ଚେନ୍ନାଇ ଟେଷ୍ଟରେ କମାଲ୍ କଲେ ଶେଫାଳି ବର୍ମା, ସବୁଠୁ ଦ୍ରୁତ ଦ୍ୱିଶତକ ମାରି ରଚିଲେ ଇତିହାସ

Published By : Prameya-News7 Bureau | June 28, 2024 IST

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟର ଶେଫାଳି ବର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚେନ୍ନାଇ ଚମତ୍କାର କରିଛନ୍ତି । ଏହି ମ୍ୟାଚରେ ସେ କ୍ୟାରିୟରର ପ୍ରଥମ ଶତକ ହାସଲ କରିବା ପରେ ଏହାକୁ ଦ୍ୱିଶତକରେ ପରିଣତ କରି ନୂଆ ଇତିହାସ ଲେଖିଛନ୍ତି । ଶେଫାଳି କେବଳ ୧୯୪ ବଲରେ ଡବଲ୍ ସେଞ୍ଚୁରୀ ମାରି ମହିଳା କ୍ରିକେଟରେ ସବୁଠୁ ଦ୍ରୁତ ଦ୍ୱିଶତକ କରିବାର ରେକର୍ଡ ନିଜ ନାଁରେ କରିଛନ୍ତି । ଏହା ପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରେଲିଆର ଏନାବେଲ ସଦରଲାଣ୍ଡଙ୍କ ନାଁରେ ଥିଲା । ସେ ୨୦୨୪ ଫେବ୍ରୁଆରୀରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହିଁ ୨୪୮ ବଲରେ ଡବଲ୍ ସେଞ୍ଚୁରୀ ମାରିଥିଲେ । ତାଙ୍କ ପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରେଲିଆର କେରନ ରଲ୍ଟନଙ୍କ ନାଁରେ ଥିଲା । ୨୦୦୧ରେ ଇଂଲଣ୍ଡ ବିପକ୍ଷରେ ୩୦୬ ବଲରେ ଦ୍ୱିଶତକ ମାରିଥିଲେ ।

ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଶେଫାଳି ବର୍ମା ନିଜ ଓପନିଂ ପାର୍ଟନର ସ୍ମୃତି ମନ୍ଧାନଙ୍କ ସହ ବ୍ୟାଟିଂ ପାଇଁ ଓହ୍ଲାଇଥିଲେ । ପ୍ରଥମେ ରକ୍ଷଣାତ୍ମକ ବ୍ୟାଟିଂ କରିଥିଲେ । କିନ୍ତୁ କ୍ରିଜରେ ସେଟ୍ ହେବା ପରେ ସେ ଆଉ ଅଟକି ନଥିଲେ । ୧୧୩ ବଲରେ ନିଜର ଶତକ ହାସଲ କରିଥିଲେ । ଏହାପରେ ୧୯୪ ବଲରେ ଦ୍ୱିଶତକ ମାରିଥିଲେ । ଦ୍ୱିଶତକ ହାସଲ କରିବାରେ ଶେଫାଳି ଦୁନିଆର ଦଶମ ଏବଂ ଭାରତର ଦ୍ୱିତୀୟ କ୍ରିକେଟର ହୋଇଛନ୍ତି । ଭାରତ ପାଇଁ ମିତାଲୀ ରାଜ ୨୦୨୨ରେ ଦ୍ୱିଶତକ ମାରିଥିଲେ । ଏବେ ୨୨ ବର୍ଷ ପରେ ଶେଫାଳି ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି । 

ଶେଫାଳି ବର୍ମା ଏହା ପୂର୍ବରୁ ସ୍ମୃତି ମନ୍ଧାନାଙ୍କ ସହ ମିଶି ୨୯୨ ରନର ରେକର୍ଡ ଓପନିଂ ପାର୍ଟନରଶିପ କରିଥିଲେ । ଏହାସହ ଦୁହେଁ ୨୦ ବର୍ଷ ପୁରୁଣା ପାକିସ୍ତାନର ରେକର୍ଡ ଭାଙ୍ଗିଥିଲେ । କେବଳ ଏତିକି ନୁହେଁ ଶେଫାଳି ଏବଂ ମନ୍ଧାନାଙ୍କ ମଧ୍ୟରେ କୌଣସି ୱିକେଟ୍ ପାଇଁ ଏହା ସବୁଠାରୁ ଅଧିକ ରନର ପାର୍ଟନରଶିପ୍ ଅଟେ । ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ୪ ୱିକେଟ୍ ହରାଇ ୫୨୫ ରନ୍ ବୋର୍ଡରେ ଲଗାଇଛି । ଶେଫାଳି ବର୍ମା ୨୦୫ ରନ୍ କରି ରନ୍ ଆଉଟ୍ ହୋଇଛନ୍ତି ।  ସ୍ମୃତି ମନ୍ଧାନ ୧୪୯ ରନ୍ କରି ପାଭେଲିୟନ ଫେରିଛନ୍ତି । ହରମନପ୍ରୀତ କୋର ୪୨ ରନ ଏବଂ ରିଚା ଘୋଷ ୪୩ ରନ କରି ଅପରାଜିତ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.