ନୂଆଦିଲ୍ଲୀ: ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ଅପରାଜେୟ ଭାରତୀୟ ହକି ଟିମ୍ ଚାମ୍ପିଅନ ହୋଇଛି । ଫାଇନାଲ ମୁକାବିଲାରେ ଭାରତୀୟ ହକି ଟିମ୍ ମଙ୍ଗଳବାର ଚୀନକୁ ୧-୦ ଗୋଲରେ ପରାସ୍ତ କରି ପଞ୍ଚମ ଥର ପାଇଁ ଏସିଆନ ଚାମ୍ପିଅନ୍ସ ଟ୍ରଫି ଜିତିବାରେ ସଫଳ ହୋଇଛି । ଟାଇଟଲ୍ ମୁକାବିଲା ପାଇଁ ଖେଳାଯାଇଥିବା ମ୍ୟାଚ୍ରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା ଏବଂ ପୂରା ମ୍ୟାଚ୍ରେ କେବଳ ଗୋଟିଏ ହିଁ ଗୋଲ୍ ହୋଇଛି । ଚତୁର୍ଥ କ୍ୱାର୍ଟରରେ ଭାରତ ପାଇଁ ଯୁଗରାଜ ସିଂହ ଫିଲ୍ଡ ଗୋଲ୍ ଦେଇ ଟିମକୁ ୧-୦ରେ ବିଜୟୀ କରାଇବାରେ ସଫଳ ହୋଇଛନ୍ତି ।
ଟୁର୍ଣ୍ଣାମେଣ୍ଟର ପ୍ରଥମ ମୁକାବିଲାରେ ଚୀନକୁ ୩-୦ରେ ପରାସ୍ତ କରି ହରମନପ୍ରୀତ ସିଂହଙ୍କ ନେତୃତ୍ୱାଧୀନ ଭାରତୀୟ ଟିମ୍ ଫାଇନାଲ ସମେତ ୭ ମ୍ୟାଚ୍ ଅପରାଜିତ ରହି ଚାମ୍ପିଅନ ହୋଇଛି । ଟିମ୍ ଇଣ୍ଡିଆ ଏହି ଟୁର୍ଣ୍ଣାମେଣ୍ଟରେ ଗୋଟିଏ ବି ମ୍ୟାଚ୍ ହାରି ନାହିଁ କି ଡ୍ର’ କରିନି । ତେବେ ମଙ୍ଗଳବାର ସଂଧ୍ୟାରେ ଫାଇନାଲରେ ଟିମ୍ ଇଣ୍ଡିଆକୁ ବିଜୟ ପାଇଁ କଡ଼ା ସଂଘର୍ଷ କରିବାକୁ ପଡ଼ିଥିଲା । ପୂରା ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଥର ପାଇଁ ଭାରତୀୟ ଟିମ୍ ପ୍ରାରମ୍ଭରୁ ଗୋଲ୍ ଦେବାରେ ବିଫଳ ହୋଇଥିଲା ଏବଂ ବିରୋଧୀ ଟିମ୍ର ଗୋଲପୋଷ୍ଟ ଭେଦ କରିବା ପାଇଁ ଶେଷ ୧୦ ମିନିଟ୍ ଯାଏ ଅପେକ୍ଷା କରିବାକୁ ପଡ଼ିଥିଲା ।
ଭାରତୀୟ ପୁରୁଷ ହକି ଟିମ୍ ଯୁଗରାଜଙ୍କ ନିର୍ଣ୍ଣାୟକ ଗୋଲ୍ରେ ଚୀନକୁ ହରାଇ ଏସିଆନ ଚାମ୍ପିଅନ୍ସ ଟ୍ରଫିକୁ ଟାଇଟଲ୍କୁ ନିଜ ପାଖରେ ରଖିବାରେ ସଫଳ ହୋଇଛି । ଭାରତ ଏବଂ ଚୀନ ମଧ୍ୟରେ ମୁକାବିଲା ତୃତୀୟ କ୍ୱାର୍ଟର ଯାଏ ବିନା କୌଣସି ଗୋଲରେ ଚାଲିଥିଲା । ଏହି ମୁକାବିଲା ମଧ୍ୟ ପେନେଲ୍ଟି ସୁଟ୍ ଆଉଟ୍ ଆଡ଼କୁ ବଢୁଥିବା ନଜର ଆସୁଥିଲା, କିନ୍ତୁ ମ୍ୟାଚ୍ର ୫୧ ମିନିଟ୍ରେ ଚୀନର ଡିଫେନ୍ସକୁ ଭେଦିଥିଲା ଭାରତ । ଅଭିଷେକଙ୍କ ଏକ ଚମତ୍କାର ପାସ ଚୀନର ‘ଡି’ରେ ଯୁଗରାଜଙ୍କୁ ମିଳିଥିଲା ଏବଂ ଏହି ଡିଫେଣ୍ଡର ନିଜ ଆଟାକିଂ ଗେମ୍ର ଖଲକ ଦେଖାଇ ବଲକୁ ଚୀନ ଗୋଲପୋଷ୍ଟ ପହଞ୍ଚାଇଥିଲେ ।
ଭାରତୀୟ ଟିମ୍ ଇତିହାସରେ ସବୁଠୁ ଅଧିକ ୫ ଥର ଏସିଆନ ଚାମ୍ପିଅନ୍ସ ଟ୍ରଫି ଜିତିଛି । ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସିଜିନ ୨୦୧୧ରେ ଖେଳାଯାଇଥିଲା । ସେତେବେଳେ ଭାରତୀୟ ହକି ଟିମ୍ ପାକିସ୍ତାନକୁ ହରାଇ ଟାଇଟଲ୍ ଜିତିଥିଲା । ଏହାପରେ ଭାରତୀୟ ଟିମ୍ ୨୦୧୩, ୨୦୧୮ ଏବଂ ୨୦୨୩ରେ ଟ୍ରଫି ଜିତିଥିଲା । ୨୦୧୮ରେ ଭାରତୀୟ ଟିମ୍ ପାକିସ୍ତାନ ସହ ଯୁଗ୍ମ ବିଜେତା ହୋଇଥିଲା ।