ । ଅବଶ୍ୟ ଅଷ୍ଟ୍ରୀୟା ଅଧିକ ସମୟ ବଲ୍‌କୁ ନିୟନ୍ତ୍ରଣରେ ରଖିଥିଲା ।  ୩୮ତମ ମିନିଟ୍‌ରେ ଓବର ଫ୍ରାନ୍ସ ଫରୱାର୍ଡ କିଲିଆନ  ଏମ୍‌ବାପେଙ୍କୁ ଅଟକାଇବାକୁ ପ୍ରୟାସ କରି ତ୍ରୁଟି କରିଥିଲେ ।  ବଲ୍‌କୁ ନିୟନ୍ତ୍ରଣ କରିନପାରି ଓବର ନିଜ ଗୋଲ୍‌ ପୋଷ୍ଟରେ ବଲ୍‌ ପହଞ୍ଚାଇ ଦେଇଥିଲେ । ଫଳରେ ଫ୍ରାନ୍ସ ଅଗ୍ରଣୀ ହାସଲ କରିଥିଲା ।  

 

  • football
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.