T20 World Cup Final: ୧୭ ବର୍ଷର ଇତିହାସରେ ପ୍ରଥମ ଥର ଅପରାଜିତ ଟିମ୍ ହେବ ଚାମ୍ପିୟନ

Published By : Prameya-News7 Bureau | June 28, 2024 IST

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ୨୦୨୪ର ଦୁଇ ଫାଇନାଲିଷ୍ଟ ମିଳି ସାରିଛନ୍ତି । ଶନିବାର ଟାଇଟଲ୍ ମୁକାବିଲା ୨୦୦୭ର ଚାମ୍ପିୟନ ଭାରତ ଏବଂ ପ୍ରଥମ ଥର ଫାଇନାଲ ଖେଳିବା ପାଇଁ ପହଞ୍ଚିଥିବା ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ । ଏହି ମୁକାବିଲା ବାରବାଡୋସରେ ଖେଳାଯିବ । ଦୁଇ ଟିମ୍ ଏହି ମ୍ୟାଚ୍ ପାଇଁ ଜୋରଦାର ପ୍ରସ୍ତୁତି କରୁଛନ୍ତି । ଟି-୨୦ ବିଶ୍ୱକପ ୨୦୦୭ ମସିହାରେ ଆରମ୍ଭ ହୋଇଥିଲା ଏବଂ ଭାରତୀୟ ଟିମ୍ ପ୍ରଥମ ସଂସ୍କରଣରେ ହିଁ ଚାମ୍ପିୟନ ହୋଇଥିଲା । ସେବେଠାରୁ ଏବେ ସୁଦ୍ଧା ୧୭ ବର୍ଷରେ ପ୍ରଥମ ଥର ପାଇଁ କୌଣସି ଅପରାଜିତ ଟିମ୍ ଚାମ୍ପିୟନ ହେବେ । ଚଳିତ ଟି-୨୦ ବିଶ୍ୱକପର ନବମ ସଂସ୍କରଣ ଏବଂ ଗତ ଆଠ ସଂସ୍କରଣରେ ଏପରି କୌଣସି ଟିମ୍ ନାହାନ୍ତି ଯିଏ ଗୋଟିଏ ବି ମ୍ୟାଚ୍ ନ ହାରି ଚାମ୍ପିୟନ ହୋଇଛନ୍ତି । କିନ୍ତୁ ଚଳିତ ଥର ଦକ୍ଷିଣ ଆଫ୍ରିକା ଏବଂ ଭାରତ ଫାଇନାଲ ପହଞ୍ଚିବା ଅଭିଯାନରେ ଗୋଟିଏ ବି ମ୍ୟାଚ୍ ହାରି ନାହାନ୍ତି ।

ଦକ୍ଷିଣ ଆଫ୍ରିକା ଟିମ୍ ଏଡେନ୍ ମାର୍କରମଙ୍କ ନେତୃତ୍ୱରେ ଚଳିତ ବିଶ୍ୱକପରେ ଏବେ ସୁଦ୍ଧା ୮ଟି ମ୍ୟାଚ୍ ଖେଳିଛି ଏବଂ ସବୁଥିରେ ବିଜୟୀ ହୋଇଛି । ଗ୍ରୁପ୍ ପର୍ଯ୍ୟାୟରେ ୪ ଏବଂ ସୁପର-୮ ରାଉଣ୍ଡରେ ୩ ମ୍ୟାଚ୍ ଜିତିବା ପରେ ସେମିଫାଇନାଲରେ ଆଫଗାନିସ୍ତାନକୁ ହରାଇ ଫାଇନାଲରେ ପହଞ୍ଚିଛି ।

ସେହିପରି ଭାରତୀୟ ମଧ୍ୟ ବିଶ୍ୱପକରେ ଅଜୟ ହୋଇ ରହିଛି । ଗ୍ରୁପ୍ ଏବଂ ସୁପର-୮ରେ ସାତଟି ମ୍ୟାଚ୍ ଖେଳି ଅପରାଜିତ ରହିଛି । ଗ୍ରୁପ୍ ପର୍ଯ୍ୟାୟରେ କାନାଡା ବିପକ୍ଷ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା । ଏବେ ଫାଇନାଲରେ ଦୁଇ ଅପରାଜିତ ଟିମ୍ ମୁହାଁମୁହିଁ ହେବେ । ଏହା ପୂର୍ବରୁ ଗତ ୧୭ ବର୍ଷର ଇତିହାସରେ ଏହା କେବେ ହୋଇ ନାହିଁ । ଅନ୍ୟପଟେ ଶେଷ ଥର ପାଇଁ କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟରେ ଅପରାଜିତ ରହି ଚାମ୍ପିୟନ ହୋଇଥିବା ଟିମର ରେକର୍ଡ ବି ଭାରତ ନାଁରେ ରହିଛି । ୨୦୧୩ ଚାମ୍ପିୟନ ଟ୍ରଫିରେ ଟିମ୍ ଇଣ୍ଡିଆ ପୂରା ଟୁର୍ଣ୍ଣାମେଣ୍ଟରେ ଅପରାଜିତ ଥିଲା । ସେତେବେଳେ ଭାରତ ଫାଇନାଲରେ ଇଂଲଣ୍ଡକୁ ହରାଇ ଚାମ୍ପିୟନ ହୋଇଥିଲା । ଏବେ ଭାରତ ପାଖରେ ୧୧ ବର୍ଷ ପରେ ଇତିହାସର ପୁନରାବୃତ୍ତି କରିବାର ସୁଯୋଗ ରହିଛି ।

  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.