ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ଖୁବଶୀଘ୍ର ମୁକ୍ତ ବାଣିଜ୍ୟ ବୁଝାମଣା, ଅଧିକାରୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା

Published By : Prameya-News7 Bureau | March 01, 2025 IST

ନୂଆଦିଲ୍ଲୀ: ଭାରତ ଏବଂ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ବୁଝାମଣା ଦିଗରେ ଆଉ ପାଦ ଆଗକୁ ବଢ଼ିଛନ୍ତି । ଚଳିତ ବର୍ଷ ଶେଷ ସୁଦ୍ଧା ଏହି ଚୁକ୍ତିନାମା କାର୍ଯ୍ୟକାରୀ ହୋଇପାରେ । ଶନିବାର ଭାରତ ଏବଂ ୟୁରୋପୀୟ ସଂଘର ଅଧିକାରୀମାନେ ଏକ ସନ୍ତୁଳିତ ଏବଂ ପାରସ୍ପାରିକ ହିତର ଚୁକ୍ତିନାମାରେ ପହଞ୍ଚିବା ଉପରେ ଆଲୋଚନା କରଛନ୍ତି ।

କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ୟୁରୋପୀୟ ୟୁନିୟନର ବାଣିଜ୍ୟ ଏବଂ ଅର୍ଥନୈତିକ ସୁରକ୍ଷା କମିଶନର ମାରୋସ୍ ସେଫକୋଭିକ୍ ଓ ଉଭୟ ପକ୍ଷର ଅଧିକାରୀ ମୁମ୍ବାଇରେ ଏହା ଉପରେ ଆଲୋଚନା କରିଛନ୍ତି । ଆଲୋଚନା ଉପରେ କେନ୍ଦ୍ରମନ୍ତ୍ରୀ ଏକ୍ସରେ ଲେଖିଛନ୍ତି, 'ଆମ ଆଲୋଚନା ଏକ ସନ୍ତୁଳିତ ଏବଂ ପାରସ୍ପାରିକ ହିତର ମୁକ୍ତ ବାଣିଜ୍ୟ ଚୁକ୍ତିନାମା ପ୍ରୟାସକୁ ତ୍ୱରାନ୍ୱିତ କରିବା ଉପରେ କେନ୍ଦ୍ରିତ ଥିଲା । ଆମେ ଆର୍ଥିକ ସମ୍ପର୍କକୁ ମଜଭୁତ କରିବା ଏବଂ ସମୃଦ୍ଧ ଭାରତ-ୟୁରୋପୀୟ ସଂଘର ବୁଝାମଣାକୁ ପ୍ରୋତ୍ସାହିତ କରିବା ପାଇଁ ତତ୍ପର ଅଛୁ ।' ଏହି ଚୁକ୍ତିନାମାର ଲକ୍ଷ୍ୟ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ନିବେଶକୁ ପ୍ରୋତ୍ସାହିତ କରିବା । ଉଭୟ ପକ୍ଷ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା, ଏକ ନିବେଶ ସୁରକ୍ଷା ଚୁକ୍ତିନାମା ଏବଂ ଭୌଗୋଳିକ ସଂକେତ (GI) ଉପରେ ବି ଚୁକ୍ତିନାମା ନେଇ ଆଲୋଚନା କରୁଛନ୍ତି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଧମକକୁ ନେଇ ବଢୁଥିବା ଚିନ୍ତା ମଧ୍ୟରେ ଫେବୃଆରୀ ୨୮ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ୟୁରୋପୀୟ ସଂଘ ମୁଖ୍ୟ ଉର୍ସୁଲା ଭନ୍ ଡେର୍ ଲେଏନ୍ ଏକ ମୁକ୍ତ ବାଣିଜ୍ୟ ଚୁକ୍ତି ଉପରେ ସହମତ ହୋଇଥିଲେ । ଉଭୟ ପକ୍ଷ ମଧ୍ୟରେ FTA ପାଇଁ ଦଶମ ପର୍ଯ୍ୟାୟ ଆଲୋଚନା ମାର୍ଚ୍ଚ ୧୦-୧୪ ପର୍ଯ୍ୟନ୍ତ ବ୍ରୁସେଲ୍ସରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଟ୍ରମ୍ପଙ୍କ ଟାରିଫ୍ ଧମକକୁ ଦେଖିଲେ ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ଆର୍ଥିକ ସମ୍ପର୍କକୁ ସୁଦୃଢ଼ କରିବା ଗୁରୁତ୍ୱପୂର୍ଣ୍ଣ ଅଟେ । ବର୍ତ୍ତମାନର ଅନିଶ୍ଚିତ ବିଶ୍ୱ ଅର୍ଥନୈତିକ ପରିସ୍ଥିତିରେ ଭାରତ ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି । ଏହା ୨୦୨୪-୨୫ ଆର୍ଥିକ ବର୍ଷରେ ୬.୪ ପ୍ରତିଶତ ହାରରେ ଅଭିବୃଦ୍ଧି ନେଇ ଆକଳନ କରାଯାଇଛି ।

୨୦୧୩ରେ ମତଭେଦ ଯୋଗୁଁ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଉପରେ ଆଲୋଚନା ଆଗକୁ ବଢିପାରିନଥିଲା । ଆଠ ବର୍ଷ ପରେ ଭାରତ ଏବଂ ୨୭ ଦେଶର ସଂଘ ୟୁରୋପୀୟ ୟୁନିୟନ ମଧ୍ୟରେ ୨୦୨୨ ଜୁନରେ ପୁଣି ଥରେ ଆଲୋଚନା ଆରମ୍ଭ ହୋଇଥିଲା । ୟୁରୋପୀୟ ସଂଘ ମଦ, ସ୍ପିରିଟ୍ ଉପରେ ଟିକସ ହ୍ରାସ ସହିତ ଅଟୋମୋବାଇଲ୍ ଉପରେ ଗୁରୁତ୍ୱପୂର୍ଣ୍ଣ ଶୁଳ୍କ ହ୍ରାସ ଚାହୁଁଛି । ଯଦି ଚୁକ୍ତିନାମା ସ୍ୱାକ୍ଷରିତ ହୁଏ, ତେବେ ଇୟୁକୁ ଭାରତୀୟ ସାମଗ୍ରୀ ଯେପରିକି ପୋଷାକ, ଔଷଧ, ଇସ୍ପାତ, ପେଟ୍ରୋଲିୟମ ଉତ୍ପାଦ ଏବଂ ବୈଦ୍ୟୁତିକ ଯନ୍ତ୍ରପାତି ରପ୍ତାନି ହୋଇପାରିବ । ଅନ୍ୟପଟେ ଭାରତ ମଧ୍ୟ ଆଇଟି କ୍ଷେତ୍ର ପାଇଁ ଡାଟା ସୁରକ୍ଷା ଚାହୁଁଛି ।

୨୦୨୩-୨୪ ଆର୍ଥିକ ବର୍ଷରେ ୟୁରୋପୀୟ ୟୁନିୟନ ସହିତ ଭାରତର ଦ୍ୱିପାକ୍ଷିକ ବାଣିଜ୍ୟ ୧୩୭.୪୧ ବିଲିୟନ ଆମେରିକୀୟ ଡଲାର ଥିଲା । EUକୁ ରପ୍ତାନି ୭୫.୯୨ ବିଲିୟନ ଆମେରିକୀୟ ଡଲାର ଏବଂ EUରୁ ଆମଦାନୀ ୬୧.୪୮ ବିଲିୟନ ଆମେରିକୀୟ ଡଲାର ଥିଲା । ୨୦୨୩ରେ ସେବା କ୍ଷେତ୍ରରେ ଦ୍ୱିପାକ୍ଷିକ ବାଣିଜ୍ୟ ୫୩ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଥିଲା । ଏଥିରେ ଭାରତୀୟ ରପ୍ତାନି ୩୦ ବିଲିୟନ ଆମେରିକୀୟ ଡଲାର ଏବଂ ଆମଦାନୀ ୨୩ ବିଲିୟନ ଆମେରିକୀୟ ଡଲାର, ଯାହା ସେବା କ୍ଷେତ୍ରରେ ଏପର୍ଯ୍ୟନ୍ତ ସର୍ବାଧିକ । ଭାରତରେ ୟୁରୋପୀୟ ସଂଘର ନିବେଶ ୧୧୭ ବିଲିୟନ ଆମେରିକୀୟ ଡଲାରରୁ ଅଧିକ ହୋଇଛି ଏବଂ ପ୍ରାୟ ୬,୦୦୦ ୟୁରୋପୀୟ କମ୍ପାନି ଭାରତରେ ଅଛନ୍ତି । ୟୁରୋପୀୟ ସଂଘରେ ଭାରତର ନିବେଶ ପ୍ରାୟ ୪୦ ବିଲିୟନ ଡଲାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.