ଟିମ୍ ଇଣ୍ଡିଆ ୧୦ ବର୍ଷରେ ହରାଇଛି ୧୦ ଟାଇଟଲ୍, ଏବେ ରୋହିତଙ୍କ ପାଖରେ ଇତିହାସ ରଚିବାର ସୁଯୋଗ

Published By : Prameya-News7 Bureau | June 28, 2024 IST

abp live

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଟି-୨୦ ବିଶ୍ଵକପ୍ ୨୦୨୪ର ଫାଇନାଲ୍‌ରେ ପହଞ୍ଚି ଯାଇଛି। ଟ୍ରଫିଠୁ  ଆଉ ଗୋଟିଏ ପାଦ ଦୂରରେ ରୋହିତ ବାହିନୀ। ଦଳ ୧୦ ବର୍ଷ ପରେ ଟି-୨୦ ବିଶ୍ଵକପ୍ ଫାଇନାଲ୍‌ରେ ପହଞ୍ଚିଛି। ଏମିତିରେ ବି ଭାରତ ଆଇସିସି ଟୁର୍ଣ୍ଣାମେଣ୍ଟରେ ନିୟମିତ ଭାବେ ସେମି ଫାଇନାଲ୍ ଏବଂ ଫାଇନାଲ୍‌ ଖେଳି ଆସିଛି। କିନ୍ତୁ ଦଳ ଟ୍ରଫି ଉଠାଇବାରେ ବିଫଳ ରହିଛି। ଭାରତ ଗତ ୧୦ ବର୍ଷରେ ୫ ଥର ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ରେ ପହଞ୍ଚିଛି। ତଥାଫି ଟ୍ରଫି ଜିତିବାର ସୌଭାଗ୍ୟ ଜୁଟି ପାରିନି। ତଥ୍ୟ ଉପରେ ନଜର ପକାଇଲେ ପ୍ରକୃତରେ ଚୋକର୍ସ ଦକ୍ଷିଣ ଆଫ୍ରିକା ନୁହେଁ ଭାରତ ହିଁ ରହିଛି।

Also read: ରୋହିତ ଶର୍ମାଙ୍କ ଐତିହାସିକ କୀର୍ତ୍ତିମାନ, ଅଧିନାୟକ ଭାବେ କଲେ ବଡ଼ ରେକର୍ଡ, ଲିଷ୍ଟରେ ଧୋନି-ଗାଙ୍ଗୁଲି ସାମିଲ୍‌

ଭାରତୀୟ ଦଳ ଶେଷ ଥର ୨୦୧୩ରେ ଆଇସିସି ଟାଇଟଲ୍ ଜିତିଥିଲା। ଫାଇନାଲ୍‌ରେ ଦଳ ଇଂଲଣ୍ଡକୁ ୫ ରନରେ ହରାଇଥିଲା। ଏହାର ୨ ବର୍ଷ ପୂର୍ବେ ଟିମ୍ ଇଣ୍ଡିଆ ୨୦୧୧ ଦିନିକିଆ ବିଶ୍ଵକପ୍ ଜିତିଥିଲା। ତେବେ ଗତ ୧୦ ବର୍ଷ ହେବ ଦଳର ଟ୍ରଫି ମରୁଡ଼ି ଜାରି ରହିଛି। କ୍ରିକେଟ୍ ପ୍ରେମୀ ପ୍ରତି ଆଇସିସି ଟୁର୍ଣ୍ଣାମେଣ୍ଟରେ ଅନେକ ଆଶା ବାନ୍ଧି ରହୁଛନ୍ତି ଏବଂ ପ୍ରତିଥର ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି। 

୪ ଥର ଟି-୨୦ ବିଶ୍ଵକପ୍‌ରେ ପରାଜୟ 

ଗତ ୧୦ ବର୍ଷର ପ୍ରଦର୍ଶନ ଉପରେ ନଜର ପକାଇଲେ ଭାରତ ୪ ଥର ଟି-୨୦ ବିଶ୍ଵକପ୍‌ର ପ୍ରବଳ ଦାବିଦାର ଥିଲା। ଦଳ ୨୦୧୪ରେ ଫାଇନାଲ୍‌ରେ ଶ୍ରୀଲଙ୍କାଠୁ ୬ ଓ୍ଵିକେଟ୍‌ରେ ପରାଜିତ ହୋଇଥିଲା। ଏହା ପରେ ୨୦୧୬, ୨୦୨୧ ଓ ୨୦୨୨ରେ ଦଳକୁ ପୁଣି ନିରାଶ ହେବାକୁ ପଡ଼ିଥିଲା। ୨୦୧୬ ଓ ୨୦୨୨ରେ ଟିମ୍ ଇଣ୍ଡିଆ ସେମି ଫାଇନାଲ୍‌ ପହଞ୍ଚି ପାରିଥିଲା। 

୩ ଥର ଦିନିକିଆ ବିଶ୍ଵକପ୍‌ରେ ପରାଜୟ 

୨୦୧୩ ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ ଭାରତ୨୦୧୫ ବିଶ୍ଵକପ୍‌ରେ ଗ୍ରୁପ ପର୍ଯ୍ୟାୟରେ ଶୀର୍ଷରେ ରହି ସେମି ଫାଇନାଲ୍‌ରେ ପହଞ୍ଚିଥିଲା। ହେଲେ ଦଳ ସେମିରେ ଅଷ୍ଟ୍ରେଲିଆ ହାତରୁ ଶୋଚନୀୟ ଭାବେ ପରାଜିତ ହୋଇଥିଲା। ଏହାପରେ ୨୦୧୯ ବିଶ୍ଵକପ୍‌ରେ ମଧ୍ୟ ଭାରତ ଚମତ୍କାର ପ୍ରଦର୍ଶନ କରି ସେମି ଫାଇନାଲ୍ ପର୍ଯ୍ୟନ୍ତ ପହଞ୍ଚିଥିଲା। ଏଥର ଦଳ ନ୍ୟୁଜିଲାଣ୍ଡଠୁ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିଲା। ଭାରତ ୨୦୨୩ ବିଶ୍ଵକପରେ ନିଜର ସମସ୍ତ ମ୍ୟାଚ୍ ଜିତି ସହଜରେ ଫାଇନାଲରେ ପହଞ୍ଚିଥିଲା। ମାତ୍ର ଟାଇଟଲ୍ ମୁକାବିଲାରେ ଦଳ ଅଷ୍ଟ୍ରେଲିଆ ହାତରୁ ୬ ଓ୍ଵିକେଟ୍‌ରେ ପରାଜିତ ହୋଇଥିଲା। 

୨ ଥର ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ୍ ଫାଇନାଲ୍‌ରେ ପରାଜୟ

ଏ ପର୍ଯ୍ୟନ୍ତ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପର ଦୁଇଟି ଫାଇନାଲ୍ ମ୍ୟାଚ୍ ଖେଳା ଯାଇଛି। ଉଭୟ ଥର ଦଳ ଫାଇନାଲ୍‌ରେ ପହଞ୍ଚିଛି ପରାଜୟ ଭୋଗିଛି। ୨୦୨୧ ପ୍ରଥମ ଫାଇନାଲ୍‌ରେ ଭାରତ ନ୍ୟୁଜିଲାଣ୍ଡଠୁ ୮ ଓ୍ଵିକେଟ୍‌ରେ ହାରିଥିଲା। ଏହାର ୨ ବର୍ଷ ପରେ ୨୦୨୩ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପରେ  ଭାରତୀୟ ଦଳ ଫାଇନାଲ୍‌ରେ ପହଞ୍ଚିଥିଲେ ହେଁ ଅଷ୍ଟ୍ରେଲିଆଠୁ ପରାସ୍ତ ହୋଇଥିଲା। ଭାରତୀୟ ଦଳର ଦୁର୍ଭାଗ୍ୟ ଦଳ ପ୍ରତିଥର ଫାଇନାଲ୍‌ରେ ମାତ୍ ଖାଇଛି। 

୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍

ଏହା ମଧ୍ୟରେ ୨୦୧୭ ଚାମ୍ପିଅନ୍ସ ଟ୍ରଫିର ପ୍ରଦର୍ଶନ ଭାରତ ପାଇଁ ସ୍ମରଣୀୟ ରହିଛି। ଦଳ ଗ୍ରୁପ ପର୍ଯ୍ୟାୟରେ ଦମଦାର ପ୍ରଦର୍ଶନ କରି ନକଆଉଟ୍ ଷ୍ଟେଜରେ ପହଞ୍ଚିଥିଲା। ହେଲେ ଫାଇନାଲ୍‌ରେ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ଭାରତକୁ ୧୮୦ ରନରେ ହରାଇଥିଲା।

ଗତ ୧୦ ବର୍ଷରେ ଭାରତର ଆଇସିସି ଟୁର୍ଣ୍ଣାମେଣ୍ଟର ପ୍ରଦର୍ଶନ

୨୦୧୪- ଟି-୨୦ ବିଶ୍ଵକପର ସେମି ଫାଇନାଲ୍‌ରେ ଶ୍ରୀଲଙ୍କାଠୁ ପରାସ୍ତ

୨୦୧୫- ଦିନିକିଆ ବିଶ୍ଵକପ୍‌ର ସେମି ଫାଇନାଲ୍‌ରେ ଅଷ୍ଟ୍ରେଲିଆଠୁ ପରାଜିତ

୨୦୧୬- ଟି-୨୦ ବିଶ୍ଵକପ୍‌ର ସେମି ଫାଇନାଲ୍‌ରେ ଓ୍ଵେଷ୍ଟଇଣ୍ଡିଜଠୁ ପରାଜିତ

୨୦୧୭- ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌ରେ ପାକିସ୍ତାନଠୁ ପରାଜିତ

୨୦୧୯- ଦିନିକିଆ ବିଶ୍ଵକପ୍‌ରେ ସେମି ଫାଇନାଲ୍‌ରେ ପରାଜିତ

୨୦୨୧- ବିଶ୍ଵ ଟେଷ୍ଟ ଚାମ୍ପିଅନଶିପର ଫାଇନାଲ୍‌ରେ ନ୍ୟୁଜିଲାଣ୍ଡଠୁ ପରାଜିତ

୨୦୨୧- ଟି-୨୦ ବିଶ୍ଵକପ୍‌ରେ ଗ୍ରୁପ ପର୍ଯ୍ୟାୟରୁ ବାଦ୍

୨୦୨୨- ଟି-୨୦ ବିଶ୍ଵକପ୍‌ର ସେମି ଫାଇନାଲ୍‌ରେ ଇଂଲଣ୍ଡଠୁ ପରାଜିତ

୨୦୨୩- ବିଶ୍ଵ ଟେଷ୍ଟ ଚାମ୍ପିଅନଶିପର ଫାଇନାଲ୍‌ରେ ଅଷ୍ଟ୍ରେଲିଆଠୁ ପରାସ୍ତ

୨୦୨୩- ଦିନିକିଆ ବିଶ୍ଵକପ୍‌ରେ ଫାଇନାଲ୍‌ରେ ଅଷ୍ଟ୍ରେଲିଆଠୁ ପରାଜିତ 

  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.