ଭାରତ-ଦ. ଆଫ୍ରିକା ଫାଇନାଲ୍, ଟ୍ରଫି ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ସଫଳ ହେବ ୧୭ ବର୍ଷର ଅପେକ୍ଷା

Published By : Prameya-News7 Bureau | June 29, 2024 IST

ବ୍ରିଜଟାଉନ୍‌,୨୯/୬: ଟି-୨୦ ବିଶ୍ବକପ୍ ଫାଇନାଲ୍ ଫାଇଟ୍ । ନବମ ସଂସ୍କରଣର ଟାଇଟଲ୍ ଲଢ଼େଇ । ସଂଧ୍ୟାରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ଟାଇଟଲ ଲକ୍ଷ୍ୟରେ ଉଭୟ ଟିମ୍ । ବାରବାଡୋସରେ ବିଜୟ ପତାକା ଉଡ଼ାଇବାକୁ ପ୍ରସ୍ତୁତ ରୋହିତ୍ ସେନା ଓ ଟିମ୍ ମାର୍କ୍ରମ୍ । 

୨୮ ଦିନ ଧରି ଲାଗି ରହିଥିବା ବିଶ୍ବକପ୍ ରୋମାଞ୍ଚ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଆଜି  ଟାଇଟଲ ଲଢ଼େଇ ସହ ଶେଷ ହେବ ଟି-୨୦ ବିଶ୍ୱକପ୍‌ର ନବମ ସଂସ୍କରଣ । ଭାରତ ଫାଇନାଲ୍‌ରେ ପହଞ୍ଚିଥିବାରୁ କ୍ରିକେଟ୍‌ ପ୍ରେମୀଙ୍କ ଉତ୍ସାହ ଶିଖର ଛୁଇଁଛି । ଦକ୍ଷିଣ ଆଫ୍ରିକା ପ୍ରଥମ କରି କୌଣସି ବିଶ୍ୱକପ୍‌ ଫାଇନାଲ୍‌ ଖେଳିବାକୁ ଯାଉଛି । ତେଣୁ ସମଗ୍ର ବିଶ୍ୱର ନଜର ଏବେ  ଫାଇନାଲ୍‌ ମୁକାବିଲା ଉପରେ । ୧୦ବର୍ଷ ପରେ ଭାରତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଫାଇନାଲ   ଖେଳିବ । ପୂର୍ବରୁ  ୨୦୧୪ରେ ଦଳ ଫାଇନାଲ୍‌  ଖେଳିଥିଲା ଓ ଶ୍ରୀଲଙ୍କା ଠାରୁ ପରାଜିତ ହୋଇଥିଲା । ଏଥର ଦକ୍ଷିଣ ଆଫ୍ରିକାକୁ ହରାଇଲେ ୧୭ ବର୍ଷର ଅପେକ୍ଷାରେ ପଡ଼ିବ ପୂର୍ଣ୍ଣଚ୍ଛେଦ । 

୨୦୦୭ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ପ୍ରଥମ ସଂସ୍କରଣ ଖେଳାଯାଇଥିଲା । ଦକ୍ଷିଣ  ଆଫ୍ରିକା ଥିଲା ଆୟୋଜକ । ଏଥିରେ ଭାରତୀୟ ଦଳ ଫାଇନାଲ୍‌ରେ ପାକିସ୍ତାନକୁ ହରାଇ ଚାମ୍ପିଅନ୍‌ ହୋଇଥିଲା । ସେହିପରି ୨୦୧୬ ଓ ୨୦୨୧ରେ ଭାରତ ବିଶ୍ୱକପ୍‌ ଆୟୋଜନ କରିଥିଲା । ୨୦୧୬ରେ ଦଳ ସେମି ଫାଇନାଲ୍‌ରେ ପରାଜିତ ହୋଇଥିଲା । ୨୦୨୧ ସଂସ୍କରଣରେ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲା । 

ତେବେ ଆଜି ଫାଇନାଲ୍‌ରେ ଉଭୟ ଦଳ ପରସ୍ପରକୁ ପ୍ରଥମ କରି ଭେଟିବେ । ପୂର୍ବରୁ ୨୦୧୪ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ସେମି ଫାଇନାଲ୍‌ରେ ଉଭୟ ଦଳ ସାମ୍ନା ସାମ୍ନି ହୋଇଥିଲେ । ଭାରତ ଉକ୍ତ ମ୍ୟାଚ୍‌କୁ ୬ ୱିକେଟରେ ଜିତିଥିଲା । ବିରାଟ କୋହଲି ଖେଳିଥିଲେ ଅପରାଜିତ ୭୨ ରନ୍‌ରେ ମ୍ୟାଚ୍‌ ବିଜୟୀ ଇନିଂସ । ଏଥର ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଶତ ପ୍ରତିଶତ ବିଜୟ ସହ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ଦକ୍ଷିଣ ଆଫ୍ରିକା କ୍ରମାନ୍ୱୟରେ ୮ଟି ମ୍ୟାଚ୍‌ ଜିତିଛି । ଭାରତ ୭ଟି   ମ୍ୟାଚ୍‌ ଜିତିଥିବାବେଳେ ଗୋଟିଏ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ୍ ହୋଇଯାଇଥିଲା ।  ଦକ୍ଷିଣ ଆଫ୍ରିକା ଆସନ୍ତା କାଲି ବିଜୟ ସହ ଇତିହାସ ରଚିବାକୁ ଆଶାବାଦୀ ରହିଛି । ଏପରେ ରୋହିତଙ୍କ ଅଧିନାୟକତ୍ବରେ ଟିମ୍ ଇଣ୍ଡିଆ ଟ୍ରଫି ଉଠାଇବାକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି । 

 

  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.