ମାନିଲେ କାନାଡା ସରକାର, ନିଜ୍ଜାର ହତ୍ୟାରେ ଭାରତର ସମ୍ପୃକ୍ତି ନେଇ ନାହିଁ ଠୋସ୍ ପ୍ରମାଣ

Published By : Prameya-News7 Bureau | October 17, 2024 IST

ନୂଆଦିଲ୍ଲୀ: ଭାରତ ସରକାର ଚାପରେ ଚେପା ହେଲେ କାନାଡା ପ୍ରଧାନମନ୍ତ୍ରୀ। ହରିଦୀପ ସିଂହ ନିଜ୍ଜାର ହତ୍ୟା ମାମଲାରେ ଜଷ୍ଟିନ ଟ୍ରୁଡୋଙ୍କ ସ୍ବର ବଦଳିଛି । ନିଜ୍ଜାର ହତ୍ୟାରେ ଭାରତର ସମ୍ପୃକ୍ତି ଥିବା ନେଇ ତାଙ୍କ ପାଖରେ ଠୋସ୍ ପ୍ରମାଣ ନଥିବା କହିଛନ୍ତି । ଭାରତ ସରକାର କାନାଡାର ୬ଜଣ ହାଇକମିଶନରଙ୍କୁ ବହିଷ୍କାର କରିବା ପରେ ବଦଳିଛି ଜଷ୍ଟିନ ଟ୍ରୁଡୋଙ୍କ ସ୍ୱର ନରମିଛି। 

ନିଜ୍ଜାର ହତ୍ୟାରେ ଭାରତର ସମ୍ପୃକ୍ତି ବାବଦରେ ତାଙ୍କ ପାଖରେ କୌଣସି ଠୋସ୍ ପ୍ରମାଣ ନାହିଁ, ସେ କେବଳ ଗୁଇନ୍ଦା ସୂଚନାକୁ ଆଧାର କରି ଅଭିଯୋଗ କରିଥିବା କହିଛନ୍ତି । ଟ୍ରୁଡୋଙ୍କ ଏପରି ବିବୃତ୍ତି ପରେ କଡ଼ା ଜବାବ ଦେଇଛି ଭାରତ । ଭାରତ ପୂର୍ବରୁ ଯାହା କହି ଆସୁଥିଲା ତାହା ପ୍ରମାଣିତ ହୋଇଛି ବୋଲି ଭାରତ ସରକାର କହିଛନ୍ତି ।

ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହୁଯାଇଛି, କାନାଡା ସରକାର ବିନା କୌଣସି ଠୋସ୍ ପ୍ରମାଣରେ ନିଜ୍ଜାର ହତ୍ୟାକୁ ନେଇ ଭାରତ ଉପରେ ଅଭିଯୋଗ କରିଆସୁଥିଲେ । ହେଲେ ଏବେ ଏହାକୁ ସ୍ୱୀକାର କରିଛନ୍ତି । ଆମେ ଏହି ଅଭିଯୋଗକୁ ବାରମ୍ବାର ଖଣ୍ଡନ କରିଆସିଛୁ, ଶେଷରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଲଗାଇଥିବା ଅଭିଯୋଗ ପ୍ରମାଣ ବିହୀନ ବୋଲି ନିଜେ ମାନିଛନ୍ତି ।

ଗତ ବର୍ଷ କାନାଡାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାରର ହତ୍ୟା ହୋଇଥିଲା। କାନାଡା ସରକାର ଏହି ହତ୍ୟାକାଣ୍ଡରେ ଭାରତର ସମ୍ପୃକ୍ତି ଥିବା ଅଭିଯୋଗ ଆଣିଥିଲେ। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି । କାରଣ ଭାରତ ସରକାର ଏପରି ଅଭିଯୋଗକୁ ଖଣ୍ଡନ କରିବା ସହ କାନାଡା ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ ।

ନିକଟରେ ମଧ୍ୟ ଲାଓସରେ ଅନୁଷ୍ଠିତ ଆସିଆନ ଶିଖର ସମ୍ମିଳନୀରେ ଦୁଇ ରାଷ୍ଟ୍ରନେତା ବନ୍ଧୁତପୂର୍ଣ୍ଣ ବ୍ୟବହାର କରିନଥିଲେ। ପ୍ରଧାନମନ୍ତ୍ରୀ ଲାଓସରୁ ଫେରିବା ପରେ ପରେ ଭାରତ ସରକାର କାନାଡାରେ ଥିବା ଭାରତର ହାଇକମିଶନରଙ୍କୁ ଫେରାଇ ଆଣିବା ସହ ୬ ଜଣ କାନାଡା ହାଇକମିଶନରଙ୍କୁ ବହିଷ୍କାର କରିଥିଲେ।

ଏହାର କିଛି ଘଣ୍ଟା ପରେ ପୁଣି ନିଜ୍ଜାର ହତ୍ୟାକୁ ନେଇ ଭାରତ ଉପରେ ଦୋଷ ଲଦିଥିଲେ ଜଷ୍ଟିନ ଟ୍ରୁଡୋ। ଏପରି ଗ୍ୟାଙ୍ଗଷ୍ଟର୍ ଲରେନ୍ସ ବିଷ୍ଣୋଇ ସହ ମିଶି ଭାରତୀୟ ଏଜେଣ୍ଟ କାମ କରୁଥିବା ସେ ଅଭିଯୋଗ କରିଥିଲେ। ମାତ୍ର ଏସବୁ ଅଭିଯୋଗ ମଧ୍ୟରେ ନିଜ ସ୍ୱର ବଦଳାଇଛନ୍ତି ଜଷ୍ଟିନ ଟ୍ରୁଡୋ। ସେ କୌଣସି ଠୋସ୍ ପ୍ରମାଣ ବିନା ନିଜ୍ଜାର ହତ୍ୟାରେ ଭାରତର ସମ୍ପୃକ୍ତି ଥିବା ଅଭିଯୋଗ କରିଥିବା ସ୍ୱୀକାର କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.