ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ବାଏ ବାଏ କହିଲେ ୱାର୍ଣ୍ଣର, ମ୍ୟାଚ୍‌ ହାରିବା ପରେ ଚୁପ୍‌ଚାପ ନେଇଗଲେ ସନ୍ୟାସ

Published By : Prameya-News7 Bureau | June 26, 2024 IST

ନୂଆଦିଲ୍ଲୀ ୨୬/୦୬: ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରୁ ଅଷ୍ଟ୍ରେଲିଆ ବିଦାୟ ନେବା ସହ ଅଭିଜ୍ଞ ଓପନର ଡେଭିଡ୍‌ ୱାର୍ଣ୍ଣରଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ପୂର୍ଣ୍ଣଛେଦ ପଡ଼ିଛି । ବିଶ୍ୱକପ୍‌ ପୂର୍ବରୁ ସେ ଅବସର ବିଷୟରେ ସୂଚନା ଦେଇ ସାରିଥିଲେ । ଭାରତ ବିପକ୍ଷ ସୁପର-୮ ମ୍ୟାଚ୍‌ ୱାର୍ଣ୍ଣରଙ୍କ କ୍ୟାରିୟରର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ରହିଥିଲା । ସେ ମାତ୍ର ୬ରନ୍‌ କରି ଅର୍ଶଦୀପ ସିଂହଙ୍କ ବଲ୍‌ରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ । 

ୱାର୍ଣ୍ଣର ପୂର୍ବରୁ ଦିନିକିଆ ଓ ଟେଷ୍ଟର ଅବସର ନେଇ ସାରିଥିଲେ । ଗତ ନଭେମ୍ବର ମାସ ସେ ଦିନିକିଆ ବିଶ୍ୱକପ୍‌ ଫାଇନାଲ୍‌ ଖେଳିଥିଲେ । ଏହି ମ୍ୟାଚ୍‌ରେ ଭାରତକୁ ହରାଇ ଅଷ୍ଟ୍ରେଲିଆ ଚାମ୍ପିଅନ୍‌ ହୋଇଥିଲା । ୩୭ବର୍ଷୀୟ ୱାର୍ଣ୍ଣର ଦୀର୍ଘ ୧୫ବର୍ଷ ଧରି

ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସକ୍ରୀୟ ରହିଥିଲେ । ଜଣେ ଦୁର୍ଦ୍ଧର୍ଷ ବ୍ୟାଟର ଭାବେ ନିଜର ପରିଚୟ ସୃଷ୍ଟି କରିଥିଲେ । 

ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସେ ପାଖାପାଖି ୧୯,୦୦୦ (୩ଟି ଫର୍ମାଟ) ରନ୍‌ ସଂଗ୍ରହ କରିଥିଲେ । ଟି-ଟ୍ୱେଣ୍ଟି କ୍ରିକେଟ୍‌ରେ ୱାର୍ଣ୍ଣର ଅଷ୍ଟ୍ରେଲିଆର ସର୍ବାଧିକ ରନ୍‌ ହାସଲକାରୀ ଭାବେ ବିଦାୟ ନେଇଛନ୍ତି । ସେ ୧୧୦ଟି ମ୍ୟାଚ୍‌ ଖେଳି ମୋଟ ୩,୨୨୭ ରନ୍‌ ସଂଗ୍ରହ କରିଛନ୍ତି । ସେଥିମଧ୍ୟରେ ସେ ଗୋଟିଏ ଶତକ ଓ ୨୮ଟି ଅର୍ଦ୍ଧଶତକ ଅର୍ଜନ କରିଥିଲେ । 

ଟେଷ୍ଟରେ ୱାର୍ଣ୍ଣର ୧୧୨ଟି ମ୍ୟାଚ୍‌ ଖେଳି ୮,୭୮୬ ରନ୍‌ (୨୬ଶତକ, ୩୭ ଅର୍ଦ୍ଧଶତକ) ସଂଗ୍ରହ କରିଥିବାବେଳେ ଦିନିକିଆରେ ୧୬୧ଟି ମ୍ୟାଚ୍‌ରୁ ୬,୯୩୨ ରନ୍‌ (୨୨ ଶତକ, ୩୩ ଅର୍ଦ୍ଧଶତକ) କରିଥିଲେ । ଟେଷ୍ଟରେ ତାଙ୍କର ସର୍ବାଧିକ ସ୍କୋର ଅପରାଜିତ ୩୩୫ ରହିଥିଲା । ୱାର୍ଣ୍ଣରଙ୍କ ସଫଳ କ୍ୟାରିୟରରେ ବଲ୍‌ ଟ୍ୟାମ୍ପରିଂ କଳଙ୍କ ଲାଗିଥିଲା । ୨୦୧୮ ଦକ୍ଷିଣ ଆଫ୍ରିକା ଗସ୍ତରେ

ବଲ୍‌ ଟ୍ୟାମ୍ପରିଂ ଘଟଣାରେ ଧରାପଡ଼ି ବର୍ଷେ ବାସନ୍ଦ ହୋଇଥିଲେ ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.